୭୦ ଜଣଙ୍କ ବିଶ୍ୱାସରେ ବିଷଦେଲେ ମହିଳା: ୭୨ ଲକ୍ଷ ଟଙ୍କା, ୨୦ ଭରି ସୁନା ନେଇ ଚମ୍ପଟ

ଭୁବନେଶ୍ବର: ଗାଁ ଲୋକଙ୍କ ବିଶ୍ୱାସରେ ବିଷ ଦେଇ ୭୦ରୁ ଊର୍ଦ୍ଧ୍ୱ ମହିଳାଙ୍କ ଠାରୁ ପ୍ରାୟ ୭୨ ଲକ୍ଷ ଓ ୨୦ ଭରି ସୁନା ଧରି ଛୁ’ ମାରିଛନ୍ତି ଜଣେ ମହିଳା । ଏମିତି ଏକ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଫାସୁଳା ଗ୍ରାମରୁ । ଅଭିଯୋଗ ଅନୁଯାୟୀ ଫାସୁଳା ଗ୍ରାମର କନକ ବିଶୋଇ ନାମକ ଜଣେ ମହିଳା ବିଭିନ୍ନ ଫାଇନାନ୍ସ କମ୍ପାନୀରୁ ଗାଁର ମହିଳାମାନଙ୍କ ନାମରେ ଋଣ କରି ୧୫ ବର୍ଷ ହେଲା ଦେଣନେଣ କରି ଆସୁଥିଲେ । ମହିଳାମାନେ ବିଶ୍ୱାସ କରି ନିଜ ନାମରେ ଋଣ କରି କନକଙ୍କୁ ଦେଉଥିଲେ । କନକ ମଧ୍ୟ ଟଙ୍କା ନେଇ ମାସକୁ ମାସ ଋଣ ଶୁଝୁଥିଲେ । କିନ୍ତୁ ଏବେ କିଛି ଦିନ ହେବ ଗାଁର ୭୦ ଲୋକଙ୍କ ନାମରେ ପ୍ରାୟ ୭୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଫାଇନାନ୍ସ କମ୍ପାନୀରୁ ଉଠାଇବା ସହ କିଛି ଲୋକଙ୍କ ବିଶ୍ୱାସ ଭାଜନ ହୋଇ ଘରେ ରଖାଯାଇଥିବା ସୁନା ଅଳଙ୍କାର ମାଗି ନେଇଥିଲେ । କିନ୍ତୁ ୧୫ ଦିନ ହେବ ସେ ଗାଁରୁ କେଉଁ ଆଡ଼େ ଚାଲି ଯାଇଛନ୍ତି । ତେବେ ଋଣ ଦେଇଥିବା ବିଭିନ୍ନ ଫାଇନାନ୍ସ କମ୍ପାନୀ କନକ ଫେରାର ହେବା ପରେ ପ୍ରକୃତ ହିତାଧିକାରୀଙ୍କୁ ଟଙ୍କା ମାଗିବା ପରେ ସତ ଘଟଣା ସାମ୍ନାକୁ ଆସିଥିଲା । ତେବେ ୧୫ ବର୍ଷ ହେଲା କନକ ଅନ୍ୟମାନଙ୍କ ନାମରେ ଫାଇନ୍ସ କମ୍ପାନୀ ଠାରୁ ଋଣ ନେଇ ସୁଝୁଥିଲେ । ଯାହା ଫଳରେ କନକ ଉପରେ ଗାଁ ଲୋକ ମାନଙ୍କ ବିଶ୍ୱାସ ରହିଥିଲା । ତା’ସହ ଫାଇନ୍ସ କର୍ମଚାରୀ ମଧ୍ୟ କନକ ଦ୍ୱାରା ଋଣ ନେଲେ କୌଣସି ତଦାରଖ କରୁନଥିଲେ । ଟଙ୍କା ସମସ୍ତଙ୍କ ନାମରେ କନକ ନିଅନ୍ତି, ଆଉ ନିଜେ ସୁଝନ୍ତି । ତେଣୁ ପ୍ରକୃତ ହିତାଧିକାରୀଙ୍କ ସହ ଯୋଗାଯୋଗ କରୁନଥିଲେ ଫାଇନ୍ସ କର୍ମଚାରୀ । ଯାହାର ଫାଇଦା ନେଇ କନକ ପୂରା ଗାଁକୁ ଚୂନ ଲଗା ଫେରାର ହୋଇଯାଇଛି । ତେବେ ଏନେଇ ଗ୍ରାମବାସୀ ଖଲ୍ଲିକୋଟ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ ଘଟଣାର ତଦନ୍ତ ଚଳାଇଛି । ସେପଟେ ନିଜ ନାମରେ ଉଠିଥିବା ଋଣ କିପରି ପରିଶୋଧ ହେବ ସେନେଇ ଚିନ୍ତାରେ ଅଛନ୍ତି ଗାଁର ୭୦ ରୁ ଊର୍ଦ୍ଧ୍ୱ ମହିଳା । ନିଜ ଘରେ ତାଲା ପକାଇ କନକ ଫେରାର ହୋଇ ଯାଇଥିବା ବେଳେ ଏବେ ସେ ପକାଇଥିବା ତାଲା ଉପରେ ଗ୍ରାମବାସୀ ଆଉ ଦୁଇଟି ତାଲା ପକାଇଥିବା ଦେଖିବାକୁ ମିଳିଛି ।

Related Articles

Leave a Reply

Your email address will not be published.

Back to top button