ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ’ରେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର:  ଭୁବନେଶ୍ୱର ଜନତା ମଇଦାନ ଠାରେ ଶୁକ୍ରବାର ବିଜେପି ପକ୍ଷରୁ ଆୟୋଜିତ ‘ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ’ରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ମାନଙ୍କୁ ଦୁର୍ନୀତିଗ୍ରସ୍ତ ଓ ପ୍ରଚାରସର୍ବସ୍ୱ ସ୍ଥାନୀୟ ସରକାରର ଅସଲ ମୁଖା ନ ଖୋଲିବା ପର୍ଯ୍ୟନ୍ତ ବିଶ୍ରାମ ନନେବା ପାଇଁ ଗୁରୁମନ୍ତ୍ର ଦେଇଛନ୍ତି ।  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଜୀଙ୍କ ଉପସ୍ଥିତିରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ଥାନୀୟ ସରକାରର ଅନ୍ୟାୟ, ଅତ୍ୟାଚାର, କୁଶାସନ ତଥା ପ୍ରଚାରସର୍ବସ୍ୱ ସରକାରର ମୁଖା ନ ଖୋଲିବା ପର୍ଯ୍ୟନ୍ତ ଆମେ ବିଜେପିର ମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନେ ବିଶ୍ରାମ ନେବା ନାହିଁ । ଯେ ପର୍ଯ୍ୟନ୍ତ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ପରିଶ୍ରମ ବଢ଼ାଇବେ ନାହିଁ, ଓଡ଼ିଶାର ଭାଗ୍ୟ ସେ ପର୍ଯ୍ୟନ୍ତ ବିକଶିତ ହୋଇପାରିବ ନାହିଁ । ଏହା ମୋର୍ଚ୍ଚା ପାଖରୁ ଗୁରୁ ଅପେକ୍ଷା ରଖାଯାଇଛି । ଦଳର ୭ଟି ମୋର୍ଚ୍ଚା ଯଥା କୃଷକ, ମହିଳା, ଯୁବ, ଏସସି, ଏସଟି, ଓବିସି ଓ ସଂଖ୍ୟାଲଘୁ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କୁ ସେମାନଙ୍କର ଦାୟିତ୍ୱ ପ୍ରଥମେ ବୁଝିବାକୁ ହେବ । ପାର୍ଟିର ନୀତି ଆଦର୍ଶ ଆଧାରରେ ମୋଦି ସରକାରରେ କ୍ରିୟାନ୍ୱୟନ ହେଉଥିବା ସମସ୍ତ ଯୋଜନା ଗୁଡ଼ିକୁ ରାଜ୍ୟର ଘରେ ଘରେ ପହଞ୍ଚାଇବା ପାଇଁ ପଡ଼ିବ । ଦଳ ଅପେକ୍ଷା ଏହାର ଅଧିକ ଦାୟିତ୍ୱ ମୋର୍ଚ୍ଚାର । ଅଧିକ ପରିଶ୍ରମ କରି ନୂଆ ଲୋକଙ୍କୁ ଦଳ ସହ ଯୋଡିବାକୁ ହେବ । ନୂଆ ନେତୃତ୍ୱ ସୃଷ୍ଟି କରିବାକୁ ହେବ । ମୋର୍ଚ୍ଚା ମାନେ ହିଁ ଦଳୀୟ ନେତୃତ୍ୱକୁ ତିଆରି କରିବାର ପ୍ରଥମ ପାଠଶାଳା । ଏହି ପାଠଶାଳାରେ ନୂଆ ଏନରୋଲମେଣ୍ଟ ତଥା ନାମଲେଖା କରିବା ମୋର୍ଚ୍ଚା ଗୁଡ଼ିକର ଦାୟିତ୍ୱ । ରାଜ୍ୟ ସରକାର ଚାଷୀଙ୍କୁ ଦେଉଥିବା ପ୍ରତିଶ୍ରୁତି ପାଳନ ହେଉନାହିଁ । ଗଲା ନିର୍ବାଚନ ସମୟରେ ରାଜ୍ୟ ସରକାର ଚାଷୀଙ୍କ ପାଇଁ ଘୋଷଣା କରିଥିବା ୧୦ ହଜାର ଟଙ୍କା କୁଆଡେ ଗଲା ? ପ୍ରଧାନମନ୍ତ୍ରୀ ମୋଦି କୃଷିଜାତ ସାମଗ୍ରୀ ପାଇଁ ଦେଉଥିବା ଏମଏସପିର ଉଚିତ୍ ମୂଲ୍ୟ ଚାଷୀଙ୍କୁ ମିଳୁନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ପ୍ରଧାନମନ୍ତ୍ରୀ ପଠାଉଛନ୍ତି କିନ୍ତୁ ରାଜ୍ୟ ସରକାର ଭାରତ ସରକାରଙ୍କୁ ଦେଉଥିବା ଚାଷୀ ତାଲିକାରେ ତାରତମ୍ୟ ରହୁନାହିଁ । କୃଷକ ମୋର୍ଚ୍ଚା ବାରମ୍ବାର ସରକାରଙ୍କୁ ଏହା ପ୍ରଶ୍ନ ପଚାରିବା ସହ ସବୁ ଚାଷୀଙ୍କ ପାଖରେ କଥାକୁ ପହଞ୍ଚାଇବା ଦରକାର । ସେହିପରି ମାତୃ ଓ ଶିଶୁ ମୃତ୍ୟୁହାରରେ ଓଡ଼ିଶା ଆଗରେ ରହିଛି । ଗର୍ଭବତୀ ମହିଳାମାନେ ଖଟିଆରେ ବୁହା ହେଉଛନ୍ତି । ଏ ସରକାର ବାହାପିଆ ନୀତି ଆପଣାଇଛି । ଧୃତରାଷ୍ଟ୍ର ଦୋଷରେ ଗ୍ରସିତ ସରକାର ଆଖିରେ ଅନ୍ଧପୁଟୁଳି ବାନ୍ଧିଛି । ପିଏମ ଆବାସ ଯୋଜନାରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ଯୁବକମାନେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ, ଯେ ପଛୁଆ ଜାତିର ଲୋକଙ୍କୁ ସ୍ୱୀକୃତି ଦେଉନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button