ମହିଳା ଓ ଶିଶୁ ସୁରକ୍ଷା ନେଇ ରାଜ୍ୟ ସରକାର ନେଲେ ବଡ଼ ପଦକ୍ଷେପ

ଭୁବନେଶ୍ୱର: ମହିଳା ଓ ଶିଶୁ ସୁରକ୍ଷା ନେଇ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ପାରା ଲିଗାଲ ଭଲ୍ୟୁଣ୍ଟର । ଏମାନେ ମହିଳା ବିରୋଧୀ ଅପରାଧ ହେଲେ ପୀଡ଼ିତାଙ୍କୁ ପ୍ରାରମ୍ଭିକ ନ୍ୟାୟିକ ସାହାଯ୍ୟ କରିବେ। ଏ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ସହ ଆଇନ ବିଭାଗର ବୈଠକ ହୋଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଥିପାଇଁ ଆଲୋଚନା ହୋଇଛି । ବୈଠକରେ ଆଇନ ମନ୍ତ୍ରୀ, ଲିଗାଲ ସର୍ଭିସ ଅଥରିଟିର ଅଧିକାରୀ ଉପସ୍ଥିତ ଥିଲେ । ଗାଁରେ ରହୁଥିବା ସାଧାରଣ ପରିବାର ଓ ଜନଜାତି ପରିବାରଙ୍କୁ ନ୍ୟାୟିକ ଅଧିକାର ଦେବାକୁ ସରକାର ଗୁରୁତ୍ୱ ଦେଉଛନ୍ତି । ଏହି ଅଧିକାର ବାବଦରେ ସାଧାରଣ ମହିଳାଙ୍କୁ ସଚେତନତା କରିବେ ସରକାର। ଏହି କାମରେ ଅଙ୍ଗନବାଡି କର୍ମୀଙ୍କୁ ମଧ୍ୟ ସାମିଲ କରାଯିବ। କୌଣସି ମହିଳା ନିର୍ଯାତନା କିମ୍ବା ଘରୋଇ ହିଂସାର ଶିକାର ହେଲେ ପ୍ରଥମେ ପାରା ଲିଗାଲ ଭଲ୍ୟଣ୍ଟରଙ୍କୁ ଜଣାଇବେ। ନ୍ୟାୟିକ ଦିଗ ନେଇ ଭଲ୍ୟୁଣ୍ଟର ପୀଡିତାଙ୍କୁ ସାହାଯ୍ୟ କରିବେ। ସମସ୍ୟାକୁ ଥାନା ଓ କୋର୍ଟ ପର୍ଯ୍ୟନ୍ତ ପହଞ୍ଚାଇବେ। ଆଗକୁ ଏହି କାର୍ଯ୍ୟକ୍ରମ ପଞ୍ଚାୟତିରାଜ ଓ ଏସସିଏସଟି ବିଭାଗକୁ ଯୋଡ଼ାଯିବ ।