ଶ୍ରେଷ୍ଠ ବିଧାୟକ ଚୟନ କମିଟିର ପ୍ରଥମ ବୈଠକ

ଏକା ଥରେ ପାଞ୍ଚ ବର୍ଷ ପାଇଁ ହେବେ ଚୟନ

ଭୁବନେଶ୍ୱର: କୋଭିଡ୍ ସଂକ୍ରମଣ ପାଇଁ ବିଧାନସଭାରେ ଶ୍ରେଷ୍ଠ ବିଧାୟକଙ୍କ ଚୟନ ବୈଠକ ବସିପାରୁ ନଥିଲା । ଏବେ ଏକାଥରେ ପାଞ୍ଚ ବର୍ଷ ପାଇଁ ଚୟନ କରାଯିବ । ଏମାନେ ୩ଟି ବର୍ଗରେ ସମ୍ମାନୀତ ହେବେ । ପଣ୍ଡିତ ନୀଳକଣ୍ଠ ସମ୍ମାନରେ ବର୍ତ୍ତମାନର ବିଧାୟକ, ଉତ୍କଳଗୌରବ ମଧୁସୂଦନ ସମ୍ମାନରେ ପୂର୍ବତନ ବିଧାୟକ ଏବଂ ଉତ୍କଳମଣି ଗୋପବନ୍ଧୁ ପ୍ରତିଭା ସମ୍ମାନରେ ନବନିର୍ବାଚିତ ବିଧାୟକଙ୍କୁ ସମ୍ମାନିତ କରାଯିବ । ଶୁକ୍ରବାର ପୂର୍ବାହ୍ନରେ ବିଧାନସଭାର ଅନୁଷ୍ଠିତ ଶ୍ରେଷ୍ଠ ବିଧାୟକ ଚୟନ କମିଟିର ପ୍ରଥମ ବୈଠକ ଶେଷରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କୋଭିଡ୍ ସଂକ୍ରମଣ ପାଇଁ ଗତ ତିନିବର୍ଷ ଧରି ଏ ବାବଦରେ କୌଣସି ବୈଠକ ଅନୁଷ୍ଠିତ ହୋଇନଥିଲା । ଚଳିତ ବର୍ଷ ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ୫ ବର୍ଷର ଶ୍ରେଷ୍ଠ ବିଧାୟକଙ୍କୁ ଚୟନ କରାଯିବ । ରାଜ୍ୟ ପ୍ରତି ଥିବା ଦାୟିତ୍ୱବୋଧ ଓ ନିଷ୍ଠା ସହ ବିଧାନସଭା ଗୃହକାର୍ଯ୍ୟରେ ବିଧାୟକଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ଆଧାରରେ ଚୟନ କମିଟି ଶ୍ରେଷ୍ଠ ବିଧାୟକଙ୍କୁ ମନୋନୀତ କରିଥାନ୍ତି । ବୈଠକରେ ଚୟନ କମିଟିର ସଦସ୍ୟ ଭାବେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ, କଂଗ୍ରେସ ଦଳର ବରିଷ୍ଠ ବିଧାୟକ ନରସିଂହ ମିଶ୍ର, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ, ପୂର୍ବତନ ବିଧାୟକ ନଗେନ୍ଦ୍ର କୁମାର ପ୍ରଧାନ ଏବଂ ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published.

Back to top button