ମୋଦିଙ୍କୁ ନବୀନଙ୍କ ପତ୍ର

ଖୋଲା ବଜାରରେ ମିଳୁ କରୋନା ଟିକା

ଭୁବନେଶ୍ୱର : ଖୋଲା ବଜାରରେ କରୋନା ଟିକା ଉପଲବ୍ଧ ହେଉ  । ଫଳରେ ଟିକା ପାଇଁ ଅର୍ଥ ଦେବାକୁ ପ୍ରସ୍ତୁତ ଥିବା ଲୋକମାନେ ଟିକା ନେଇପାରିବେ  । ଯାହାକି ସରକାରଙ୍କ ପାଇଁ ମଧ୍ୟ ବେଶ ସହାୟକ ହୋଇପାରିବ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଭଳି ମର୍ମରେ ପତ୍ର ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ନବୀନ ତାଙ୍କ ପତ୍ରରେ ଉଲ୍ଳେଖ କରିଛନ୍ତିଯେ, କୋଭିଡ଼ ସଂକଟର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରିବା ଦରକାର  । ଏଯାବତ ଓଡ଼ିଶାରେ ୪୭ ଲକ୍ଷ ଡୋଜ ଟିକା ସ୍ୱାସ୍ଥ୍ୟ କର୍ମୀ, କରୋନା ଯୋଦ୍ଧା ଓ ୪୫ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ପ୍ରଦାନ କରାଯାଇଛି  । ଆମ ରାଜ୍ୟରେ କମ ଟିକା ନଷ୍ଟ ହୋଇଥିବାବେଳେ ପ୍ରତିଦିନ ୩ ଲକ୍ଷ ଡୋଜ ଟିକା ଦେବା ପାଇଁ ମଧ୍ୟ ଆମେ ସମର୍ଥ  । ଟିକା ନେବା ପାଇଁ ଲୋକମାନଙ୍କର ଆଗ୍ରହ ଥିଲେବି ଚାହିଦା ମୁତାବକ ଟିକା ଯୋଗାଣ ହୋଇନପାରିବା ଏକ ଆହ୍ୱାନ ସୃଷ୍ଟିକରିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟକୁ ୨୫ ଲକ୍ଷ ଡୋଜ ଟିକା ଯୋଗାଣ ପାଇଁ ସେ ଅନୁରୋଧ କରିଥିଲେ ବୋଲି ନବୀନ ତାଙ୍କ ପତ୍ରରେ ଉଲ୍ଳେଖ କରିଛନ୍ତି  । ଯଦି ପୂର୍ଣ୍ଣ ସାମର୍ଥ୍ୟ ଅନୁଯାୟୀ ଟିକା ଦିଆଯାଏ ତଥାପିବି ସମସ୍ତ ୪୫ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ଟିକାକରଣ ପାଇଁ ୧୬୦ ଦିନ ଲାଗିବ  । ଏସବୁ ଆହ୍ୱାନର ସମ୍ମୁଖୀନ ହେବା ନିମନ୍ତେ ନବୀନ କେତେକ ପ୍ରସ୍ତାବ ଦେଇଛନ୍ତି  । କୋଭିଡ଼ ୧୯ ଟିକା ଖୋଲା ବଜାରରେ ଉପଲବ୍ଧ କରିବାକୁ ପ୍ରସ୍ତାବ ଦିଆଯାଇଛି  । ଯାହାଫଳରେ ଯେଉଁମାନେ ଟିକା ପାଇଁ ଅର୍ଥ ଦେଇପାରିବେ  ସେମାନେ ନେଇପାରିବେ  । ଅପରପକ୍ଷରେ ସରକାର ସମାଜର ବିପଦଶଙ୍କୁଳ ବ୍ୟକ୍ତିଙ୍କ ଉପରେ ଗୁରୁତ୍ୱ ଦେଇପାରିବେ ବୋଲି ନବୀନ କହିଛନ୍ତି  । ବିଶ୍ୱସ୍ତରରେ ଯେଉଁସବୁ ଟିକାକୁ ମଂଜୁରୀ ମିଳିଛି ସେହି ଟିକା ଯୋଗାଣ ଉପରେ ଗୁରୁତ୍ୱ ଦେବା ସହ କେନ୍ଦ୍ର ଓ ରାଜ୍ୟ ସରକାର ଟିକା ଉତ୍ପାଦନ ୟୁନିଟକୁ ଆବଶ୍ୟକୀୟ ସହଯୋଗ ଦେବା ପାଇଁ ମଧ୍ୟ ନବୀନ ପ୍ରସ୍ତାବ ଦେଇଛନ୍ତି  । ଏଭଳି ଏକ ଅସାଧାରଣ ସମୟରେ ଆମକୁ ଆଉ କେଇ ପାଦ ଆଗକୁ ଯିବାକୁ ପଡ଼ିବ  । ସେହିପରି ଯେଉଁ ମେଟ୍ରୋସହରମାନଙ୍କରେ କୋଭିଡ଼ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି ସେଠାରେ ଟୀକାକରଣକୁ ଅଗ୍ରାଧିକାର ଦେବା ଦରକାର  । ସମସ୍ତ ବର୍ଗର ଲୋକଙ୍କର କିଭଳି ଟୀକାକରଣ କରାଯାଇପାରିବ ତାହା ଉପରେ ଗୁରୁତ୍ୱ ଦେବା ଉଚିତ  । ସେହି ସବୁ ମେଟ୍ରୋ ସହରଗୁଡ଼ିକ ହେଉଛି ଆମର ଅର୍ଥନୈତିକ ମେରୁଦଣ୍ଡ  । ସେଠାରେ ଲକଡାଉନ ହେଲେ ସାରା ଦେଶରେ ଶ୍ରମିକ ସ୍ଥାନାନ୍ତର ଭଳି ସମସ୍ୟା ପରିଲକ୍ଷିତ ହେବ  । ଏହି ପରିପ୍ରେକ୍ଷୀରେ ଆବଶ୍ୟକୀୟ ଟିକା ଉପଲବ୍ଧ କରିବା ନିମନ୍ତେ ନବୀନ କହିଛନ୍ତି  ।

Related Articles

Leave a Reply

Your email address will not be published.

Back to top button