ମହିଳାଙ୍କ ବିକାଶ ଠାରୁ ମହିଳା କୈନ୍ଦ୍ରିକ ବିକାଶ ଦିଗରେ ଅଗ୍ରସର ହେଉଛି ଭାରତ

ନୂଆଦିଲ୍ଲୀ: ଅନେକ ପିଢ଼ି ଧରି, ଭାରତୀୟ ମହିଳାମାନେ ନାନା ପ୍ରତିବନ୍ଧକକୁ ସାମ୍ନା କରି ଆସୁଥିଲେ। ସେମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟସେବା, ନିଯୁକ୍ତି ଏବଂ ନିଷ୍ପତ୍ତି ନେବାରେ ସୀମିତ ସୁଯୋଗ ମିଳୁଥିଲା। ବିଶେଷ କରି ଗ୍ରାମୀଣ ଏବଂ ଅବହେଳିତ ସମ୍ପ୍ରଦାୟରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳୁଥିଲା। କିନ୍ତୁ 2014 ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ଐତିହାସିକ ପରିବର୍ତ୍ତନ ଘଟିଛି। ମହିଳାମାନଙ୍କୁ ଆଉ ନିଷ୍କ୍ରିୟ ହିତାଧିକାରୀ ଭାବରେ ନୁହେଁ ବରଂ ପରିବର୍ତ୍ତନର ସଶକ୍ତ ଏଜେଣ୍ଟ ଭାବରେ ବିବେଚନା କରାଯାଉଛି। ସେମାନେ ଭାରତର ବିକାଶ କାହାଣୀର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏକ ସାହସିକ, ସମାବେଶୀ ଏବଂ ଜୀବନଚକ୍ର ଆଧାରିତ ଆଭିମୁଖ୍ୟ ଦ୍ୱାରା ପରିଚାଳିତ ହୋଇ ସ୍ୱାସ୍ଥ୍ୟ, ଶିକ୍ଷା, ଆବାସ, ଡିଜିଟାଲ୍ ସୁବିଧା, ପରିମଳ ଏବଂ ଆର୍ଥିକ ଅନ୍ତର୍ଭୂକ୍ତିକରଣ କ୍ଷେତ୍ରରେ ସରକାର ଲକ୍ଷ୍ୟବଦ୍ଧ ହସ୍ତକ୍ଷେପ ଆରମ୍ଭ କରିଛନ୍ତି। ଏହା ଦେଶର ପ୍ରତ୍ୟେକ ମହିଳାଙ୍କୁ ମର୍ଯ୍ୟାଦା, ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତାର ସହ ବଞ୍ଚିବାକୁ ସଶକ୍ତ କରୁଛି। ଆଜି ମହିଳାମାନେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ନେତୃତ୍ୱ ନେଉଛନ୍ତି, ବ୍ୟବସାୟ ଆରମ୍ଭ କରୁଛନ୍ତି, ବିଜ୍ଞାନ, ପ୍ରତିରକ୍ଷା ଏବଂ କ୍ରୀଡ଼ା କ୍ଷେତ୍ରରେ ପ୍ରତିବନ୍ଧକକୁ ଭାଙ୍ଗି ଦେଶର ଭବିଷ୍ୟତକୁ ରୂପ ଦେଉଛନ୍ତି। ଭାରତର ଜନସଂଖ୍ୟାର ପ୍ରାୟ 67.7% ମହିଳା ଏବଂ ଶିଶୁ ରହିଥିବା ବେଳେ ସେମାନଙ୍କର ସଶକ୍ତିକରଣ କେବଳ ସାମାଜିକ ସଂସ୍କାର ନୁହେଁ-ଏହା ଏକ ରଣନୀତିକ ଆବଶ୍ୟକତା ପରିଣତ ହୋଇଛି। ଭାରତ ଅମୃତ କାଳରେ ପ୍ରବେଶ କରିବା ସହିତ ନାରୀ ଶକ୍ତି ଏକ ଶକ୍ତିଶାଳୀ, ଅଧିକ ସମାବେଶୀ ରାଷ୍ଟ୍ରକୁ ଆଗକୁ ନେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତି ଭାବରେ ଛିଡ଼ା ହୋଇଛନ୍ତି। ଗତ 11 ବର୍ଷ ମଧ୍ୟରେ ଭାରତ ସରକାର ସାମାଜିକ, ଆର୍ଥିକ, ରାଜନୈତିକ ଏବଂ ଆଇନଗତ କ୍ଷେତ୍ରରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଏକ ବ୍ୟାପକ, ଜୀବନଚକ୍ର ଆଧାରିତ ନୀତିଗତ ଢାଞ୍ଚା ଗ୍ରହଣ କରିଛନ୍ତି। ହିଂସା ଏବଂ ଭେଦଭାବ ବିରୁଦ୍ଧରେ ସାମ୍ବିଧାନିକ ସୁରକ୍ଷା ଏବଂ ଐତିହାସିକ ଆଇନ ଠାରୁ ଆରମ୍ଭ କରି ‘ବେଟୀ ବଚାଓ ବେଟୀ ପଢ଼ାଓ’, ‘ମିଶନ ଶକ୍ତି’ ଭଳି ପରିବର୍ତ୍ତନକାରୀ ଯୋଜନା ପ୍ରଣୟନ କରାଯାଇଛି। ଐତିହାସିକ ନାରୀ ଶକ୍ତି ବନ୍ଦନ ଅଧିନିୟମ ଭଳି ଆଇନ ମହିଳାମାନଙ୍କ ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରିଛି। ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଉଦ୍ୟୋଗୀତା ଏବଂ ଜନସେବାରେ ମହିଳାମାନଙ୍କର ଅଂଶଗ୍ରହଣ ବୃଦ୍ଧି ପାଇଛି। ଆଇନଗତ ସଂସ୍କାର ଏବଂ ଶ୍ରମ ସଂହିତା ନିରାପଦ ଓ ସମାବେଶୀ କାର୍ଯ୍ୟକ୍ଷେତ୍ରକୁ ପ୍ରୋତ୍ସାହିତ କରୁଥିବାବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଡିଏୱାଇ-ଏନଆରଏଲ୍ଏମ୍ ଏବଂ କୃଷି ସହାୟତା ପଦକ୍ଷେପ ଭଳି ଯୋଜନା ମହିଳାମାନଙ୍କୁ ଆର୍ଥିକ ଏବଂ ସାମାଜିକ ଦୃଷ୍ଟିରୁ ସଶକ୍ତ କରିଛି। ତୃଣମୂଳ ସ୍ତରର ପ୍ରଶାସନ ଠାରୁ ଆରମ୍ଭ କରି ପ୍ରତିରକ୍ଷା ବାହିନୀ ଏବଂ ବିମାନ ଚଳାଚଳ ପର୍ଯ୍ୟନ୍ତ, ମହିଳାମାନେ ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ନେଉଛନ୍ତି, ଯାହା ସମାବେଶୀ ଓ ଦୀର୍ଘସ୍ଥାୟୀ ଜାତୀୟ ବିକାଶକୁ ଆଗେଇ ନେଉଛି।