ବ୍ୟାଡ୍‌ମିଣ୍ଟନ୍ ଏସିଆ ଚାମ୍ପିଅନ୍‌ଶିପ୍ ୨୦୨୩; ଦ୍ୱିତୀୟ ରାଉଣ୍ଡ୍‌ରେ ସିନ୍ଧୁ, ଶ୍ରୀକାନ୍ତ, ଲକ୍ଷ୍ୟ ବିଦା

ଦୁବାଇ: ଭାରତର ଶୀର୍ଷ ମହିଳା ଶଟ୍‌ଲର୍ ପିଭି ସିନ୍ଧୁ ଏବଂ କିଦାମ୍ବୀ ଶ୍ରୀକାନ୍ତ ଏଠାରେ ଚାଲିଥିବା ବ୍ୟାଡ୍‌ମିଣ୍ଟନ୍ ଏସିଆ ଚାମ୍ପିଅନ୍‌ଶିପ୍ ୨୦୨୩ର ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି । ତେବେ ଯୁବ ଶଟ୍‌ଲର୍ ଲକ୍ଷ୍ୟ ସେନ୍ ପ୍ରଥମ ରାଉଣ୍ଡ୍‌ରୁ ହାରି ବାଦ୍ ପଡ଼ିଛନ୍ତି । ମହିଳା ସିଙ୍ଗଲ୍ସର ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ଗତ ସଂସ୍କରଣର ବ୍ରୋଞ୍ଜ୍ ପଦକ ବିଜେତା ସିନ୍ଧୁ ଚୀନା ତାଇପେଇର ସୁହ ୱେନ୍ ଚି’ଙ୍କୁ ୨୧-୧୫, ୨୨-୨୦ରେ ହରାଇ ଦେଇଛନ୍ତି । ଅଷ୍ଟମ୍ ସିଡ୍ ସିନ୍ଧୁ ଦ୍ୱିତୀୟ ରାଉଣ୍ଡ୍‌ରେ ଚୀନ୍‌ର ହାନ୍ ୟୁଏଙ୍କୁ ଭେଟିବେ । ପୁରୁଷ ସିଙ୍ଗଲ୍ସର ପ୍ରଥମ ରାଉଣ୍ଡ୍‌ରେ ଶ୍ରୀକାନ୍ତ ୨୧-୧୩, ୨୧-୮ରେ ବାହାରିନ୍‌ର ଆଦ୍‌ନାନ୍ ଇବ୍ରାହିମ୍‌ଙ୍କ ବିପକ୍ଷରେ ସହଜ ବିଜୟ ହାସଲ କରି ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି । ସେଠାରେ ସେ ଚତୁର୍ଥ ସିଡ୍ ଜାପାନର କୋଦା ନାରାକୋଙ୍କୁ ଭେଟିବେ । ତେବେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ବିଜେତା ଲକ୍ଷ୍ୟ ସେନ୍ ୭-୨୧, ୨୧-୨୩ରେ ପୂର୍ବତନ ବିଶ୍ୱ ଚାମ୍ପିଅନ୍ ସିଙ୍ଗାପୁରର ଲୋହ କିଆନ୍‌ଙ୍କଠାରୁ ହାରିଯାଇଛନ୍ତି । ମହିଳା ସିଙ୍ଗଲ୍ସରେ ମାଳବିକା ବନ୍‌ସୋଡ୍ ବିଶ୍ୱର ଏକ ନମ୍ବର ଖେଳାଳି ଜାପାନର ଅକାନେ ୟାମାଗାଚିଙ୍କ ସହିତ ୪୬ ମିନିଟ୍ ଧରି ସଂଘର୍ଷ କରିବା ପରେ ୨୩-୨୫, ୧୯-୨୧ରେ ପରାଜିତ ହୋଇଛନ୍ତି । ତ୍ରିସା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦଙ୍କ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ୍ ବିଜୟୀ ମହିଳା ଯୋଡ଼ି ପ୍ରାରମ୍ଭିକ ପରାଜୟ ସତ୍ତ୍ୱେ ଜୋର୍‌ଦାର ପ୍ରତ୍ୟାବର୍ତ୍ତନ କରି ୧୭-୨୧, ୨୧-୧୭, ୨୧-୧୮ରେ ଇଣ୍ଡୋନେସିଆର ଲାନି ତ୍ରିଆ ମାୟାସାରି ଏବଂ ରିବ୍‌କା ସୁଗିଆର୍ତ୍ତୋଙ୍କୁ ହରାଇ ଦେଇଛନ୍ତି । ଏହି ମ୍ୟାଚ୍ ଏକ ଘଣ୍ଟାରୁ ଅଧିକ ସମୟ ଚାଲିଥିଲା । ମିକ୍ସଡ୍ ଡବଲ୍ସରେ ରୋହନ କପରୁ ଓ ସିକ୍କି ରେଡ୍ଡୀ ମଧ୍ୟ ପ୍ରଥମ ରାଉଣ୍ଡ୍ ମ୍ୟାଚ୍ ଜିତିଛନ୍ତି । ଭାରତୀୟ ଯୋଡ଼ି ୨୧-୧୨, ୨୧-୧୬ରେ ମାଲେସିଆର ଚାନ୍ ପେଙ୍ଗ୍ ସୁନ୍ ଓ ଚିଆହ ୟି ସି’ଙ୍କୁ ହରାଇ ଦେଇଛି ।

Related Articles

Leave a Reply

Your email address will not be published.

Back to top button