ସୋମବାରଠୁ ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିବ ଦ୍ବିତୀୟ ବିମାନ

ଭୁବନେଶ୍ୱର : ଓଡ଼ିଶାରେ ବିମାନ ସେବାର ସଂପ୍ରସାରଣ ହେବ । ବିମାନ ଯୋଗେ ଯୋଗାଯୋଗ ବ୍ୟବସ୍ଥା ଆହୁରି ଉନ୍ନତ ହେବ । ଚଳିତ ମାସ ୬ ତାରିଖରୁ ଭୁବନେଶ୍ୱରରୁ ଜୟପୁର ଦ୍ୱିତୀୟ ସିଧାସଳଖ ବିମାନସେବା ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ଆର୍ଥିକ ସହଯୋଗରେ ଇଣ୍ଡିଆ ୱାନ ବିମାନ କମ୍ପାନୀ ପ୍ରତି ସପ୍ତାହରେ ସୋମବାର ଓ ଶୁକ୍ରବାର ସେବା ଯୋଗାଇବ । ବିମାନଟି ଭୁବନେଶ୍ବରରୁ ସକାଳ ୭ଟା ୧୦ରେ ବାହାରି ଜୟପୁରରେ ୮.୪୫ରେ ପହଞ୍ଚିବ। ଜୟପୁରରୁ ସକାଳ ୯ଟାରେ ବାହାରି ଭୁବନେଶ୍ବରରେ ୧୦ଟା ୩୫ରେ ପହଞ୍ଚିବା ସୂଚନା ଜାରି ହୋଇଛି। ପ୍ରତି ସପ୍ତାହର ଦୁଇ ଦିନ ସୋମବାର ଓ ଶୁକ୍ରବାର ଏହି ସେବା ମିଳିବ। ଉଲ୍ଲେଖଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତବର୍ଷ ଭୁବନେଶ୍ୱର ଓ ଜୟପୁର ମଧ୍ୟରେ ପ୍ରଥମ ସିଧାସଳଖ ବିମାନ ସେବା ଆରମ୍ଭ କରିଥିଲେ। ଦ୍ୱିତୀୟ ସିଧାସଳଖ ବିମାନ ସେବା ଦ୍ୱାରା ଯୋଗାଯୋଗ ତ୍ୱରାନ୍ୱିତ ହେବା ସହ ଅର୍ଥନୈତିକ କାର୍ୟ୍ୟକଳାପକୁ ଆହୁରି ସୁଦୃଢ କରିବ। ଜୟପୁରକୁ ଦ୍ୱିତୀୟ ସିଧାସଳଖ ବିମାନ ସେବା ଆରମ୍ଭ ହେବା ଅବିଭକ୍ତ କୋରାପୁଟବାସୀଙ୍କ ପାଇଁ ଯେତିକି ଆନନ୍ଦର କଥା, ତାହାଠୁ ଅଧିକ ସୁଖର କଥା ସମଗ୍ର ଓଡିଶାବାସୀ ଓ ସୀମାନ୍ତ ଆନ୍ଧ୍ର, ଛତିଶଗଡ଼ ଅଧିବାସୀଙ୍କ ପାଇଁ । ସେମାନେ ଏବେ କେବଳ ଦେଶବିଦେଶକୁ ଯାତ୍ରାକରିବା ଶସ୍ତା ଓ ସୁବିଧାଜନକ ହେବନି, ବରଂ ଏହି ଅଞ୍ଚଳକୁ ବିଦେଶୀ ପର୍ୟ୍ୟଟକ ଆସିବେ ଓ ଏଠାରେ ଚାଷ ହେଉଥିବା କଫିର ମହକ ପାଇବ ସମଗ୍ର ବିଶ୍ୱ ।

Related Articles

Leave a Reply

Your email address will not be published.

Back to top button