କ୍ରମାଗତ ପଞ୍ଚମ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଲା ଭାରତ

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ୯୫ ରନ୍ ଯୋଗୁଁ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଭାରତ ବିଶ୍ୱକପରେ ବିଜୟ ଧାରା ଜାରି ରଖିଛି। କ୍ରମାଗତ ପଞ୍ଚମ ବିଜୟ ହାସଲ କରି ଭାରତ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ପହଞ୍ଚିଛି। ଏହା ସହ ଭାରତ ବର୍ତ୍ତମାନ ସେମିଫାଇନାଲରେ ଖେଳିବା ପ୍ରାୟ ନିଶ୍ଚିତ ହୋଇଛି। ମହମ୍ମଦ ଶାମିଙ୍କ ୫ ଟି ୱିକେଟ୍ ସହାୟତାରେ ଭାରତ ନ୍ୟୁଜିଲ୍ୟାଣ୍ଡର ଇନିଂସକୁ ୫୦ ଓଭରରେ ୨୭୩ ରନ୍ ରେ ସୀମିତ ରଖିଥିଲା। ଏହି ଲକ୍ଷ୍ୟ ହାସଲ କରିବାକୁ ରୋହିତ ଶର୍ମା ପୁଣି ଥରେ ୪୬ ରନ୍ ର ଆକ୍ରମଣାତ୍ମକ ଇନିଂସ ଖେଳିଥିଲେ। ଦୁଇଟି ଓଭର ପୂର୍ବରୁ ଭାରତ ୨୭୪ ରନ୍ ସ୍କୋର କରି ଭାରତ ଜିତିଥିଲା। ୫ ଟି ୱିକେଟ୍ ନେଇଥିବା ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପ୍ରଦାନ କରାଯାଇଥିଲା।
ଟିମ୍ ଇଣ୍ଡିଆର କ୍ରମାଗତ ପଞ୍ଚମ ବିଜୟ:
ଭାରତୀୟ ଦଳର ଆରମ୍ଭ ଉତ୍କୃଷ୍ଟ ଥିଲା। ଓପନର ରୋହିତ ଶର୍ମା ଏବଂ ଶୁବମାନ ଗିଲ ୧୧.୧ ଓଭରରେ ୭୧ ରନ୍ କରିଥିଲେ। ୪୦ ବଲରେ ୪୬ ରନ୍ ସ୍କୋର କରିବା ପରେ ରୋହିତ ଶର୍ମା ପାଭିଲିୟନକୁ ଫେରିଥିଲେ। ରୋହିତ ଶର୍ମା ତାଙ୍କ ଇନିଂସରେ ୪ ଟି ଚୌକା ଓ ୪ ଟି ଛକା ମାରିଥିଲେ। ଏଥିସହିତ ଭାରତ ୭୬ ରନ ସ୍କୋରରେ ଦ୍ୱିତୀୟ ଝଟକା ପାଇଥିଲା। ୩୧ ବଲରେ ୨୬ ରନ୍ ସ୍କୋର କରିବା ପରେ ଶୁଭମାନ ଗିଲ ଆଉଟ୍ ହୋଇଥିଲେ। ୧୦୪ ବଲରେ ୯୬ ରନ୍ ସ୍କୋର କରିବା ପରେ ବିରାଟ କୋହଲି ପାଭିଲିୟନକୁ ଫେରିଥିଲେ, କିନ୍ତୁ ସେତେବେଳକୁ ସେ ଟିମ୍ ଇଣ୍ଡିଆର ବିଜୟ ନିଶ୍ଚିତ କରିଥିଲେ।