ଜମି ଅଛି, ବୃକ୍ଷ ଶୂନ

ଭୁବନେଶ୍ୱର : ଗତ ପାଞ୍ଚ ବର୍ଷ ଭିତରେ ରାଜ୍ୟରେ ୪,୫୫,୮୬୬ ହେକ୍ଟର ଜମିରେ ହୋଇଥିଲା ବୃକ୍ଷରୋପଣ । ଏହି ବାବଦରେ ବ୍ୟୟ ହୋଇଥିଲା ମୋଟ୍ ୧୨୯୮ କୋଟି ୨୬ ଲକ୍ଷ ୯୮ ହଜାର ଟଙ୍କା । ହେଲେ ଅଧିକାଂଶ ଜିଲ୍ଲାରେ ଚାରା ଗାଏବ । ଗଲା କୁଆଡ଼େ ।
କାଗଜ କଲମରେ ଦର୍ଶଯାଇଥିବା ସ୍ଥାନରେ ବି ବୃକ୍ଷ ଶୂନ । ଫଳରେ ପରିବେଶ ସନ୍ତୁଳନ ନେଇ ଜଙ୍ଗଲ ଓ ପରିବେଶ ବିଭାଗ ଯେଉଁ ଲକ୍ଷ୍ୟ ରଖିଥିଲା ତାହା ଚିତପଟାଙ୍ଗ ମାରିଛି । ବନୀକରଣ ଯୋଜନାରେ ହେରଫେର୍ ଅଭିଯୋଗର ସତ୍ୟାସତ୍ୟ ବି ସରକାର ହୃଦବୋଧ କରିଛନ୍ତି । କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର, ସୁନ୍ଦରଗଡ଼, ସୋନପୁର, ଅନଗୁଳ, ମୟୁରଭଞ୍ଜ, ଗଜପତି ଆଦି ଜିଲ୍ଲାରେ ବୃକ୍ଷରୋପଣ ଘୋଟଲା ହୋଇଥିବାର ଅଭିଯୋଗ ଆସିବା ପରେ ସରକାର ଭିଜିଲାନ୍ସ ଚଢ଼ାଉ ପାଇଁ ନିର୍ଦ୍ଦେଶ ଦେଇଥିଲେ ଓ ପ୍ରମାଣ ଆଧାରରେ କୋରାପୁଟ, କେନ୍ଦୁଝର ଜିଲ୍ଲାରେ ଚଢ଼ାଉ ହୋଇଥିଲା । ଡିସେମ୍ବର ସୁଦ୍ଧା ଜୟପୁର ବନଖଣ୍ଡରେ ୨ ଜଣ ଓ କେନ୍ଦୁଝର ବନଖଣ୍ଡରେ ଜଣେ କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ ହେଲା । ମାତ୍ର କୌଣସି କର୍ମଚାରୀ ଗିରଫ ହେଲେ ନାହିଁ ।
ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯେ ଜଙ୍ଗଲ ବିଭାଗ କହୁଛି ବନୀକରଣରେ ଲଗାଯାଇଥିବା ଗଛ ମଧ୍ୟରୁ ହାରାହାରି ୮୪ ପ୍ରତିଶତ ବଞ୍ଚିଛି । ସମ୍ପୃକ୍ତ ବିଭାଗ କହିଛି ଯେ, ବୃକ୍ଷରୋପଣ ବାବଦରେ ସର୍ବାଧିକ ୧୪୩ କୋଟି ୭୭ଲକ୍ଷ ଟଙ୍କା କଳାହାଣ୍ଡି ଜିଲ୍ଲାରେ ବ୍ୟୟ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ଦ୍ୱିତୀୟ ସର୍ବାଧିକ ୧୩୮ କୋଟି ୬୭ ଲକ୍ଷ ଟଙ୍କାର ଗଛ ଲାଗିଛି । ଲଗାଯାଇଥିବା ଚାରା ମଧ୍ୟରୁ କୋରାପୁଟ ଜିଲ୍ଲାରେ ମାତ୍ର ୫୬ ପ୍ରତିଶତ ବଞ୍ଚିଥିବା ବେଳେ ଢେଙ୍କାନାଳରେ ୬୭ ପ୍ରତିଶତ ଓ ଗଞ୍ଜାମରେ ୭୨ ପ୍ରତିଶତ ଚାରା ବଞ୍ଚିଛି । ୯୦ ପ୍ରତିଶତରୁ ଅଧିକା ଚାରା ବଞ୍ଚିଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ବାଲେଶ୍ୱର, ଭଦ୍ରକ, ବଲାଙ୍ଗୀର, ଗଜପତି, କେନ୍ଦୁଝର, ନୟାଗଡ଼, ପୁରୀ ଓ ସୁବର୍ଣ୍ଣପୁର । ତେବେ ନୂଆପଡା ଜିଲ୍ଲାରେ ,କ୍ଷ ସର୍ବାଧିକ ୧୧ କୋଟି ୩୫ ଲକ୍ଷ ଚାରା ଲାଗିଛି । ଅନ୍ୟପକ୍ଷରେ କୋରାପୁଟ, ସୁନ୍ଦରଗଡ଼, କଳାହାଣ୍ଡି ଜିଲ୍ଲାରେ ରୋପଣ ଚାରାର ସଂଖ୍ୟା ୧ କୋଟିରୁ ଅଧିକ ରହିଛି । ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟରେ ସୁବର୍ଣ୍ଣପୁରରେ ୭୦ କୋଟି ୯୨ ଲକ୍ଷ ଟଙ୍କା, କନ୍ଧମାଳରେ ୭୧ କୋଟି ୬୬ ଲକ୍ଷ ଟଙ୍କା, ଗଞ୍ଜାମରେ ୮୬ କୋଟି ୫୧ ଲକ୍ଷ ଟଙ୍କା, ଢେଙ୍କାନାଳରେ ୬୬ କୋଟି ୨୫ ଲକ୍ଷ, ନୟାଗଡ଼ରେ ୬୩କୋଟି ୧୯ଲକ୍ଷ, କୋରାପୁଟରେ ୫୬କୋଟି ୪୫ ଲକ୍ଷ, କେନ୍ଦୁଝରରେ ୬୬ କୋଟି ୪୯ଲକ୍ଷ, ଢେଙ୍କାନାଳରେ ୬୬ କୋଟି ୨୫ ଲକ୍ଷ, ବଲାଙ୍ଗୀରରେ ୫୫ କୋଟି ୫୬ଲକ୍ଷ, ଅନୁଗୁଳରେ ୫୪କୋଟି ୪୬ ଲକ୍ଷ, ନୂଆପଡ଼ାରେ ୪୦ କୋଟି ୭୬ଲକ୍ଷ ଟଙ୍କା ବୃକ୍ଷରୋପଣ ବାବଦରେ ବ୍ୟୟ ହୋଇଛି । ସବୁଠାରୁ କମ୍ ମାତ୍ର ୨ କୋଟି ୨୫ ଲକ୍ଷ ଟଙ୍କା ବାଲେଶ୍ୱର ଜିଲ୍ଲାରେ ଖର୍ଚ୍ଚ ହୋଇଛି । ତେବେ ଜଗତସିଂହପୁର ଜିଲ୍ଲାରେ ବୃକ୍ଷରୋପଣ ବାବଦରେ ୮ କୋଟି ୪୯ ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ୬ କୋଟି ଟଙ୍କାର ଗଛ ଲାଗିଛି । ଭଦ୍ରକରେ ୨ କୋଟି ୩୩ ଲକ୍ଷ ଓ ପୁରୀ ଜିଲ୍ଲାରେ ୯ କୋଟି ୫୧ ଲକ୍ଷ ଟଙ୍କା ବ୍ୟୟ ହୋଇଛି । ଏହି ଅର୍ଥରେ ୨୭ କୋଟି ୨୩ଲକ୍ଷ ୩୫ହଜାରଟି ଚାରାରୋପଣ କରାଯାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି ।
ହେଲେ ବାସ୍ତବରେ ତାହା ଭିନ୍ନ ବୋଲି ଅଭିଯୋଗ ହୋଇଛି । ଅର୍ଥାତ ଜମି ଅଛି, ବୃକ୍ଷ ଶୂନ । ଏନେଇ ପୁଣି ଥରେ ତଦନ୍ତ କରାଯାଉ ବୋଲି ସଚେତକ ମହଲରେ ଦାବି ହୋଇଛି ।

Related Articles

Leave a Reply

Your email address will not be published.

Back to top button