ବଢିଲା କଳାକାର ଭତ୍ତା ହିତାଧିକାରୀଙ୍କ ସଂଖ୍ୟା, ଏବେ ୮୦ ହଜାରକୁ ବୃଦ୍ଧି

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ ରେ ଆଉ ତିରିଶ ହଜାର କଳାକାର ଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏକ ପ୍ରମୁଖ ଯୋଜନା। ୫ଟି ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ଏହି ଯୋଜନାରେ ଅଧିକ କଳାକାର ଙ୍କୁ ସାମିଲ କରିବା ପାଇଁ କଳାକାର ଓ ସେମାନଙ୍କର ସଂଗଠନ ଅନୁରୋଧ କରି ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏହାପରେ ଏହି ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ନିଷ୍ପତି ନେଇଛନ୍ତି। ଏହି ଯୋଜନାରେ ୫୦,୦୦୦ କଳାକାର ମାନଙ୍କୁ ମାସିକ ୧୨୦୦ ଟଙ୍କା (ବାର ଶହ ଟଙ୍କା) ସହାୟତା ରାଶି ପ୍ରଦାନ କରାଯାଉଛି। ବର୍ତ୍ତମାନ ଏହି ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ୫୦ ହଜାରରୁ ୮୦ ହଜାରକୁ ବୃଦ୍ଧି କରାଯାଇଛି। ଏହା ଦ୍ୱାରା ରାଜ୍ୟର ଆଉ ୩୦ ହଜାର କଳାକାର ଏଥିରେ ଉପକୃତ ହେବେ। ଆମର ଲୋକକଳା ଗୁଡିକ ଆମ ଜାତିର ଅସ୍ମିତା ଅଟନ୍ତି ଏବଂ କଳାକାର ମାନେ ଭାଷା, ସାହିତ୍ଯ ଓ ସଂସ୍କୃତିର ପ୍ରଚାରକ ତଥା ବାର୍ତ୍ତାବହ ଅଟନ୍ତି। ଏହି ଯୋଜନାରେ ଅଧିକ କଳାକାର ଙ୍କୁ ସାମିଲ କରାଯିବା ଯୋଗୁଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଅନେକ କଳାକାରମାନେ ଉତ୍ସାହିତ ଓ ଉପକୃତ ହେବେ। ଏହା ଦ୍ଵାରା ଆମର କଳାର ସଂରକ୍ଷଣ, ବିକାଶ, ପ୍ରଚାର ଓ ପ୍ରସାର ହେବା ସହିତ ଓଡ଼ିଶାର କଳା ଓ ସଂସ୍କୃତିକୁ ଋଦ୍ଧିମନ୍ତ କରିବ।

Related Articles

Leave a Reply

Your email address will not be published.

Back to top button