ନୂଆ ରୂପ ନେବ ବେଦବ୍ୟାସ ପୀଠ

ଭୁବନେଶ୍ୱର: ନୂଆ ରୂପ ନେବ ବେଦବ୍ୟାସ ପୀଠ । ୧୫ ଦିନ ଭିତରେ ପ୍ରସ୍ତୁତ ହେବ ବିକାଶ ଖସଡ଼ା । ଜିଲ୍ଲାପାଳ ଏନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବେ । ଉକ୍ତ ମାଷ୍ଟର ପ୍ଲାନ ଅନୁସାରେ ପୀଠର ରୂପାନ୍ତର ହେବ । ଧାର୍ଯ୍ୟ ସମୟ ଭିତରେ ସରକାର ଏହି ପ୍ରକଳ୍ପ କରିବାକୁ ବଦ୍ଧପରିକର ବୋଲି ୫-ଟି ସଚିବ ଭିକେ ପାଣ୍ଡିଆନ୍ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶକ୍ରମେ ଶନିବାର ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ ରାଉରକେଲା ନିକଟସ୍ଥ ବେଦବ୍ୟାସ ପୀଠ ପରିଦର୍ଶନ କରିଥିଲେ । ୫-ଟି ଉପକ୍ରମରେ ପୀଠର ବିକାଶ ସମ୍ପର୍କରେ ଟ୍ରଷ୍ଟ ବୋର୍ଡର ସଭ୍ୟ,ସେବାୟତ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହ ସେ ଆଲୋଚନା କରିଥିଲେ । ଗଣମାଧ୍ୟମକୁ ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ ବେଦ ବ୍ୟାସ ଓଡ଼ିଶାର ଏକ ପ୍ରମୁଖ ତୀର୍ଥ ସ୍ଥାନ । ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଯାତ୍ରୀ ଏ ପୀଠକୁ ଆସିଥାନ୍ତି । ତେଣୁ ଏ ପୀଠର ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ନିଷ୍ଠାର ସହ ଉଦ୍ୟମ ଜାରି ରଖିଛନ୍ତି । ଏ ପୀଠର ରୂପାନ୍ତର କରି ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସରକାରଙ୍କ ଉଦ୍ୟମ ଜାରି ରହିବ । ପନ୍ଦର ଦିନ ମଧ୍ୟରେ ଏ ସମ୍ପର୍କରେ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରି ଜିଲ୍ଲାପାଳ ଦେବେ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ତାହା ଉପସ୍ଥାପନ ହେବ । ଅନୁମୋଦନ ପରେ ତାହା କାର୍ଯ୍ୟକାରୀ ହେବ । ବିଶେଷକରି ପୀଠରେ ଯାତ୍ରୀମାନଙ୍କ ପାଇଁ ବିଭିନ୍ନ ଭିତ୍ତିଭୂମି ସୁବିଧାର ବିକାଶ ସାଙ୍ଗକୁ ନଦୀ ସମୁଖ ଭାଗର ଉନ୍ନତୀକରଣ, ଯାତ୍ରୀ ନିବାସ ନିର୍ମାଣ, ଲାଇଟ୍ ଆଣ୍ଡ ଶୋ’ ଏବଂ ସ୍ୱର୍ଗଦ୍ୱାରର ବିକାଶ ଆଦି କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ୫-ଟି ସଚିବଙ୍କ ବେଦବ୍ୟାସ ପୀଠ ପରିଦର୍ଶନ ସମୟରେ ସୁନ୍ଦରଗଡ଼ ଜିଲ୍ଲାପାଳ ପରାଗ ଗଭାଲି ଓ ରାଉରକେଲା ମ୍ୟୁନିସିପାଲ୍ କମିଶନର ଶୁଭଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published.

Back to top button