କନ୍ୟାଯାତ୍ରୀଙ୍କ ବାଟବରଣବେଳେ ଧକ୍କା ଦେଲା ସ୍କର୍ପିଓ ୩ ଜଣଙ୍କ ମୃତ୍ୟୁ, ୧୩ ଜଣ ଆହତ

ବ୍ରହ୍ମପୁର: ଗୋପାଳପୁର ଥାନା ଅନ୍ତର୍ଗତ ମାଣ୍ଡିଆପଲ୍ଲୀ ଗାଁରେ ଗତକାଲି ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ମୃତକଙ୍କ ନାମ ହେଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ କେଶବ ନଗର ଅଞ୍ଚଳର ବି. ସ୍ୱପ୍ନା ରେଡ୍ଡୀ(୨୨), ବି. ସଞ୍ଜୁ ରେଡ୍ଡୀ(୨୩), ବି. ଭାରତୀ ରେଡ୍ଡୀ(୧୨) ବୋଲି ପୁଲିସ କହିଛି । ଆହତ ମାନଙ୍କୁ ବ୍ରହ୍ମପୁର ଏମ୍‌କେସିଜିରେ ଚିକିତ୍ସା ଜାରି ରହିଛି । ଦୁର୍ଘଟଣାରେ ଗୁରୁତର ଥିବା ୨ ଜଣଙ୍କୁ କଟକ ଏସ୍‌ସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଜଣଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ପୁଲିସ କହିଛି । ଅନ୍ୟପକ୍ଷରେ ସ୍କର୍ପିଓ ଗାଡ଼ିକୁ ପୁଲିସ ଜବତ କରିଥିବା ବେଳେ ଚାଳକ ଜଣଙ୍କ ଫେରାର ଥିବା ପୁଲିସ କହିଛି । ଗାଡ଼ିରେ ବସିଥିବା ଜଣଙ୍କୁ ପୁଲିସ ଥାନାରେ ଅଟକ ରଖି ଘଟଣାକୁ ନେଇ ପଚରାଉଚରା କରୁଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ପୁଲିସ କେସ ନଂ ୫୭/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଛି । ଅନ୍ୟପକ୍ଷରେ ଦୁର୍ଘଟଣାରେ ତିନି ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଏହି ଘଟଣାରେ ଆହତ ମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବେଳେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସୂଚନାଯୋଗ୍ୟ ଯେ ଗତକାଲି ମାଣ୍ଡିଆପଲ୍ଲୀ ଗ୍ରାମର ଏସ୍‌. ସୌମୟ ରେଡ୍ଡୀଙ୍କ ପୁଅ ଦେବରାଜ ରେଡ୍ଡୀଙ୍କ ସହ ବ୍ରହ୍ମପୁର କେଶବ ନଗର ଅଞ୍ଚଳର ଏସ୍‌. ପ୍ରିୟଙ୍କା ରେଡ୍ଡୀଙ୍କ ସହ ବିବାହ ରହିଥିଲା । ଗତ କାଲି ମଧ୍ୟରାତ୍ରୀରେ ମାଣ୍ଡିଆପଲ୍ଲୀ ଗ୍ରାମର ହନୁମାନ ମୂର୍ତ୍ତି ନିକଟରେ ରେଡ୍ଡୀ କୁଳଙ୍କ ନୀତିନୟମ ଅନୁସାରେ କନ୍ୟାଯାତ୍ରୀଙ୍କ ବାଟବରଣ ଚାଲିଥିଲା । ଏହି ସମୟରେ ଗୋପାଳପୁର ରାସ୍ତାରୁ ଦ୍ରୁତ ଗତିରେ ଆସୁଥିବା ଏକ ସ୍କର୍ପିଓ(ସିଜି୧୫ସିଟି-୮୫୦୦) ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଲୋକଙ୍କୁ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା । ଘଟଣା ସ୍ଥଳରୁ ଗାଡ଼ିଟି ପଳାଉଥିବା ବେଳେ ଅନ୍ୟ ଏକ ଘରକୁ ଧକ୍କା ଦେଇଥିଲା । ଏହି ସମୟରେ ଗାଡ଼ି ଚାଳକ ଜାଣଙ୍କ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିବା ବେଳେ ଗ୍ରାମବାସୀ ଜଣଙ୍କୁ କାବୁ କରି ପୁଲିସକୁ ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଗୋପାଳପୁର ଥାନା ପୁଲିସ ପହଞ୍ଚି ଗୁରୁତରଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲା । ସେଠାରେ ଉପରୋକ୍ତ ୩ଜଣଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଏହି ଘଟଣାରେ ତିନି ଜଣଙ୍କ ଗୁରୁତର ମଧ୍ୟରୁ ରବି ଦାସ ଓ ପି. ରାମ ରେଡ୍ଡୀଙ୍କୁ କଟକ ଏସ୍‌ସ୍‌ଭିଙ୍କୁ ସ୍ତାନାନ୍ତରିତ କରାଯାଇଥିବା ବେଳେ ଅଞ୍ଜଳୀ ରେଡ୍ଡୀଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଛି । ବର୍ତ୍ତମାନ ଏମ୍‌କେସିଜିରେ ମୋଟ ୧୦ ଜଣ ଚିକିତ୍ସା ହେଉଥିବା ପୁଲିସ କହିଛି । ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଯାଇଛି । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ମୃତ ସ୍ୱପ୍ନା ରେଡ୍ଡୀଙ୍କ ଦିଅର ବି. ପ୍ରସାଦ ରେଡ୍ଡୀ ଗୋପାଳପୁର ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଦୁର୍ଘଟଣା ଘଟାଇଥିବା ସ୍କର୍ପିଓଟି ଛତିଶଗଡ଼ର ହୋଇଥିବା ବେଳେ ଗାଡ଼ି ମାଲିକଙ୍କ ସହ ପୁଲିସ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିବା ପୁଲିସ କହିଛି ।

Related Articles

Leave a Reply

Your email address will not be published.

Back to top button