ପଡ଼ୋଶୀଙ୍କ ଛାତକୁ ଡେଇଁ ଫେରାର କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର: ଭିଜିଲାନ୍ସ ଟିମ୍‌କୁ ସକାଳୁ ସକାଳୁ ନିଜ ଘର ସମ୍ମୁଖରେ ଦେଖି ଛାତ ଡେଇଁ ଛୁ ମାରିଲେ କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀ। ଭିଜିଲାନ୍ସ ଟିମ୍‌ ତାଙ୍କ ଘରେ ଚଢ଼ାଉ କରିଥିଲେ ବି ତାଙ୍କ ପତ୍ତା ପାଇ ପାରି ନାହାନ୍ତି। ଏପରି ଫିଲ୍ମି ସିନ୍‌ ଆଜି ସକାଳେ ରାଜଧାନୀ ଭୁବନେଶ୍ୱରର ଜାଗମରାରେ ଦେଖିବାକୁ ମିଳିଛି। ଭିଜିଲାନ୍ସ ପଞ୍ଝାରୁ ଖସି ଯାଇଥିବା କନିଷ୍ଠ ଯନ୍ତ୍ରୀଜଣକ ଭୁବନେଶ୍ୱର RWS&Sର କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀ ବୋଲି ଜଣାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ସକାଳୁ ଭିଜିଲାନ୍ସ ଟିମ୍‌ ସୁନୀଲଙ୍କ ଜାଗମରାସ୍ଥିତ ଘରେ ପହଞ୍ଚିଥିଲା। ମାତ୍ର ଘର ବାହାରେ ଭିଜିଲାନ୍ସ ଟିମ୍‌କୁ ଦେଖି ନିଜ ଛାତ ଉପରକୁ ଚାଲି ଯାଇଥିଲେ ସୁନୀଲ। ଏହାପରେ ପଡ଼ୋଶୀଙ୍କ ଛାତକୁ ଡେଇଁ ଫେରାର ହୋଇ ଯାଇଥିଲେ। ଭିଜିଲାନ୍ସ ଅଧିକାରୀଙ୍କ ଆଖି ସାମନାରେ ସବୁ ଘଟି ଯାଇଥିଲେ ବି ସେମାନେ ଯନ୍ତ୍ରୀଙ୍କୁ କିନ୍ତୁ କାବୁ କରି ପାରି ନାହାନ୍ତି। ଭୁବନେଶ୍ୱରସ୍ଥିତି ଭିଜିଲାନ୍ସ ଜଜ୍‌ଙ୍କ ଦ୍ୱାରା ଜାରି ସମନ ଅନୁଯାୟୀ, ଆଜି ସକାଳୁ ସୁନୀଲ କୁମାର ପାଢ଼ୀଙ୍କ ଘର ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୬ ଜଣ ଡିଏସ୍‌ପି, ୩ ଜଣ ଇନ୍ସପେକ୍ଟର, ୭ ଜଣ ଏଏସ୍‌ଆଇ ପ୍ରମୁଖ ସାମିଲ ହୋଇଛନ୍ତି। ସୁନୀଲଙ୍କର ଜାଗମରାର ପାଢ଼ୀ ଭିଲ୍ଲାରେ ଥିବା ଏକ ୩ ମହଲା କୋଠା, ଗଞ୍ଜାମ ଜିଲ୍ଲା ଆସିକାରେ ଥିବା ମାର୍କେଟ କମ୍ପ୍ଲେକ୍ସ, ଆସିକାର ସୁନାମ୍ବୋରେ ଥିବା ପୈତୃକ ଘର, ଭଞ୍ଜନଗରରେ ଥିବା ସମ୍ପର୍କୀୟଙ୍କ ଘର, ଭୁବନେଶ୍ୱରରେ ଥିବା ତାଙ୍କ ଅଫିସ ଚାମ୍ବରରେ ଏକକାଳୀନ ଚଢ଼ାଉ କରାଯାଇଛି।

Related Articles

Leave a Reply

Your email address will not be published.

Back to top button