ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ ବୃତ୍ତି ଉତ୍ତରଖାତା

ଭୁବନେଶ୍ୱର: ୨୦୨୨-୨୩ ଶିକ୍ଷାବର୍ଷରୁ ରାଜ୍ୟରେ ସମସ୍ତ ବୃତ୍ତି ପରୀକ୍ଷାର ଉତ୍ତରଖାତା ସାର୍ବଜନୀନ କରାଯିବ । ତୃତୀୟ, ପଞ୍ଚମ ଏବଂ ସପ୍ତମ ଶ୍ରେଣୀ ବୃତ୍ତି ପରୀକ୍ଷାର ଉତ୍ତରଖାତାକୁ ଉଭୟ ପରୀକ୍ଷାର୍ଥୀ ଏବଂ ସେମାନଙ୍କ ଅଭିଭାବକ ଦେଖିପାରିବେ । ବୃତ୍ତି ପରୀକ୍ଷା ଶେଷ ହେବା ପରେ ରେଜଲ୍ଟ ପ୍ରକାଶ ପାଇବାର ସପ୍ତାହ ମଧ୍ୟରେ ଅନ୍‌ଲାଇନ୍‌ରେ ବୃତ୍ତି ପରୀକ୍ଷାର ଉତ୍ତରଖାତା ଉପଲବ୍ଧ ହେବ । ଏଥିରେ ଦୁଇପ୍ରକାର ବ୍ୟବସ୍ଥା କରାଯିବ । ପ୍ରଥମ ବ୍ୟବସ୍ଥାରେ ଯେଉଁ ସ୍କୁଲର ପିଲାମାନେ ପରୀକ୍ଷା ଦେଇଥିବେ ସମ୍ପୃକ୍ତ ସ୍କୁଲର କର୍ତ୍ତୃପକ୍ଷ ସ୍କୁଲ କୋଡ ନମ୍ବର ଦେଇ ପିଲାମାନଙ୍କର ଉତ୍ତରଖାତାର ନକଲ ଦେଖିପାରିବେ । ସେହିପରି ଦ୍ୱିତୀୟ ବ୍ୟବସ୍ଥାରେ କେବଳ ପରୀକ୍ଷାର୍ଥୀଙ୍କ ରୋଲ ନମ୍ବର ଟାଇପ୍ କରି ଅନ୍‌ଲାଇନ୍‌ରେ ପରୀକ୍ଷାର୍ଥୀଙ୍କ ଉତ୍ତରଖାତା ଦେଖି ହେବ । ଫଳରେ ପୂର୍ବରୁ ବୃତ୍ତି ପରୀକ୍ଷା ମୂଲ୍ୟାୟନରେ ବ୍ୟାପକ ପ୍ରିୟାପ୍ରୀତି ହେଉଛି ବୋଲି ଯେଉଁ ଅଭିଯୋଗ ହେଉଥିଲା ସେହି ସମସ୍ୟାର ସମାଧାନ ହୋଇପାରିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜଣାପଡ଼ିଛି । ତେବେ ରାଜ୍ୟରେ ପ୍ରଥମକରି ଏପରି ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା ପରୀକ୍ଷାରେ ସ୍ୱଚ୍ଛତା ରଖିବାରେ ବେଶ୍ ସହାୟକ ହେବ ବୋଲି କୁହାଯାଉଛି । ପ୍ରତିବର୍ଷ ରାଜ୍ୟରେ ତୃତୀୟ, ପଞ୍ଚମ ଏବଂ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲରେ ସର୍ବାଧିକ ମାର୍କ ରଖିଥିବା ମେଧାବୀ ଛାତ୍ରଛାତ୍ରୀମାନେ ବୃତ୍ତି ପରୀକ୍ଷା ଲାଗି ମନୋନୀତ ହୋଇଥାନ୍ତି । ବୃତ୍ତି ପରୀକ୍ଷାରେ ସଫଳତା ହାସଲ କରିଥିବା ପିଲାଙ୍କ ତାଲିକା କେବଳ ପ୍ରକାଶ କରାଯାଇଥାଏ । ତେବେ ଅନ୍ୟ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ସମ୍ପର୍କରେ କୌଣସି ତଥ୍ୟ ସ୍ପଷ୍ଟହୋଇପାରି ନଥାଏ । ଅନେକ ସମୟରେ ତ୍ରୁଟି ମୂଲ୍ୟାୟନ ଲାଗି ପିଲାଙ୍କ ରେଜଲ୍ଟରେ ପ୍ରଭାବ ପଡ଼ିଥିବା ଅଭିଭାବକମାନେ ଅଭିଯୋଗ କରିଥାନ୍ତି । ମାତ୍ର ସେହି ଅଭିଯୋଗର ତଦନ୍ତ କରାଯାଇ ନଥାଏ । ଏହାବ୍ୟତୀତ ଅନେକ ସମୟରେ ବୃତ୍ତି ପରୀକ୍ଷା ଲାଗି ମନୋନୀତ ହେଉଥିବା ଛାତ୍ରଛାତ୍ରୀ ବୃତ୍ତି ପରୀକ୍ଷାରେ ସଫଳତା ନପାଇବା ପରେ ସେମାନଙ୍କ ମାନସିକ ସ୍ତରରେ କିଛି ଚାପ ପଡ଼ୁଥିବା ଜଣାପଡ଼ିଛି । ଅଧିକାଂଶ ଛାତ୍ରଛାତ୍ରୀ ବହୁ ପରିଶ୍ରମ କରି ବୃତ୍ତି ପରୀକ୍ଷା ଲାଗି ମନୋନୀତ ହେବା ପରେ ସେମାନେ ବୃତ୍ତି ପରୀକ୍ଷାରେ ମଧ୍ୟ କୃତିତ୍ୱ ହାସଲ କରିବେ ବୋଲି ମାନସିକ ସ୍ତରରେ ଦୃଢ଼ ନିଶ୍ଚିତ ରହିଥାନ୍ତି । ମାତ୍ର ସେମାନଙ୍କ ରେଜଲ୍ଟ ପ୍ରକାଶ ପାଇବା ପରେ ସଫଳତା ପାଇନଥିବା ଜାଣି ମାନସିକ ସ୍ତରରେ ମଧ୍ୟ ଭାଙ୍ଗି ପଡ଼ିଥାନ୍ତି । କେଉଁ କାରଣରୁ ରେଜଲ୍ଟ ଖରାପ ହେଲା ସେ ସମ୍ପର୍କରେ ପରୀକ୍ଷାର୍ଥୀ ଏବଂ ଅଭିଭାବକମାନେ ଅବଗତ ହୋଇପାରି ନଥାନ୍ତି ।

Related Articles

Leave a Reply

Your email address will not be published.

Back to top button