ମୋଦିଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ବର: ଓଡ଼ିଶା ସରକାର ମନରେଗାରେ ନିଯୁକ୍ତ ଶ୍ରମିକମାନଙ୍କୁ ଠିକ ସମୟରେ ଶତ ପ୍ରତିଶତ ମଜୁରୀ ପ୍ରଦାନ କରୁଛନ୍ତି । ଲୋକଙ୍କ ହାତକୁ ଅଧିକ କାମ ସହ ନିୟଭିତ ଭାବେ ମଜୁରୀ ପ୍ରଦାନ କରିବାକୁ ରାଜ୍ୟ ସରକାର ଏକ ’ରିଭଲଭିଙ୍ଗ ଫଣ୍ଡ’ ଗଠନ କରିଛନ୍ତି  । ଏହି ଫଣ୍ଡ ସହ କେନ୍ଦ୍ର ସରକାର ମନରେଗା ସଫ୍ଟେଓ୍ବରକୁ ସଂଯୁକ୍ତ କଲେ ଧାର୍ୟ୍ୟ ସମୟରେ ମନରେଗା ବାବଦ କେନ୍ଦ୍ରୀୟ ଅଂଶ ମିଳିବାରେ ଅସୁବିଧା ହୁଅନ୍ତା ନାହିଁ । ଏହାଦ୍ବାରା ରିଭଲଭିଙ୍ଗ ଫଣ୍ଡକୁ ପାଣ୍ଠିର ଅଭାବ ରହନ୍ତା ନାହିଁ । ଏ ଦିଗରେ ରାଜ୍ୟର ପ୍ରସ୍ତାବକୁ ଅଗ୍ରାଧିକାର ଭିତ୍ତିରେ କାର୍ୟ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ନବୀନ ଚିଠିରେ ଦର୍ଶାଇଛନ୍ତି, କରୋନା ମହାମାରୀ ସମୟରେ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ଅଧିକ କାମଧନ୍ଦା ଯୋଗାଇବାକୁ କେନ୍ଦ୍ର ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଥିଲା । ରାଜ୍ୟଗୁଡ଼ିକ ଲୋକମାନଙ୍କୁ ଢେର ଅଧିକ କାମ ଯୋଗାଇବାରେ ସମର୍ଥ ହେଲେ । ମନରେଗା ଜବକାର୍ଡଧାରୀଙ୍କୁ ଠିକ୍ ସମୟରେ ମଜୁରୀ ପ୍ରଦାନ ପାଇଁ ରାଜ୍ୟ ସରକାର ଏକ ରିଭଲଭିଙ୍ଗ ଫଣ୍ଡ ଗଠନ କରି ୧ ହଜାର କୋଟିର ପାଣ୍ଠି ବରାଦ କରିଛନ୍ତି । ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଏଇଆ ଯେ, ଏ ପାଣ୍ଠିରୁ ଶ୍ରମିକଙ୍କ ମଜୁରୀ ବାବଦ ଟଙ୍କା ପୈଠ କରାଯିବ । କେନ୍ଦ୍ର ସରକାର ନିଜସ୍ବ ଭାଗ ପାଣ୍ଠ ଦେଲେ ଏହା ଭରଣା ହେବ । ମାତ୍ର କେନ୍ଦ୍ର ସରକାର ଏ ବାବଦରେ ପାଣ୍ଠି ବିଳମ୍ବରେ ଦେଉଛନ୍ତି । ତେଣୁ ଏ ଦିଗରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button