ଆଇଆଇଏମ ସମ୍ବଲପୁରର ୧୧ତମ ପ୍ରତିଷ୍ଠା ଦିବସ ଉତ୍ସବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଆଇଆଇଏମ, ସମ୍ବଲପୁର ଧୀରେ ଧୀରେ ବଟ୍ଟବୃକ୍ଷର ରୂପ ନେବା ଆରମ୍ଭ କରିଛି । ବିଶେଷ ଭାବରେ ଏହା ଆଗାମୀ ଦିନରେ ଓଡ଼ିଶା ସମେତ ଭାରତବର୍ଷର ବୌଦ୍ଧିକ ଓ ବ୍ୟବସାୟିକ ଆବଶ୍ୟକତାକୁ ପୂରଣ କରିବ ବୋଲି ଗୁରୁବାର ଦଶହରା ଅବସରରେ ଆଇଆଇଏମ୍, ସମ୍ବଲପୁରର ୧୧ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ ଉଦ୍ୟମିତା ବିକାଶ କାର୍ଯ୍ୟକ୍ରମରେ ମାଷ୍ଟର ବୁଣାକାରଙ୍କୁ ପ୍ରମାଣ ପତ୍ର ବିତରଣ କରିଥିଲେ । ସେ କହିଛନ୍ତି ଯେ ବର୍ତ୍ତମାନ ଆଇଆଇଏମର ପରିସର ବୃଦ୍ଧି ପାଉଛି । ନିକଟରେ ନୂଆ ଯୁଗର ଆବଶ୍ୟକତାକୁ ଦେଖି ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଦୁଇଟି ନୂତନ ସ୍ନାତକ ପାଠ୍ୟକ୍ରମ ଯଥା ବ୍ୟାଚଲର ଅଫ୍ ସାଇନ୍ସ ଇନ୍ ମ୍ୟାନେଜମେଣ୍ଟ ଆଣ୍ଡ୍ ପବ୍ଲିକ ପଲିସି ଆଣ୍ଡ୍ ବ୍ୟାଚଲର ଅଫ୍ ସାଇନ୍ସ ଇନ୍ ଡାଟା ସାଇନ୍ସ ଆଣ୍ଡ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆରମ୍ଭ କରାଯାଇଛି । ଅପରପକ୍ଷରେ ଆଇଆଇଏମ ଦ୍ୱାରା ସ୍ଥାନୀୟ ବୁଣାକାରମାନଙ୍କୁ ସିଧାସଳଖ ବ୍ୟବସାୟ ସହ ଯୋଡ଼ିବା ଏବଂ ସେମାନଙ୍କ ଦକ୍ଷତା ବଢାଇବା ପାଇଁ ଏକ ତିନି ବର୍ଷିଆ ଯେଉଁ ବିଶେଷ କାର୍ଯ୍ୟକ୍ରମ ହୋଇଥିଲା, ତାହାର ଆଜି ସମାପନ ହୋଇଛି । ଆଜି ପ୍ରତିଷ୍ଠା ଦିବସରେ ଏହି କାର୍ଯ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଥିବା ୫୦ରୁ ଅଧିକ ବୁଣାକାରଙ୍କୁ ଆଇଆଇଏମ ତରଫରୁ ଦକ୍ଷତା ପ୍ରମାଣପତ୍ର ପ୍ରଦାନ କରାଯାଇଛି । ତେବେ କେବଳ ବୁଣାକାର ନୁହେଁ, ନ୍ୟୁ ଏଜ୍ ଇକୋନୋମୀ ସମୟରେ କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କ୍ଷେତ୍ରର ବ୍ୟବସାୟୀଙ୍କ ଦକ୍ଷତା ବଢାଇବା ପାଇଁ ପ୍ରଶିକ୍ଷଣ ଦେବା ଦିଗରେ ଯୋଜନା କରିବା ପାଇଁ ଆଇଆଇଏମକୁ ପ୍ରସ୍ତାବ ଦେଇଛନ୍ତି ଶ୍ରୀ ପ୍ରଧାନ । ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳର ଚାଷୀ ଏବଂ ସବୁ ବର୍ଗର ବ୍ୟବସାୟୀଙ୍କୁ ଆଇଆଇଏମ ସହ ଯୋଡ଼ି ଏକ ନୂଆ ‘ଭାଲ୍ୟୁ ଚେନ୍’  ସୃଷ୍ଟି କରାଯିବାର କଳ୍ପନା ରହିଛି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଆଇଆଇଏମ୍ ସମ୍ବଲପୁର ଭଳି ଅନୁଷ୍ଠାନଗୁଡ଼ିକ ଚାକିରି ଅନୁସନ୍ଧାନରେ ନରହି ଚାକିରି ଦେବା ପାଇଁ ନୂଆ ଉଦ୍ୟୋଗୀ ସୃଷ୍ଟି କରିବା ଉଚିତ୍ । ସେ କହିଥିଲେ, ଆମର ଶିକ୍ଷାନୁଷ୍ଠାନଗୁଡ଼ିକ ଏକଚାଟିଆ ନିୟମ ଅନୁସରଣ କରିବା ଉଚିତ୍ ନୁହେଁ ବରଂ ଉତ୍କର୍ଷତାର ନୂତନ ମାନଦଣ୍ଡ ସ୍ଥାପନ କରିବା ଉଚିତ । ଆମର ଜ୍ଞାନ ବ୍ୟବସ୍ଥାକୁ ସମୃଦ୍ଧ କରିବା ସହିତ ଛାତ୍ରଛାତ୍ରୀଙ୍କୁ ବ୍ୟାବହାରିକ ଶିକ୍ଷା ସହ ଦକ୍ଷତା ପ୍ରଦାନ କରିବା ଉଚିତ୍ । ଏହା ଦ୍ୱାରା ସେମାନେ ଭାରତୀୟ ଏବଂ ବିଶ୍ୱ ବଜାରରେ ସୃଷ୍ଟି ହେଉଥିବା ଜଟିଳ ସମସ୍ୟାର ସମାଧାନ କରିପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button