‘ବାୟୋନିକ୍‌ ଆଇ’ରେ ଦୁନିଆ ଦେଖିପାରିବେ ଦୃଷ୍ଟିହୀନ

କାନବେରା: ଆଖି ହେଉଛି ମନୁଷ୍ୟ ଶରୀରର ସବୁଠୁ ସୂକ୍ଷ୍ମ ଓ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ଦ୍ୱାରା ଆମେ ପ୍ରକୃତିର ସମସ୍ତ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାଉ। ତା’ ବିନା ମନୁଷ୍ୟ ଅସମ୍ପୂର୍ଣ୍ଣ। ହେଲେ ବର୍ତ୍ତମାନ ସମୟରେ ଅନେକଙ୍କ ଆଖି ଖରାପ ହେଉଥିବା ଦେଖିବାକୁ ମିଳୁଛି। ଛୋଟ ପିଲାଙ୍କ କ୍ଷେତ୍ରରେ ଏହା ଅଧିକ ଦେଖାଯାଉଛି। କିନ୍ତୁ ଯେଉଁମାନଙ୍କ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଦୃଷ୍ଟିହୀନ ହୋଇଯାଇଛନ୍ତି, ସେମାନେ ପ୍ରକୃତିକୁ ଦେଖିପାରୁନାହାନ୍ତି। ହେଲେ ସେମାନେ ଏବେ ଦେଖିପାରିବେ। ଅଷ୍ଟ୍ରେଲିଆ ମେଲବୋର୍ନର ମୋନାସ ୟୁନିଭର୍ସିଟି ଆଖିରେ ଦେଖିପାରୁ ନ ଥିବା ଲୋକଙ୍କ ପାଇଁ ଏକ କୃତ୍ରିମ ଆଖିର ବ୍ୟବସ୍ଥା କରିଛନ୍ତି, ଯାହାଫଳରେ ସେମାନେ ମଧ୍ୟ ସାଧାରଣ ଲୋକଙ୍କ ପରି ଦୁନିଆକୁ ଦେଖିପାରିବେ। ଏହି ୟୁନିଭର୍ସିଟି ଏକ ‘ବାୟୋନିକ୍‌ ଆଇ’ର ଉଦ୍ଭାବନ କରିଛି, ଯାହା ମସ୍ତିଷ୍କ ପ୍ରତିରୋପଣ ଜରିଆରେ ସଫଳ କରିହେବ। ଏହା ବିଶ୍ୱର ପ୍ରଥମ ‘ବାୟୋନିକ୍‌ ଆଇ’ ବୋଲି ୟୁନିଭର୍ସିଟି ପକ୍ଷରୁ ପ୍ରସ୍ତୁତ କରିଥିବା ଟିମ୍‌ କହିଛି। ଏହି ‘ବାୟୋନିକ୍‌ ଆଇ’ ନଷ୍ଟ ହୋଇଥିବା ଅପ୍‌ଟିକ ସ୍ନାୟୁକୁ ସୁଧାରିବାରେ ସାହାଯ୍ୟ କରେ। ଏହା ଏକ ସାଧାରଣ ପ୍ରଣାଳୀ। ‘ବାୟୋଟିକ୍‌ ଆଇ’କୁ ମସ୍ତିଷ୍କ ପ୍ରତିରୋପଣ ଜରିଆରେ ଆଖିରେ ଲଗାଯିବ। ତାହା ମସ୍ତିଷ୍କରେ ଥିବା ରେଟିନାକୁ ସଙ୍କେତ ଦେବ। ଫଳରେ ସାଧାରଣ ମଣିଷ ପରି ଦୃଷ୍ଟିହୀନ ବ୍ୟକ୍ତିଟି ଦୁନିଆକୁ ଦେଖିପାରିବ। ୟୁନିଭର୍ସିଟିର ପ୍ରଫେସର ଅର୍ଥୁର ଲୋଉରି କହିଛନ୍ତି, ଏହାକୁ ଭିଜୁଆଲ ପାଟର୍ନରେ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ୧୭୨ ସ୍ପଟ୍‌ ଅଫ୍‌ ଲାଇଟ ରହିଛି, ଯାହାଦ୍ୱାରା ମଣିଷ ବାହ୍ୟ ଓ ଅନ୍ତଃ ପରିବେଶ, ଲୋକଙ୍କ ଉପସ୍ଥିତିକୁ ଚିହ୍ନିପାରିବ। ଅନୁସନ୍ଧାନକାରୀମାନେ ଏହାକୁ ପ୍ରଥମେ ଏକ ମେଣ୍ଢା ମୁଣ୍ଡରେ ପ୍ରତିରୋପଣ କରି ସଫଳ ହୋଇଛନ୍ତି। ଏଥପାଇଁ ତାଙ୍କୁ ୨ ଘଣ୍ଟା ସମୟ ଲାଗିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button