ମାଲକାନଗିରି ବିମାନ ବନ୍ଦରରେ ଟ୍ରାଏଲ ରନ୍ ସଫଳ

ଭୁବନେଶ୍ବର: ମାଲକାନଗିରି ବିମାନ ବନ୍ଦରକୁ ବିମାନର ଟ୍ରାଏଲ ରନ୍ ସଫଳ ହୋଇଛି । ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ବିମାନ ବନ୍ଦର ଲୋକାର୍ପଣ କରିବେ । ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ମାଲକାନଗିରି ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ବିମାନ ବନ୍ଦର ଉଦ୍‌ଘାଟନ ସହ ନୂତନ ବିମାନ ଚଳାଚଳର ଶୁଭାରମ୍ଭ କରିବେ ।
ତେବେ ବିମାନ ଉଡ଼ାଣ ପୂର୍ବରୁ ଆଜି ମାଲକାନଗିରି ବିମାନ ବନ୍ଦରରେ ଟ୍ରାଏଲ ରନ୍ ସଫଳ ହୋଇଛି । ନୂଆ ବିମାନ ବନ୍ଦରରେ ପରୀକ୍ଷାମୂଳକ ଭାବେ ‘ଭିଟି ୧୦୦’ ବିମାନ ଅବତରଣ କରିଥିଲା । ଅବତରଣ ପରେ ପାଇଲଟ୍ ବିମାନ ବନ୍ଦରର ଯାଞ୍ଚ କରିବା ସହ ବିମାନ ବନ୍ଦର ପ୍ରସ୍ତୁତିକୁ ପ୍ରଶଂସା କରିଥିଲେ ।
ଉଲ୍ଲେଖଯୋଗ୍ୟ ଯାତ୍ରୀବାହୀ ବିମାନ ସେବା ଆରମ୍ଭ ପାଇଁ ମାଲକାନଗିରି ବିମାନବନ୍ଦରରେ ସମସ୍ତ କାର୍ଯ୍ୟ ପ୍ରାୟ ଶେଷ ହୋଇଛି । ଏଠାରେ ୧୫୦୦/୩୦ ମିଟର ରନୱେ, ପାଚେରୀ, ଏଟିସି ଟାୱାର, ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ ସରିଛି । ପ୍ରଥମ ପର୍ଯ୍ୟାୟରେ ଏଠାରୁ ୯ ଆସନ ବିଶିଷ୍ଟ ବିମାନ ସେବା ଆରମ୍ଭ ହେବା ସମ୍ଭାବନା ଅଛି ଏବଂ ପରବର୍ତ୍ତୀ ସମୟରେ ବଡ଼ ବିମାନ ଚଳାଚଳ କରିବ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପକ୍ଷରୁ ମାଲକାନଗିରି ବିମାନବନ୍ଦର କାର୍ଯ୍ୟକ୍ଷମ କରିବା ଲାଗି ସମସ୍ତ ବୈଷୟିକ ସହାୟତା ପ୍ରଦାନ କରାଯାଉଛି ।
ଚଳିତ ବର୍ଷ ମେ’ ମାସରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ମାଲକାନଗିରି ଗସ୍ତ ସମୟରେ କୋଟେଲଗୁଡ଼ା ଠାରେ ଥିବା ଏହି ବିମାନବନ୍ଦରର ସମ୍ପ୍ରସାରଣ କାର୍ଯ୍ୟ ଅନୁଧ୍ୟାନ କରିବା ସହିତ ଜାନୁଆରୀ ମାସ ସୁଦ୍ଧା କାମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଭୁବନେଶ୍ୱର, ଝାରସୁଗୁଡ଼ା, ଜୟପୁର, ଉତ୍‌କେଲା, ରାଉରକେଲା ପରେ ମାଲକାନଗିରି ବିମାନ ଉଡ଼ାଣ ସୂଚୀରେ ସାମିଲ ହେବାକୁ ଯାଉଛି । ମାଲକାନଗିରି ଭଳି ଉପାନ୍ତ ଜିଲ୍ଲାକୁ ବିମାନ ସେବା ଆରମ୍ଭ ହେଲେ ସେଠାରେ ଲୋକଙ୍କ ସାମାଜିକ ଓ ଆର୍ôଥକ ବିକାଶ ତ୍ୱରାନ୍ୱିତ ହେବ । ପୁଞ୍ଜିନିବେଶ ସୁଯୋଗ ସୃଷ୍ଟି ହେବା ସହ ଲୋକଙ୍କୁ କର୍ମନିଯୁକ୍ତି ମିଳିବ ।

Related Articles

Leave a Reply

Your email address will not be published.

Back to top button