ଆରମ୍ଭ ହେଲା ଭୋଟର ପଞ୍ଜିକରଣ ଅଧିକାରୀଙ୍କ ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ପାଇଁ ନିର୍ବାଚନ କାର୍ଯ୍ୟ ପରିଚାଳନା ନିମନ୍ତେ ନିଯୁକ୍ତି ପାଇଥିବା ଭୋଟର ପଞ୍ଜିକରଣ ଅଧିକାରୀ/ସହକାରୀ ଭୋଟର ପଞ୍ଜିକରଣ ଅଧିକାରୀମାନଙ୍କର ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ ସ୍ଥାନୀୟ ଏସ୍‌.ଆଇ.ଆର୍‌.ଡି ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଆନୁଷ୍ଠାନିକ ଭାବେ ତାଲିମ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ଯେଉଁ ପ୍ରଶାସନିକ ଅଧିକାରୀମାନେ ପୂର୍ବରୁ ନିର୍ବାଚନ କାର୍ଯ୍ୟରେ ଅଂଶଗ୍ରହଣ କରିନାହାନ୍ତି କିମ୍ବା ଭୋଟର ପଞ୍ଜିକରଣ କାର୍ଯ୍ୟ କରି ନାହାନ୍ତି, ମୁଖ୍ୟତଃ ସେହି ଅଧିକାରୀମାନଙ୍କୁ ଭୋଟର ପଞ୍ଜିକରଣ ସହ ନିର୍ବାଚନ ପରିଚାଳନା ସଂପର୍କରେ ବିସ୍ତୃତ ଭାବେ ତାଲିମ ପ୍ରଦାନ କରାଯାଇଛି। ଏତଦ୍‌ବ୍ୟତୀତ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ବାଚନ ପରିଚାଳନା ସଂପର୍କିତ ଜାରି କରାଯାଉଥିବା ନିର୍ଦ୍ଦେଶନାମା ଓ ନୂତନ ଆଇନକାନୁନ୍‌ ସଂପର୍କରେ ଅଧିକାରୀମାନଙ୍କୁ ପ୍ରାଞ୍ଜଳ ଭାବେ ତାଲିମ ଦିଆଯାଇଛି। ଫଳରେ ଆଗାମୀ ଦିନରେ ଏହି ଅଧିକାରୀମାନେ ନିର୍ବାଚନ ପରିଚାଳନାବେଳେ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି। ଏହି ତାଲିମ କାର୍ଯ୍ୟକ୍ରମକୁ ଜାତୀୟ ସ୍ତରୀୟ ପ୍ରଶିକ୍ଷକ ତଥା ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ରାଜ୍ୟ ସ୍ତରୀୟ ପ୍ରଶିକ୍ଷକ ତଥା ଝାରସୁଗୁଡ଼ା ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ, ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ, ଭଦ୍ରକ ଉପଜିଲ୍ଲାପାଳ ମନୋଜ କୁମାର ପାତ୍ର, ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶଙ୍କ ସମେତ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟର ଏଏସ୍‌ଇ ଇଦି୍ରଶ୍‌ ଅଲ୍ଲିଖାନ୍‌, ଏଏସ୍‌ଇ ରାମକୃଷ୍ଣ ଟୁଙ୍ଗା, ଦେବରାଜ ବେହେରା ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗଦେଇ ଅଧିକାରୀମାନଙ୍କୁ ନିର୍ବାଚନ ପରିଚାଳନା ସଂପର୍କରେ ବିଭିନ୍ନ କ୍ଷେତ୍ରରେ ସଠିକ୍‌ ମାର୍ଗଦର୍ଶନ କରାଇଥିଲେ।

Related Articles

Leave a Reply

Your email address will not be published.

Back to top button