ସୁବର୍ଣ୍ଣରେଖାରେ ପ୍ରଥମ ବନ୍ୟା

୫୫ ଗାଁର ୩୦ ହଜାର ଲୋକ ପ୍ରଭାବିତ ଆଶଙ୍କା

ଭୁବନେଶ୍ୱର: ସୁବର୍ଣ୍ଣରେଖା ନଦୀରେ ପ୍ରଥମ ବନ୍ୟା ଆସିଛି । ଯେପରି ଆଶଙ୍କା କରାଯାଉଛି ସେପରି ବନ୍ୟା ହେଲେ ପରିସ୍ଥିତି ଭୟଙ୍କର ହେବ । ବାଲିଆପାଳ ବ୍ଲକ୍‌ର ୧୦ଟି ପଞ୍ଚାୟତର ୫୫ ଗାଁ’ର ୩୦ ହଜାର ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି । ବାଲିଆପାଳ ବ୍ଲକ୍‌ର ସୁବର୍ଣ୍ଣରେଖା ନଦୀ କୂଳିଆ ପଞ୍ଚାୟତ ବିଷ୍ଣୁପୁରର ସମସ୍ତ ୬ଟି ଗାଁ ବିଷ୍ଣୁପୁର, ନୟାବାଲି, ଇକଡ଼ପାଳ, ରସଲପୁର ଓ ରାଉତ୍ରାପୁର ସମେତ ଜାମକୁଣ୍ଡା ପଞ୍ଚାୟତର ୬ ଟି ଗାଁ ତାଳପଦା, କୁହ୍ଲାଚଡ଼, ଲଖପାଳ, ପାଳଜାମକୁଣ୍ଡା, କାଳରୁଇ ଓ ଜୁଣପାହି, ବାଲିଆପାଳ ପଞ୍ଚାୟତର ୫ ଟି ଗାଁ ତଳ ବାଲିଆପାଳ, ସୁଙ୍ଗମୁହଁ, କୁଦମାନସିଂହ, ଆଠବାଟିଆ ଓ ଗୁନାପୁର ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି । ସେହିପରି ମଧୁପୁରା ପଞ୍ଚାୟତର ୩ ଟି ଗାଁ ଚଡ଼ବସ୍ତ କାଳରୁଇ, ଚୌଧୁରୀକୁଦ ଓ ପଞ୍ଚରୁଖିରେ ପ୍ରଭାବ ପଡ଼ିବ । ସେହିପରି ଅସ୍ତି ପଞ୍ଚାୟତର ୯ ଟି ଗାଁ ଶରଧାରସାହି, ବଢ଼ାପାଳ, ଚଡ ବଢ଼ାପାଳ, ଅସ୍ତି, ପାରୁଳିଆ, ଖାଳପାଖ, କଣ୍ଟାଡ଼ିହା, କଣ୍ଟାବଣି ଓ ସୂର୍ଯାପୁର । ଘଣ୍ଟୁଆ ପଞ୍ଚାୟତର ୪ ଟି ଗାଁ ଧରମଦୁଆର, ମାଳିକୁଦ, ଘଣ୍ଟୁଆ, ବଡ଼କସବା । ନିଖିରା ପଞ୍ଚାୟତର ୬ ଟି ଗାଁ ପାଳବେଗୁନିଆ, ପାଳପଡ଼ା, ଚଡ଼ପାଳପଡ଼ା, ମଝିପଡ଼ା, ପାଳଚମ୍ପେଇ, ତଳଧାନନ୍ଦା । କୁମ୍ଭାରୀ ପଞ୍ଚାୟତର ୬ ଟି ଗାଁ ଝଲଝଲିଆ, ନୂଆସାହି, ଗୁଆପଡ଼ା, କୁମ୍ଭାରୀ, ତାପୂଣ୍ଡିଆ, ସୁନାକଣିଆରେ ବନ୍ୟାଜଳ ପ୍ରବେଶ କରିବା ଆଶଙ୍କା କରାଯାଉଛି । ଶ୍ରୀରାମପୁର ପଞ୍ଚାୟତର ୫ ଟି ଗାଁ ରେମୁ, ଧାନନ୍ଦା, ନେପୁରା, ଶ୍ରୀରାମପୁର ଓ ବିଲକୁମ୍ଭାରୀ, ଦେଭୋଗ ପଞ୍ଚାୟତର ୫ ଟି ଗାଁ ଡୁମିଚକ, ଖାଳମୁହାଁଣି, ଦାନ୍ତୁଣିଦା, ନୂଆଗାଁ, ବିଷ୍ଣୁପୁର ଆଦି ଗାଁ ପ୍ରଭାବିତ ହେବାର ଆଶଙ୍କା ରହିଛି । ୨୦୦୮ ମସିହାରେ ୩ ଲକ୍ଷ କ୍ୟୁସେକ୍ ପାଣି ଆସି ନାହିଁ ନ ଥିବା କ୍ଷତି ଘଟାଇଥିଲା । ଏଥର ଛତିଶଗଡ଼ର ଗାଲୁଡିହ ବ୍ୟାରେଜ୍‌ରୁ ୬ ଲକ୍ଷ କ୍ୟୁସେକ୍ ପାଣି ଛଡ଼ାଯାଇଛି ବୋଲି ସରକାରୀ ରିପୋର୍ଟ ରହିଛି । ସେହି ତୁଳନାରେ ଆକଳନ କରି ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ପ୍ରଶାସନ ବନ୍ୟାର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି ବୋଲି ଉଭୟ ତହସିଲଦାର ଓ ବିଡିଓ ଦାୟିତ୍ୱରେ ଥିବା ଦୀପକ କୁମାର ଦାଶ କହିଛନ୍ତି । ଦୁଇଟି ଏନ୍‌ଡିଆର୍‌ଏଫ୍ ଟିମ୍ ସହିତ ଅଗ୍ନିଶମ ବିଭାଗ, ସମସ୍ତ ପଞ୍ଚାୟତର ସରପଞ୍ଚ, ବ୍ଲକ୍ ପ୍ରଶାସନ, ଲୋକପ୍ରତିନିଧି ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଜାଗ ଅଛନ୍ତି । ତଳିଆ ଅଞ୍ଚଳରୁ ପାଖାପାଖି ୧୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବାର ଲକ୍ଷ୍ୟ ରଖାଯାଇଛି । ସେଥିପାଇଁ ସରକାରୀ କର୍ମଚାରୀଙ୍କୁ ସଜାଗ କରାଯାଇ ଦାୟିତ୍ୱ ଦିଆଯାଇଛି ବୋଲି ତହସିଲଦାର ଶ୍ରୀ ଦାଶ କହିଛନ୍ତି । ଆଜି ସନ୍ଧ୍ୟାସୁଦ୍ଧା ରାଜଘଟରେ ବିପଦ ସଂକେତ ୧୦.୩୬ ଉପରେ ବନ୍ୟାପାଣି ଟପିବାର ଆଶଙ୍କା ରହିଛି । ଆସନ୍ତା କାଲି ବନ୍ୟା ପରିସ୍ଥିତି ଭୟାବହ ହେବାର ସମ୍ଭାବନା ରହିଛି । ବଢ଼ାପାଳ, ନୟାବାଲି, ଇକଡ଼ପାଳ ଓ ପଳାପଡ଼ା ଠାରେ ଦୁର୍ବଳ ନଦୀବନ୍ଧ ରହିଛି । ଏହି ସବୁ ସ୍ଥାନ ମାନଙ୍କରେ ଜଳସେଚନ ବିଭାଗ ତ୍ୱରିତ ପଦକ୍ଷେପ ନେବାକୁ ମଧ୍ୟ ପ୍ରସ୍ତୁତ ରହିବା ସହିତ ପ୍ରତି ପଞ୍ଚାୟତରେ ଶୁଖିଲା ଖାଦ୍ୟ ସହିତ ଦେଶୀ ଡଙ୍ଗା ମହଜୁଦ କରାଯାଇଥିବା ତହସିଲଦାର ଶ୍ରୀ ଦାସ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button