ନୀତି ଆୟୋଗ ଉଚ୍ଚସ୍ତରୀୟ ପ୍ରତିନିଧି ଦଳର କେନ୍ଦୁଝର ଜିଲ୍ଲା ଗସ୍ତ: ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ

ଭୁବନେଶ୍ବର: ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପରମେଶ୍ୱରନ ଆୟାରଙ୍କ ନେତୃତ୍ୱରେ ଆୟୋଗର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ କରିଛନ୍ତି । ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା,କେନ୍ଦ୍ର ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟର ସଚିବ ଅନୀଲ କୁମାର ଝା,ଆୟୋଗର ନିର୍ଦ୍ଦେଶକ ଅମିତ ବର୍ମା ପ୍ରମୁଖ ଏହି ଗସ୍ତରେ ସାମିଲ ହୋଇଥିଲେ । ଜିଲ୍ଲାପାଳ ଆଶିଷ ଠାକ୍‌ରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ ଓ କଲ୍ୟାଣମୂଳକ କାର୍ଯ୍ୟକ୍ରମ ତଥା ଅନୁସୂଚିତ ଜନଜାତିମାନଙ୍କ ପାଇଁ ତଥା ଅଞ୍ଚଳର ବିକାଶ ପାଇଁ ନିଆଯାଉଥିବା ପଦକ୍ଷେପ ସଂପର୍କରେ ଆୟୋଗର ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ । ନୀତି ଆୟୋଗର ପ୍ରତିନିଧି ଦଳ ପ୍ରଥମେ ଗୋନାସିକା ଏଜୁକେସନାଲ କମ୍ପେ୍ଲକ୍ସ (ଗୋନାସିକା ଛାତ୍ରୀ ନିକେତନ) ପରିଦର୍ଶନ କରି ଛାତ୍ରୀମାନଙ୍କ ସହ ବାର୍ତ୍ତାଳାପ କରିଥିଲେ । ବିଦ୍ୟାଳୟର ରୂପାନ୍ତରଣ,ଶିକ୍ଷାଦାନ ପ୍ରଣାଳୀ,ଶିକ୍ଷାଦାନ ସହ ଆନୁସଙ୍ଗିକ ବ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ । ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ରୀମାନଙ୍କ ସହ ବାର୍ତ୍ତାଳାପ କରି ସେମାନଙ୍କ ଜୀବନର ଲକ୍ଷ୍ୟ ଓ ଆଶା ସଂପର୍କରେ ପଚାରିଥିଲେ । ବିଦ୍ୟାଳୟର ପାରମ୍ପରିକ ବ୍ୟବହାର୍ଯ୍ୟ ଜିନିଷ ସଂଗ୍ରହ କରି ସ୍ଥାପନ କରାଯାଇଥିବା ମ୍ୟୁଜିୟମ ଦେଖିଥିଲେ । ସେଠାରୁ ଆୟୋଗର ସିଇଓ ଓ ପ୍ରତିନିଧି ଦଳ ବାଂଶପାଳ ବ୍ଲକ ଅନ୍ତର୍ଗତ ଘୁଙ୍ଗି ଗ୍ରାମ ପରିଦର୍ଶନରେ ଯାଇଥିଲେ । ସେଠାରେ ଲୋକମାନଙ୍କ ସହ ବାର୍ତ୍ତାଳାପ କରି ସେମାନଙ୍କ ପରମ୍ପରା,ଚଳଣୀ,ଜୀବନଜୀବିକା ଓ ବିଭିନ୍ନ ଉନ୍ନୟନ ଓ କଲ୍ୟାଣମୂଳକ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସଂପର୍କରେ ପଚାରି ବୁଝିଥିଲେ । ଘୁଙ୍ଗୀ ଗ୍ରାମରେ ଚେକଡ୍ୟାମ୍ ପରିଦର୍ଶନ ସହ ବହୁଭାଷୀ ବିଦ୍ୟାଳୟ ପରିଦର୍ଶନ କରିଥିଲେ ଓ ପିଲାମାନଙ୍କ ସହ ବାର୍ତ୍ତାଳାପ କରିଥିଲେ । କୁଣ୍ଢେଇ ଗ୍ରାମଠାରେ ଶିଶୁ ପ୍ରଯତ୍ନ କେନ୍ଦ୍ର(କ୍ରେଚ୍‌) ପରିଦର୍ଶନ କରି କିପରି ୬ ମାସରୁ ୩ ବର୍ଷ ବୟସ ପିଲାମାନଙ୍କର ଲାଳନପାଳନ କରାଯାଉଛି, କେନ୍ଦ୍ରର ପରିଚାଳନା, କ’ଣ କ’ଣ ପୃଷ୍ଟିକର ଖାଦ୍ୟ ଦିଆଯାଉଛି ତାହା ଅନୁଧ୍ୟାନ କରିବା ସହ ନିଜେ ଖାଦ୍ୟର ମାନ ପରୀକ୍ଷା କରିଥିଲେ ଏବଂ ସନ୍ତୋଷ ପ୍ରକାଶ କରିଥିଲେ । ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମିଲେଟ କାଫେ ପରିଦର୍ଶନ କରିବା ସହ ମିଲେଟ କାଫେର ପରିଚାଳନା ଅନୁଧ୍ୟାନ କରି ମାଣ୍ଡିଆରୁ ପ୍ରସ୍ତୁତି ଖାଦ୍ୟ ଗ୍ରହଣ କରିଥିଲେ ଏବଂ ଅତୀବ ସନ୍ତୋଷ ପ୍ରକାଶ କରି ଏହାକୁ ନୀତି ଆୟୋଗ ତରଫରୁ ବ୍ୟାପକ କରାଯିବ ବୋଲି କହିଥିଲେ । ଜିଲ୍ଲାରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ, ମାଣ୍ଡିଆ ପ୍ରକିୟାକରଣ, ମାଣ୍ଡିଆ ଜାତୀୟ ଖାଦ୍ୟକୁ ଲୋକପ୍ରିୟ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ନିଆଯାଉଥିବା ପଦକ୍ଷେପ ସଂପର୍କରେ ଜିଲ୍ଲାପାଳ ଶ୍ରୀ ଠାକ୍‌ରେ ଅବଗତ କରାଇଥିଲେ । ଏହାପରେ ଆୟୋଗ ପ୍ରତିନିଧି ଜନଜାତି ସାଧନ କେନ୍ଦ୍ର ପରିଦର୍ଶନ କରିଥିଲେ ଏବଂ ପାଠାଗାରକୁ ଉଦ୍‌ଘାଟନ କରିଥିଲେ । ସେଠାରୁ ଜିଲ୍ଲା ଚିକିତ୍ସାଳୟ ପରିଦର୍ଶନରେ ଯାଇ ୱାର୍ଡ,ଆଉଟଡୋର,ହେଲ୍ପ ଡେସ୍କ,କାଜୁଆଲିଟି ଇତ୍ୟାଦିର କାର୍ଯ୍ୟକ୍ରମ, ଯୋଗାଇ ଦିଆଯାଉଥିବା ସ୍ୱାସ୍ଥ୍ୟସେବା ତଦାରଖ କରିଥିଲେ । ସେଠାରୁ ହ୍ୟାଣ୍ଡବଲ ଷ୍ଟାଡିୟମ ପରିଦର୍ଶନରେ ଆସି ଷ୍ଟାଡିୟମ ନିରୀକ୍ଷଣ କରିଥିଲେ । କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ଆୟୋଗର ପ୍ରତିନିଧି ଦଳ ବହୁତ ଭଲ ଅଭିଜ୍ଞତା ପାଇଛନ୍ତି । ଜିଲ୍ଲାପାଳ ଆଶିଷ ଠାକ୍‌ରେଙ୍କ ନେତୃତ୍ୱରେ ଜିଲାରେ ବହୁତ ଭଲ କାମ ହୋଇଛି ବୋଲି ଆୟୋଗର ସିଇଓ ପରମେଶ୍ୱରନ ଆୟାର କହିଥିଲେ । କେନ୍ଦୁଝରରୁ ଆୟୋଗର ପ୍ରତିନିଧିମାନେ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଯିବେ ଏବଂ ରାଜ୍ୟସ୍ତରରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ବୋଲି ସିଇଓ ଶ୍ରୀ ଆୟାର ସୂଚନା ଦେଇଥିଲେ । ଆୟୋଗର ପ୍ରତିନିଧିମାନଙ୍କ କେନ୍ଦୁଝର ଜିଲ୍ଲା ଗସ୍ତ ସମୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ,କେନ୍ଦୁଝର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତପନ କୁମାର ନାଏକ,ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଦାଶ,ବାଂଶପାଳ ବିଡିଓ ଉଗ୍ରସେନ ଓରାମ,ତହସିଲଦାର ସପନ କୁମାର ସାହୁ,ଡିଏମ୍‌ଏଫ୍ ଟିମ୍ ଲିଡର ନିର୍ମଳ ଯୋଶୀ,ଜନଜାତି ଶିକ୍ଷା ସଂଯୋଜକ ଦୁର୍ଗା ପ୍ରସାଦ ଲାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published.

Back to top button