ଟି-୨୦ ର : ଶୀର୍ଷରେ ସୂର୍ଯ୍ୟ; କ୍ୟାରିୟର୍ ଶ୍ରେଷ୍ଠ ସ୍ଥାନରେ ଗିଲ୍‌

ଦୁବାଇ: ଆଇସିସି ପକ୍ଷରୁ ଜାରି ଟି-୨୦ ର‌୍ୟାଙ୍କିଙ୍ଗ୍‌ର ବ୍ୟାଟିଂ ସୂଚୀରେ ଭାରତର ଶୁବମାନ ଗିଲ୍ କ୍ୟାରିୟର୍ ଶ୍ରେଷ୍ଠ ୩୦ତମ ସ୍ଥାନ ହାସଲ କରିଛନ୍ତି । ଅନ୍ୟପକ୍ଷରେ ସୂର୍ଯ୍ୟକୁମାର ଯାଦବ ୯୦୬ ରେଟିଂ ପଏଣ୍ଟ ସହ ସୂଚୀର ଶୀର୍ଷସ୍ଥାନ ବଜାୟ ରଖିଛନ୍ତି । ଅହମ୍ମଦାବାଦରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଏବଂ ଅନ୍ତିମ ଟି-୨୦ ମ୍ୟାଚ୍‌ରେ ମ୍ୟାଚ୍ ବିଜୟୀ ଶତକ ଫଳରେ ଗିଲ୍ ଏହି କ୍ୟାରିୟର୍ ଶ୍ରେଷ୍ଟ ସ୍ଥାନ ହାସଲ କରିଛନ୍ତି । କ୍ରିକେଟ୍‌ର ସମସ୍ତ ତିନିଟି ଯାକ ଫର୍ମାଟ୍‌ରେ ଶତକ ହାସଲ କରିଥିବା ୨୩ ବର୍ଷୀୟ ଗିଲ୍ ଦିନିକିଆରେ ଷଷ୍ଠ ଏବଂ ଟେଷ୍ଟ୍‌ରେ ୬୨ତମ ର‌୍ୟାଙ୍କ୍‌ରେ ରହିଛନ୍ତି । ଅନ୍ୟ ଭାରତୀୟ ବ୍ୟାଟର୍‌ଙ୍କ ମଧ୍ୟରେ ବିରାଟ କୋହଲି ଗୋଟିଏ ସ୍ଥାନ ତଳକୁ ଖସି ୧୫ଶ, କେଏଲ୍ ରାହୁଲ ଦୁଇଟି ସ୍ଥାନର କ୍ଷତି ସହିତ ୨୭ତମ ଏବଂ ରୋହିତ ଶର୍ମା ୨୯ତମ ସ୍ଥାନରେ ରହିଛନ୍ତି । ପାକିସ୍ତାନର ମହମ୍ମଦ ରିଜ୍‌ୱାନ୍ ଏବଂ ବାବର ଆଜମ୍ ଯଥାକ୍ରମେ ସୂଚୀର ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ଟି-୨୦ ବୋଲିଂ ର‌୍ୟାଙ୍କିଙ୍ଗ୍‌ର ଟପ୍ ୧୦ରେ କୌଣସି ଭାରତୀୟ ବୋଲର୍ ନାହାନ୍ତି । ଅହମ୍ମଦାବାଦରେ ୧୬ ରନ୍ ଦେଇ ଦୁଇଟି ୱିକେଟ୍ ହାସଲ କରିଥିବା ବାମହାତୀ ପେସର୍ ଅର୍ଶଦୀପ ସିଂହ ଆଠଟି ସ୍ଥାନର ଉନ୍ନତି ସହିତ କ୍ୟାରିୟର୍ ଶ୍ରେଷ୍ଠ ତ୍ରୟୋଦଶ ସ୍ଥାନରେ ପହଞ୍ଚିଛନ୍ତି । ଭୁବନେଶ୍ୱର କୁମାର ଦୁଇଟି ସ୍ଥାନ ତଳକୁ ଖସି ୨୧ଶରେ ଥିବାବେଳେ ରବିଚନ୍ଦ୍ରନ୍ ଅଶ୍ୱିନ ଏବଂ ଅକ୍ଷର ପଟେଲ୍ ଯଥାକ୍ରମେ ୨୯ ଏବଂ ୩୦ତମ ସ୍ଥାନରେ ସ୍ଥିର ରହିଛନ୍ତି । ଅହମ୍ମଦାବାଦ ମ୍ୟାଚ୍‌ରେ ୧୬ ରନ୍‌ରେ ୪ଟି ୱିକେଟ୍ ସହିତ ୧୭ ବଲ୍‌ରେ ୩୦ ରନ୍ କରିଥିବା କ୍ୟାପ୍‌ଟେନ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ର‌୍ୟାଙ୍କିଙ୍ଗ୍‌ରେ ଜବରଦସ୍ତ ଲାଭ ମିଳିଛି । ବ୍ୟାଟିଂ ସୂଚୀରେ ସେ ୫୩ରୁ ୫୦କୁ ଉଠିଥିବା ବେଳେ ବୋଲିଂ ସୂଚୀରେ ୬୬ରୁ ୪୬ତମ ସ୍ଥାନରେ ପହଞ୍ଚିଛନ୍ତି । ଏହା ବ୍ୟତୀତ ଅଲ୍‌ରାଉଣ୍ଡର୍ ସୂଚୀରେ ସେ ୨୫୦ ରେଟିଂ ପଏଣ୍ଟ୍ ସହ ଦ୍ୱିତୀୟ ସ୍ଥାନରେ ପହଞ୍ଚିଥିବା ବେଳେ ଶୀର୍ଷରେ ଥିବା ବାଂଲାଦେଶର ସାକିବ୍ ଅଲ୍ ହସନ୍‌ଙ୍କଠାରୁ ମାତ୍ର ଦୁଇ ରେଟିଂ ପଏଣ୍ଟ୍ ପଛରେ ରହିଛନ୍ତି । ଅନ୍ୟପକ୍ଷରେ ଟେଷ୍ଟ୍ ଅଲ୍‌ରାଉଣ୍ଡ୍‌ର ସୂଚୀର ପ୍ରଥମ ଦୁଇଟି ସ୍ଥାନରେ ଟିମ୍ ଇଣ୍ଡିଆ ଖେଳାଳି କବ୍‌ଜା କରିଛନ୍ତି । ରବୀନ୍ଦ୍ର ଜାଡ଼େଜା (୩୬୯) ଶୀର୍ଷରେ ଥିବାବେଳେ ଆର୍ ଅଶ୍ୱିନ (୩୪୩) ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସାକିବ୍ ଅଲ୍ ହସନ୍ (୩୨୯) ସୂଚୀର ତୃତୀୟ ସ୍ଥାନରେ ଅଛନ୍ତି ।

Related Articles

Leave a Reply

Your email address will not be published.

Back to top button