ମାଟ୍ରିକ୍ ମୂଲ୍ୟାୟନରେ ନିୟୋଜିତ ହେବେ ୧୩ ହଜାର ଶିକ୍ଷକ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ସଦ୍ୟ ସମାପ୍ତ ମାଟ୍ରିକ୍ ପରୀକ୍ଷା, ସଂସ୍କୃତ ମଧ୍ୟମା ଏବଂ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ଖାତାଦେଖା ଆସନ୍ତା ଏପ୍ରିଲ୍ ୩ ତାରିଖରୁ ଆରମ୍ଭ ହେବ । ମୂଲ୍ୟାୟନ ପ୍ରକ୍ରିୟାରେ ପ୍ରାୟ ୧୩ ହଜାର ଶିକ୍ଷକ ନିୟୋଜିତ ହେବେ । ସେମାନଙ୍କ ମଧ୍ୟରୁ ୧୨ହଜାର ୪ଶହ ଖାତାଦେଖା ପାଇଁ ଓ ମୂଲ୍ୟାୟନ ପ୍ରକ୍ରିୟା ଯାଞ୍ଚ୍ ପାଇଁ ପୃଥକ ଭାବେ ଆଉ ୬ ଶହ ଶିକ୍ଷକ ରହିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୂଲ୍ୟାୟନ ବ୍ୟବସ୍ଥାରେ ୫୫ ଜଣ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ୍, ୫୫ କ୍ୟାମ୍ପ ଅଫିସର, ୨୨୦ କ୍ୟାମ୍ପସ୍ ଆସିଷ୍ଟାଣ୍ଟ୍ ଏବଂ ୧୬୫ ଜଣଙ୍କୁ କ୍ୟାମ୍ପ ଆଟେଣ୍ଡାଣ୍ଟ୍ ଭାବେ ନିୟୋଜିତ ହେବ । ବୋର୍ଡ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ୬ଟି ଯାକ ସବଜେକ୍ଟିଭ୍ ବିଷୟ ପରୀକ୍ଷାର ଉତ୍ତର ଖାତା ଦେଖିବା ଲାଗି ୧୨ ହଜାର ୪ ଶହ ଶିକ୍ଷକଙ୍କୁ ନିୟୋଜିତ କରାଯାଉଛି । ମୂଲ୍ୟାୟନ ପ୍ରକ୍ରିୟାରେ ନିୟୋଜିତ ଶିକ୍ଷକମାନେ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ମାଧ୍ୟମରେ ବୋର୍ଡର ୱେବ୍ସାଇଟ୍ରୁ ନିଯୁକ୍ତି ପତ୍ର ଡାଉନ୍ଲୋଡ୍ କରି ମୂଲ୍ୟାୟନ କେନ୍ଦ୍ରରେ ଉପସ୍ଥିତ ହେବେ । ରାଜ୍ୟବ୍ୟାପୀ ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ୧୦ରୁ ୧୨ ଦିନ ପର୍ୟ୍ୟନ୍ତ ଚାଲିବ ।