ବିପଦରେ ସୁରକ୍ଷା କବଚ

The ozone layer is at risk

ଭୁବନେଶ୍ୱର : ଆଜି ହେଉଛି ସେପ୍ଟେମ୍ବର ମାସ ୧୬ ତାରିଖ । ସମଗ୍ର ବିଶ୍ୱ ଏହି ଦିନଟିକୁ ବିଶ୍ୱ ଓଜୋନ ଦିବସ ରୂପେ ପାଳନ କରିଥାଏ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଓଜନସ୍ତରର ସୁରକ୍ଷା । ଜୀବଜଗତର ଜୀବନ ରକ୍ଷାକାରୀ ହେଉଛି ଏହି ଓଜୋନ ସ୍ତର । ଏହାକୁ ସାଇତି ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ଓଜୋନସ୍ତର ସମ୍ପର୍କରେ ନିଜେ ସଚେତନ ହେବା ଓ ଅନ୍ୟକୁ ସଚେତନ କରିବା ଏହି ଦିବସର ମୂଳ ଲକ୍ଷ୍ୟ । ନଚେତ୍ ଏ ସୁନ୍ଦର ପୃଥିବୀ ଗ୍ରହଟି ବାସପଯୋଗୀ ହୋଇ ରହିବ ନାହିଁ ।
ସଂପ୍ରତି ଏବେ ସହରରେ ଘରେ ଘରେ ଗଣ୍ଡାଏ ଲେଖାଏଁ ଏସି-ଫ୍ରିଜ । ଯେତୋଟି ରୁମ୍‌, ସେତୋଟି ଏସି । ତା ସହିିତ ଧୀରେ ଧୀରେ ଏସିଯୁକ୍ତ ଯାନ ସଂଖ୍ୟା ମଧ୍ୟ ବଢି ଚାଲିଛି । ଯଦ୍ୱାରା ଏସି ଏବଂ ଫ୍ରିଜ୍‌ରୁ ନିର୍ଗତ ହେଉଥିବା କ୍ଲୋରୋଫ୍ଲୋରୋ କାର୍ବନ (ସିଏଫ୍‌ସି) ଯୋଗୁଁ ପୃଥିବୀର ସୁରକ୍ଷା କବଚ ପାଲଟିଥିବା ଓଜୋନ ସ୍ତରର ସାନ୍ଧ୍ରତା କମିବାରେ ଲାଗିଛି । କହିବାକୁ ଗଲେ ବିପଦରେ ପୃଥିବୀର ସୁରକ୍ଷା କବଚ । ସାନ୍ଧ୍ରତା କମିବା ଯୋଗୁ ସୂର୍ଯ୍ୟଙ୍କର କ୍ଷତିକାରକ ଅତି ବାଇଗଣୀ ରଶ୍ମି (ଅଲ୍‌ଟ୍ରା ଭାଓଲେଟ୍ ରେ)କୁ ରୋକିବାରେ ସେଭଳି ସକ୍ଷମ ହେଉନାହିଁ । ଏହି ରଶ୍ମି ପ୍ରବେଶ କରିବା ଦ୍ୱାରା ବିଶ୍ୱ ତାପନ ଠାରୁ ଆରମ୍ଭ କରି ଜୀବ ଜଗତ ଉପରେ ନକରାତ୍ମକ ପ୍ରଭାବ ପଡୁଛି । ଏକ ରିପୋର୍ଟରୁ ଜଣାପଡ଼ିଛି ପ୍ରତିବର୍ଷ ବିଶ୍ୱରେ ପ୍ରାୟ ଏକଲକ୍ଷ ତିରିଶ ହଜାର ବ୍ୟକ୍ତି ଚର୍ମ କର୍କଟ ରୋଗ ଦ୍ୱାରା ଆକ୍ରାନ୍ତ ହୁଅନ୍ତି । ୬୬ ହଜାର ବ୍ୟକ୍ତି ଏଥିଯୋଗୁଁ ପ୍ରାଣ ହରାନ୍ତି । ସୂଚନାଯୋଗ୍ୟ, ସ୍ମାର୍ଟ ନଗରୀ ତଥା ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ନିର୍ମିତ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ ଏବଂ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଲାଗିଥିବା ମାତ୍ରାଧିକ ଏସିର ବ୍ୟବହାରକୁ ନେଇ ପରିବେଶବିତ୍ ସୁଶାନ୍ତ ସାହୁ ଏ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଯଦି ଏହାକୁ ଏବେଠାରୁ ନିୟନ୍ତ୍ରଣ ନ କରିବା ଆଗାମୀ ଦିନରେ ଭୁବନେଶ୍ୱର ଭାରତର ଦ୍ୱିତୀୟ ଉତ୍ତପ୍ତ ସହର ନୁହେଁ, ଏହା ପ୍ରଥମ ଉତ୍ତପ୍ତ ସହର ରୂପେ ପରିଗଣିତ ହେବ, ଏଥିରେ ସନ୍ଦେହ ନାହିଁ ।

Related Articles

Leave a Reply

Your email address will not be published.

Back to top button