ଗୃହ ପ୍ରତି ବିଶ୍ୱାସଘାତକତା: ନରସିଂହ

ଭୁବନେଶ୍ୱର: ଧାନ କିଣାଯିବା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।  ସେ କହିଛନ୍ତି ଯେ, ପ୍ରକୃତ ଚାଷୀଙ୍କ ଠାରୁ ଧାନ କିଣାଯିବ ବୋଲି ମନ୍ତ୍ରୀ ଗୃହରେ ବିବୃତ୍ତି ରଖିଥିଲେ ।  କିନ୍ତୁ ଦୁର୍ଭାଗ୍ୟର କଥା ମନ୍ତ୍ରୀ ଗୃହରେ କହିବା ପରେ ବି ମଣ୍ଡିରେ ଧାନ ଉଠିଲାନି ।  ଚାଷୀ କୁଆଡେ଼ ଯିବେ । ଆତ୍ମହତ୍ୟା କରିବା ଭଳି ପ୍ରକ୍ରିୟା ଆରମ୍ଭ ହୋଇଗଲାଣି ।  ରାଜ୍ୟ ସରକାର ଗୃହ ପ୍ରତି ଅବମାନନା କରିଛନ୍ତି, ବିଶ୍ୱାସଘାତକତା କରିଛନ୍ତି । ଯଦି ରାଜ୍ୟ ସରକାର ତାଙ୍କ କଥା ନରଖିବେ ଗୃହ କାହିଁକି ଚାଲିବ ବୋଲି ନରସିଂହ କହିଛନ୍ତି । ଏହା ପୂର୍ବରୁ ରାଜ୍ୟରେ ଧାନକିଣା ସମସ୍ୟା ନେଇ ବିଧାୟକ ଜୟନାରାୟଣ ମିଶ୍ର ନିଜର ବିବୃତ୍ତି ରଖି କହିଥିଲେ ଯେ,  ଆଲୋଚନା ପରେ ଯଦି କାର୍ଯ୍ୟନହେଉଛି, ତାହେଲେ ଗୃହ ଚାଲିବ କାହିଁକି ।  ସରକାର ଗୃହର ଗାରିମା ଭାଙ୍ଗିଛନ୍ତି । ଗୃହର ନିଷ୍ପତ୍ତି କାର୍ଯ୍ୟକାରୀ ହେଉନି ।  ବାଚସ୍ପତିଙ୍କ ନିର୍ଦ୍ଦେଶ ମଧ୍ୟ କାର୍ଯ୍ୟକାରୀୀ କରାଯାଉନାହିଁ ।  ଆଜି ବି ଅନେକ ମଣ୍ଡିରେ ଧାନ ପଡ଼ିରହିଛି ।  ଗାଈଗୋରୁ ଖାଉଛନ୍ତି ।  ଆମକୁ ଲୋକେ ପଚାରୁଛନ୍ତି ବୋଲି କହିବା ସହ ସରକାରୀ ଶୀଘ୍ର ଧାନ ଉଠାଇବାକୁ ଶ୍ରୀ ମିଶ୍ର ଦାବି କରିଥିଲେ ।  ଏହାଛଡ଼ା ଧାନମଣ୍ଡି ସମସ୍ୟାକୁ ନେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଗର୍ଜିଥିଲେ ।   ଯେ ପର୍ଯ୍ୟନ୍ତ ଧାନ ଉଠୁନି, ସେଯାଏ ବିଧାନସଭା ଚାଲିବାକୁ ଦେବୁନି ବୋଲି ତାରା କହିଥିଲେ ।  ତାରା କହିଛନ୍ତି ଯେ, ବିଜେଡି ନେତା କହିପାରୁନାହାନ୍ତି, ଆମ ଦ୍ୱାରା କୁହାଉଛନ୍ତି ।  ଗୃହରେ ନିଜ ସମସ୍ୟା କହିବା ଲାଗି ନବୀନ ପଟ୍ଟନାୟକ କାହାକୁ ଅଧିକାର ଦେଉନାହାନ୍ତି । ଏଠି ଅମଲାମାନଙ୍କ ଶାସନ ଚାଲିଛି ।  ସମସ୍ତ ଧାନ ଉଠାଇବାକୁ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ତାରା ଦାବି କରିଥିଲେ ।

Related Articles

Leave a Reply

Your email address will not be published.

Back to top button