ଶୀତ ଅଧିବେଶନ : ୨୧ରେ ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ୱର : ଆସନ୍ତା ୨୧ ତାରିଖଠାରୁ ଷୋଡ଼ଶ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନ ଅର୍ଥାତ୍‌‌ ଶୀତ ଅଧିବେଶନ ଆରମ୍ଭ ହେବ। ଡିସେମ୍ବର ୩୦ ତାରିଖ ଯାଏଁ ଏହି ଅଧିବେଶନ ଚାଲିବାକୁ ଥିବାବେଳେ ମୋଟ ୩୦ଟି କାର୍ୟ୍ୟ ଦିବସ ରହିଛି।ମିଳିଥିବା ସୂଚନା ଅନୁଯାୟୀ, ଅଧିବେଶନରେ ଦଳର ରଣନୀତି ସ୍ଥିର କରିବା ପାଇଁ ଶାସକ ବିଜେଡି ଆସନ୍ତା ୨୧ ତାରିଖରେ ନିଜର ବିଧାୟକ ଦଳ ବୈଠକ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଅଧିବେଶନ ବ୍ୟାପି ଦଳର ରଣନୀତି ବିଷୟରେ ମୁଖ୍ୟମନ୍ତ୍ରୀ ଦଳୀୟ ବିଧାୟକଙ୍କୁ ପରାମର୍ଶ ଦେବେ। ଗୃହରେ ବିରୋଧୀଙ୍କୁ ସାମ୍ନା କରିବା ସହ ରାଜ୍ୟ ସ୍ୱାର୍ଥଜଡ଼ିତ ଏବଂ କେନ୍ଦ୍ରୀୟ ଅବହେଳା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଯେପରି ପ୍ରଭାବୀ ଢଙ୍ଗରେ ଉପସ୍ଥାପିତ ହେବ, ସେନେଇ ମୁଖ୍ୟମନ୍ତ୍ରୀ ଦଳୀୟ ବିଧାୟକଙ୍କୁ ମାର୍ଗଦର୍ଶନ କରିବେ। ବିଧାୟକ ଦଳ ବୈଠକ ୨୧ ତାରିଖ ସକାଳ ସାଢ଼େ ୧୦ଟାରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଆୟୋଜିତ ହେବ ବୋଲି ଜଣାପଡ଼ିଛି।

ସେହିପରି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ନିଜନିଜ ବିଧାୟକ ଦଳ ବୈଠକ ପାଇଁ ସ୍ଥାନ ଏବଂ ତାରିଖ ଧାର୍ୟ୍ୟ କରିଛନ୍ତି। ବିଜେପି ରାଜ୍ୟ କାର୍ୟ୍ୟାଳୟରେ ୨୦ ତାରିଖ ଅପରାହ୍ଣ ୪ଟା ବେଳେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ମୁଖ୍ୟ ବିରୋଧୀ ଦଳ ବିଜେପି ନିଜର ରଣନୀତି ପ୍ରସ୍ତୁତ କରିବ। ସେହିପରି ୨୦ ତାରିଖ ସନ୍ଧ୍ୟା ୬ଟା ବେଳେ କଂଗ୍ରେସ ବିଧାୟକ ଦଳଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ ଦଳର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ।

Related Articles

Leave a Reply

Your email address will not be published.

Back to top button