ଅବସରପ୍ରାପ୍ତ ରୋଡ୍ ଇଞ୍ଜିନିୟର୍ ଏବଂ ପୁଲିସ୍ ଅଧିକାରୀଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟରେ ଘଟୁଥିବା ପ୍ରତ୍ୟେକ ସଡ଼କ ଦୁର୍ଘଟଣାର ପ୍ରକୃତ କାରଣ ବିଶ୍ଳେଷଣ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ଅଧୀନରେ ଥିବା ଓଡ଼ିଶା ସଡ଼କ ସୁରକ୍ଷା ସୋସାଇଟି, ଅବସରପ୍ରାପ୍ତ ଇଞ୍ଜିନିୟର ଏବଂ ପୁଲିସ୍ ଅଧିକାରୀ ମାନଙ୍କୁ ନିଯୁକ୍ତି ଦେବେ । ମିଳିତ ଭାବେ ଦୁର୍ଘଟଣା ସ୍ଥାନର ଯାଞ୍ଚ କରାଯାଇ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବା, ଯାହା ଦ୍ୱାରା ଦୁର୍ଘଟଣା ଘଟିବାର ପ୍ରକୃତ କାରଣ ଜାଣିହେବ ଓ ଏହାର ପ୍ରତିକାର ବ୍ୟବସ୍ଥା ମଧ୍ୟ କରିହେବ । ତେଣୁ ଏଭଳି ନିଯୁକ୍ତି ଦିଆଯିବ ବୋଲି ଜଣାଯାଇଛି । ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଞ୍ଜିନିୟର ପଦରୁ ଅବସର ନେଇଥିବା କିମ୍ବା ତାଙ୍କ ସମସାମୟିକ ସରକାରୀ ଚାକିରି କରିଥିବା ସିଭିଲ୍ ଇଞ୍ଜିନିୟର, ଯେଉଁମାନେ କି ପବ୍ଲିକ୍ ସେକ୍ଟର କିମ୍ବା ସେମାନଙ୍କର ଅଧୀନସ୍ଥ କାର୍ଯ୍ୟାଳୟ, ସଡକ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା କୌଣସି ସଂସ୍ଥାରେ ଅନୁଭୂତି ଥିବା ସିଭିଲ୍ ଇଞ୍ଜିନିୟର ମାନଙ୍କଠାରୁ ମଧ୍ୟ ଏହି ଆବେଦନ ଗ୍ରହଣ କରାଯିବ । ସରକାରୀ ଇଞ୍ଜିନିୟରିଂ କଲେଜ, ଆଇଆଇଟି, ଏନ୍ଆଇଟି, ସରକାରୀ ଅନୁସନ୍ଧାନ ପ୍ରତିଷ୍ଠାନ ଇତ୍ୟାଦିର ଅବସରପ୍ରାପ୍ତ କିମ୍ବା ସେବା କରୁଥିବା ଅଧ୍ୟାପିକାଙ୍କ ବ୍ୟତୀତ ଯେଉଁମାନେ ସଡ଼କ ନିର୍ମାଣ, ସଡ଼କ ଦୁର୍ଘଟଣା, ସଡକ ସୁରକ୍ଷା ପରାମର୍ଶଦାତା କାମ ସହିତ କାର୍ଯ୍ୟ କରିଛନ୍ତି, ପରାମର୍ଶ ଦେଇଛନ୍ତି, ସେମାନେ ମଧ୍ୟ ଆବେଦନ କରି ପାରିବେ । ସେହିଭଳି ଅବସରପ୍ରାପ୍ତ ପୁଲିସ ଅଧିକାରୀ (ପୁଲିସ ଇନସ୍ପେକ୍ଟର ର୍ୟାଙ୍କ) କିମ୍ବା ତା’ଠାରୁ ଅଧିକ ର୍ୟାଙ୍କର ବ୍ୟକ୍ତି ବିଶେଷ ଆବେଦନ କରିପାରିବେ । ପ୍ରାର୍ଥୀ ଉଚ୍ଚ ନୈତିକ ମାନଦଣ୍ଡ ସହିତ ସଡକ ସୁରକ୍ଷା ବିଶେଷଜ୍ଞ /ସଡ଼କ ଦୁର୍ଘଟଣା ଅନୁସନ୍ଧାନ ବିଶେଷଜ୍ଞ ଭାବରେ କାର୍ଯ୍ୟ କରିବାକୁ ଇଚ୍ଛୁକ ହେବା ଉଚିତ ଏବଂ ଆଚରଣ ବିଧିରେ ଦସ୍ତଖତ କରିବା ଉଚିତ୍ । ଆଗ୍ରହୀ ଅବସରପ୍ରାପ୍ତ ଅଧିକାରୀ କୌଣସି ଜିଲ୍ଲାର ବିଭିନ୍ନ ଗ୍ରାମୀଣ ଅଞ୍ଚଳରେ ଭ୍ରମଣ କରିବା ପାଇଁ ଶାରୀରିକ / ମାନସିକ ସ୍ତରରେ ଫିଟ୍ ଥିବା ଆବଶ୍ୟକ ଏବଂ ଆବେଦନକାରୀ ଆବେଦନ ତାରିଖରେ ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ନହେବା ଉଚିତ । ପ୍ରାର୍ଥୀ ଯେଉଁମାନେ କମ୍ପ୍ୟୁଟର ଏବଂ ସ୍ମାର୍ଟଫୋନରେ କାମ କରିପାରିବେ, ଏହି ପଦ ପାଇଁ ଆବେଦନ କରିପାରିବେ । ଆବଶ୍ୟକୀୟ ସିଭିଲ୍ ଇଞ୍ଜିନିୟର୍ ଏବଂ ପୁଲିସ୍ ଅଧିକାରୀଙ୍କ ସେବାଗୁଡିକ ଆବଶ୍ୟକ ଅନୁଯାୟୀ କେସ୍ ଆଧାରରେ ବ୍ୟବହାର କରାଯିବ । ଅବସରପ୍ରାପ୍ତ ଇଞ୍ଜିନିୟରମାନଙ୍କୁ କେସ୍ ଭିତ୍ତିରେ ୫, ୦୦୦ ଟଙ୍କାର ଏକ ବୃତ୍ତିଗତ ଶୁଳ୍କ ପ୍ରଦାନ କରାଯିବ । ଅବସରପ୍ରାପ୍ତ ପୁଲିସ୍ ଅଧିକାରୀଙ୍କୁ ୩,୦୦୦ ପ୍ରତ୍ୟେକ କେସ୍ ଆଧାରରେ ବୃତ୍ତିଗତ ଶୁକ୍ଳ ଭାବରେ ପ୍ରଦାନ କରାଯିବ । ରାଜ୍ୟ ପରିବହନ ପ୍ରାଧିକରଣ ନିଷ୍ପତ୍ତି ଅନୁଯାୟୀ ନିର୍ବାଚିତ ବ୍ୟକ୍ତିବିଶେଷଙ୍କ ବୈଧତା ଚୟନ ତାରିଖ ଠାରୁ ଦୁଇ ବର୍ଷ ଯାଏଁ ହେବ । ଆବେଦନ ପାଇଁ ଶେଷ ତାରିଖ ସେପ୍ଟେମ୍ବର୨୦ତାରିଖ ଧାର୍ଯ୍ୟ କରାଯାଇଛି ।