ଓଡିଶା ଚାଷୀଙ୍କ ମାସିକ ଆୟ ୫୧୧୨ ଟଙ୍କା

ଭୁବନେଶ୍ୱର:  ଓଡିଶା ଚାଷୀଙ୍କ ମାସିକ ଆୟ ୫୧୧୨ ଟଙ୍କା । ଓଡିଶାର ଜଣେ ଚାଷୀ ମାସକୁ ୫୧୧୨ ଟଙ୍କା ରୋଜଗାର କରିଥାନ୍ତି । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସୂଚନାଯୋଗ୍ୟ ଯେ, ବିଧାନସଭାରେ ଏନେଇ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ସେ ପଚାରିଥିଲେ ଯେ, ରାଜ୍ୟର ଚାଷୀମାନଙ୍କର ମାସିକ ଆୟ କେତେ ? ଏବଂ ଅନ୍ୟ ରାଜ୍ୟର ଚାଷୀଙ୍କ ଆୟର ଏକ ତୁଳନାତ୍ମକ ଚିତ୍ର ଦେବାକୁ ସେ କହିଥିଲେ । ତା ସହିତ ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର କି କି ପଦକ୍ଷେପ ନେଇଛନ୍ତି ସେ ନେଇ ମଧ୍ୟ ସୂଚନା ଦେବାକୁ ମନ୍ତ୍ରୀଙ୍କୁ କହିଥିଲେ ନରସିଂହ ମିଶ୍ର । ଏହାର ଉତ୍ତର ରଖି ମନ୍ତ୍ରୀ କହିଥିଲେ, ଜାତୀୟ ପରିସଂଖ୍ୟାନ କାର୍ୟ୍ୟାଳୟର ସର୍ବେକ୍ଷଣ ମୁତାବକ ଓଡିଶାର ଜଣେ ଚାଷୀ ୨୦୧୨-୧୩ ବର୍ଷରେ ମାସକୁ ୪୯୭୬ ଟଙ୍କା ରୋଜଗାର କରୁଥିଲେ ଯାହାକି ୨୦୧୮-୧୯ ବର୍ଷରେ ବୃଦ୍ଧି ପାଇ ୫୧୧୨ ଟଙ୍କା ହେଇଛି । ଏହା ସହ ମନ୍ତ୍ରୀ ଗୃହରେ ଅନ୍ୟ ରାଜ୍ୟର ଚାଷୀଙ୍କ ଆୟର ଏକ ତୁଳନାତ୍ମକ ଚିତ୍ର ମଧ୍ୟ ରଖିଥିଲେ । ଯାହା ମୁତାବକ, ସର୍ବଭାରତୀୟ ସ୍ତରରେ ଚାଷୀଙ୍କ ମାସିକ ଆୟ ୧୦,୨୧୮ ଟଙ୍କା ହେଇଥିବାବେଳେ, ଓଡିଶାରେ କିନ୍ତୁ ଏହା ମାତ୍ର ୫୧୧୨ ଟଙ୍କା । ଅନ୍ୟପଟେ ରାଜ୍ୟରେ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମଧ୍ୟରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ପ୍ରଚଳନ କରାଯାଇଛି । ଏହା ଯୋଜନାର ରାଜ୍ୟସ୍ତରୀୟ କମିଟିରେ ଶିଳ୍ପ ବିଭାଗର ନିର୍ଦ୍ଦେଶକ ଓ ଇପିକଲର ଏମଡି ସଦସ୍ୟ ଅଛନ୍ତି ବୋଲି ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ।

Related Articles

Leave a Reply

Your email address will not be published.

Back to top button