ଶ୍ରୀଗଣେଶ ଚତୁର୍ଥୀ

ଭାଦ୍ରବ ମାସ ଶୁକ୍ଳ ପକ୍ଷର ଚତୁର୍ଥୀ ଦିନ ଭଗବାନ ଗଣେଶଙ୍କର ଜନ୍ମୋତ୍ସବ ପାଳନ କରାଯାଏ । ଏଥିପାଇଁ ଏହି ଦିନକୁ ବିନାୟକ ଚତୁର୍ଥୀ ବା ଗଣେଶ ଚତୁର୍ଥୀ ବୋଲି କୁହାଯାଏ । ଗଣେଶ ଚତୁର୍ଥୀର ପ୍ରାରମ୍ଭ ଶୁକ୍ଳ ଚତୁର୍ଥୀ ତିଥିରୁ ଆରମ୍ଭ ହୋଇ ଚତୁର୍ଦ୍ଦଶୀ ତିଥିରେ ସମାପ୍ତ ହୁଏ । ଏହିଦିନ ଲୋକମାନେ ନିଜ ଘରେ ଗଣେଶଙ୍କ ମୂର୍ତ୍ତି ସ୍ଥାପନା କରି ବିଧି-ବିଧାନ ଅନୁସାରେ ପୂଜା କରନ୍ତି । ପୂଜା ସମୟରେ ତାଙ୍କର ପ୍ରିୟ ଜିନିଷ ସବୁ ଅର୍ପଣ କରାଯାଏ । କିଛି ଜିନିଷ ଯେପରି ଦୁବ, ମୋଦକ, ସିନ୍ଦୂର, କଦଳୀ, ଲାଲ୍ ଫୁଲ, ଆଖୁ ଆଦି ବିନା ଭଗବାନ ଗଣେଶଙ୍କ ପୂଜାକୁ ଅସମ୍ପୂର୍ଣ୍ଣ ବୋଲି କୁହାଯାଏ । ହିନ୍ଦୁ ଧର୍ମରେ ପ୍ରତି ଶୁଭ କାର୍ଯ୍ୟର ପ୍ରାରମ୍ଭ ଭଗବାନ ଗଣେଶଙ୍କ ପୂଜାରୁ ଆରମ୍ଭ ହୁଏ । ଭଗବାନ ଗଣପତିଙ୍କ ବନ୍ଦନ ବିନା କୌଣସି ମାଙ୍ଗଳିକ କାର୍ଯ୍ୟ ଆରମ୍ଭ କରିହୁଏ ନାହିଁ ।
ଏଥିପାଇଁ ତାଙ୍କୁ ପ୍ରଥମ ପୂଜ୍ୟ ଦେବତା ବୋଲି କୁହାଯାଏ । ଇତିହାସ-ପ୍ରାଚୀନ କାଳରେ ସାତବାହନ, ରାଷ୍ଟ୍ରକୂଟ ତଥା ଚାଲୁକ୍ୟ ବଂଶ ସମୟରେ ଗଣେଶ ଉତ୍ସବର ଆୟୋଜନ କରାଯାଉଥିଲା ବୋଲି ପ୍ରମାଣ ମିଳେ । ମରାଠା ଶାସକ ଛତ୍ରପତି ଶିବାଜୀ ମହାରାଜ, ରାଷ୍ଟ୍ରଧର୍ମ ଓ ସଂସ୍କୃତି ସହିତ ଯୋଡ଼ି ଗଣେଶ ଉତ୍ସବକୁ ଏକ ନୂଆ ପରମ୍ପରା ଭାବରେ ପ୍ରାରମ୍ଭ କରିଥିଲେ । ଏହାପରେ ମରାଠା ଶାସକମାନେ ଏହି କ୍ରମକୁ ଜାରି ରଖିଥିଲେ । ପେଶୱାମାନଙ୍କ ସମୟରେ ମଧ୍ୟ ଗଣେଶ ଉତ୍ସବ ଏହି ପ୍ରକାରର ଚାଲିଥିଲା । ପେଶୱାମାନଙ୍କର କୁଳଦେବତା ଥିଲେ ଭଗବାନ ଗଣେଶ । ଏଥିପାଇଁ ସେ ‘ରାଷ୍ଟ୍ରଦେବ’ ଭାବରେ ପରିଚିତ । ଏମାନଙ୍କ ପରେ ବ୍ରିଟିଶ କାଳରେ ୧୮୯୨ ପର୍ଯ୍ୟନ୍ତ ଗଣେଶ ଉତ୍ସବ କେବଳ ହିନ୍ଦୁ ଘରଗୁଡ଼ିକ ପର୍ଯ୍ୟନ୍ତ ସୀମିତ ହୋଇ ରହିଥିଲା । ୧୮୫୭ର କ୍ରାନ୍ତି ପରି ଭୟଭୀତ ହୋଇ ଇଂରେଜ ସରକାର ୧୮୯୪ରେ କଠୋର କାନୁନ ତିଆରି କରିଥିଲେ ଯାହାକୁ ୧୪୪ ଧାରା ବୋଲି କୁହାଯାଉଛି । ଏହି କାନୁନ ଅନୁସାରେ କୌଣସି ସ୍ଥାନରେ ପାଞ୍ଚ ଜଣ ଭାରତୀୟଙ୍କ ଠାରୁ ଅଧିକ ଲୋକ ଏକତ୍ରିତ ହୋଇପାରୁ ନଥିଲେ । ଏହି କାନୁନର ବିରୋଧରେ ଲୋକମାନ୍ୟ ବାଲ୍ ଗଙ୍ଗାଧର ତିଲକ ଗଣେଶ ଉତ୍ସବର ପୁନଃଆରମ୍ଭ କରିଥିଲେ । ଏହି ଉତ୍ସବର ଆରମ୍ଭ ହୋଇଥିଲା ପୁନେର ଶନିୱାର ୱାଡ଼ାର ଗଣେଶ ଉତ୍ସବରୁ । ଏହା ପୂର୍ବରୁ କେବଳ ଘରମାନଙ୍କରେ ଗଣେଶ ପୂଜା ପାଳନ କରାଯାଉଥିଲା । ୧୮୯୪ ପରଠାରୁ ଗଣେଶ ଉତ୍ସବ ସାମୂହିକ ଭାବରେ ପାଳନ କରାଗଲା ।