ଶ୍ରୀମନ୍ଦିର ସିଂହଦ୍ବାର ସିଂହମୂର୍ତ୍ତିକୁ ନେଇ ବିଭ୍ରାନ୍ତି
ଭୁବନେଶ୍ବର : ରଥଯାତ୍ରା ସମୟରେ ଶ୍ରୀମନ୍ଦିର ସିଂହଦ୍ବାରର ନବକଳେବର କରାଯାଇଛି। ପୁରୁଣା ଦ୍ବାରକୁ କାଢ଼ି ବର୍ମା ଶାଗୁଆନ କାଠରେ ନୂଆ ସିଂହଦ୍ବାର ନିର୍ମାଣ କରାଯାଇଛି। ଏହା ଉପରେ ରୁପାଛାଉଣି କରାଯାଇଛି। କିନ୍ତୁ ଏବେ ସିଂହଦ୍ବାର ନିର୍ମାଣ ଶୈଳୀକୁ ନେଇ ଭକ୍ତଙ୍କ ମହଲରେ ବିଭ୍ରାନ୍ତି ଆରମ୍ଭ ହୋଇଛି। କେହି ବ୍ୟକ୍ତି ସିଂହଦ୍ବାରର ଫଟୋକୁ ଏଡିଟ୍ କରି ଏହାକୁ ଭୁଲ୍ ଚିତ୍ରିତ କରି ସାମାଜିକ ଗଣମାଧ୍ୟମରେ ଛାଡ଼ିଛି। ଏଭଳି ବିଭ୍ରାନ୍ତି ଭକ୍ତଙ୍କ ମହଲରେ ଦ୍ବନ୍ଦ୍ବ ସୃଷ୍ଟି କରିଛି। ଯେଉଁମାନେ ଏଭଳି କରିଛନ୍ତି, ସେମାନଙ୍କ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଭକ୍ତ ମହଲ ଦାବିକରିଛନ୍ତି। ଅଭିଯୋଗ ଅନୁସାରେ, ସିଂହଦ୍ବାରରେ ଥିବା ଦୁଇ ସିଂହମୂର୍ତ୍ତିକୁ ଏଡିଟ୍ କରି ଦୁଇ ସିଂହ ମୂର୍ତ୍ତିଙ୍କ ମୁହଁ ଗୋଟିଏ ପାର୍ଶ୍ବକୁ ରଖିଛନ୍ତି। ଏହାକୁ ନାଲି ଗାର ଟାଣି ସାମାଜିକ ଗଣମାଧ୍ୟମରେ ଛାଡ଼ିବା ସହ ନୂଆ ରୁପା ଛାଉଣି ଦ୍ବାରର ଫଟୋ ଯୋଡ଼ି ରୁପା କାରୁକାର୍ଯ୍ୟ ନିର୍ମାଣ ବେଳେ ତ୍ରୁଟି କରାଯାଇଥିବା ଓ ଏଥିରେ ଭିନ୍ନତା ଥିବା ଦର୍ଶାଇବାକୁ ଚେଷ୍ଟା କରିଛନ୍ତି।