ଇଣ୍ଡିଆନ୍ ଓପନ୍ ନାସନାଲ୍ ପାରା ଆଥଲେଟିକ୍ ଚାମ୍ପିଅନ୍ଶିପ୍
ଜୟନ୍ତୀଙ୍କୁ ଡବଲ୍ ପଦକ, ପ୍ରଫୁଲ୍ଲ ହାତେଇଲେ ରୌପ୍ୟ

ଭୁବନେଶ୍ୱର: ବେଙ୍ଗାଲୁରୁର ଶ୍ରୀ କାନ୍ତିରବା ଷ୍ଟାଡିୟମ୍ଠାରେ ଗୁରୁବାର ଆରମ୍ଭ ହୋଇଥିବା ଚତୁର୍ଥ ଇଣ୍ଡିଆନ୍ ଓପନ୍ ନାସନାଲ୍ ପାରା ଆଥଲେଟିକ୍ ଚାମ୍ପିଅନ୍ଶିପ୍ର ଅନ୍ତିମ ଦିନରେ ଓଡ଼ିଶାକୁ ଆଉ ୪ଟି ପଦକ ମିଳିଛି । ପ୍ରଥମ ଦିନରେ ଜୟନ୍ତୀ ବେହେରା ଓ ରଶ୍ମିରଞ୍ଜନ ମଲ୍ଲିକ ପଦକ ଜିତିଥିବା ବେଳେ ଶୁକ୍ରବାର ଜୟନ୍ତୀ ତାଙ୍କର ଦ୍ୱିତୀୟ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ସେ ୨୦୦ ମିଟର ଟି-୪୭ ବର୍ଗରେ ୨୮.୩୯ ସେକେଣ୍ଡ୍ ସମୟ ନେଇ ଏହି ପଦକଟି ହାସଲ କରିଛନ୍ତି । ଏହି ଇଭେଣ୍ଟ୍ରେ ଆନ୍ଧ୍ରପ୍ରଦେଶର ଭାଲାସାଙ୍ଗାରି ଭାବା ୩୧.୫୩ ସେକେଣ୍ଡ୍ ସମୟ ସହ ରୌପ୍ୟ ଓ ଉତ୍ତର ପ୍ରଦେଶର ପ୍ରୀତି ପାଲ୍ ୩୨.୮୧ ସେକେଣ୍ଡ୍ ସମୟ ନେଇ ବ୍ରୋଞ୍ଜ୍ ପଦକ ପାଇଛନ୍ତି । ଏହାଛଡ଼ା ଜୟନ୍ତୀ ୪୦୦ ମିଟର ଟି-୪୭ ବର୍ଗରେ ୧:୦୩.୦୭ ସମୟ ନେଇ ରୌପ୍ୟ ହାସଲ ପୂର୍ବକ ଦିନରେ ଡବଲ୍ ପଦକ ଜିତିଛନ୍ତି । ସେହିପରି ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ ହ୍ୱିଲ୍ଚେୟାର୍ ଏଫ୍-୫୪ ବର୍ଗ ଜାଭେଲିନ୍ରେ ରୌପ୍ୟ ପଦକ ଜିତିଛନ୍ତି । ସେ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ଏହି ପଦକଟି ଜିତିପାରିଛନ୍ତି । ସେ ୨୦.୧୮ ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗିବାରେ ସକ୍ଷମ ହୋଇଥିଲେ । ଏହାଛଡ଼ା ରଶ୍ମିରଞ୍ଜନ ମଧ୍ୟ ଲଙ୍ଗ୍ ଜମ୍ପ୍ରେ ଟି-୪୪ ବର୍ଗରେ ୫.୮୦ ମିଟର ଉଚ୍ଚକୁ ଡେଇଁ ବ୍ରୋଞ୍ଜ୍ ପଦକ ହାସଲ କରିଛନ୍ତି ।