ହଷ୍ଟେଲ ରୁମରୁ ଡାକ୍ତରୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର: ହଷ୍ଟେଲ ରୁମରୁ ଡାକ୍ତରୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ ରଙ୍ଗାମାଟିଆ ସ୍ଥିତ ପିଆରଏମ ମେଡ଼ିକାଲ କଲେଜରୁ ଡାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଡାକ୍ତରୀ ଛାତ୍ର ଜଣକ ଡ.ସଚିନ ସାହୁ ବୋଲି ଜଣାପଡିଛି । ତାଙ୍କ ଘର କେନ୍ଦୁଝର ଜିଲ୍ଲାରେ ହୋଇଥିବା ବେଳେ ସେ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ହାଉସ ସର୍ଜେଣ୍ଟ ଭାବେ କାର୍ୟ୍ୟ କରୁଥିଲେ । ସୂଚନା ଅନୁଯାୟୀ, ଗତକାଲି ଡ.ସଚିନ ସାହୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଡ୍ୟୁଟି ସାରି ନିଜ ରୁମକୁ ଫେରିଥିଲେ । ହେଲେ ଦୀର୍ଘ ସମୟ ଧରି ସେ କବାଟ ନ ଖୋଲିବାରୁ ଅନ୍ୟ ଛାତ୍ରମାନେ କୌଣସି ଅଘଟଣ ଘଟିଥିବା ଆଶଙ୍କାରେ କବାଟଟିକୁ ଭାଙ୍ଗି ଦେଇଥିଲେ । କବାଟ ଭାଙ୍ଗିବା ପରେ ଉକ୍ତ ଗୃହ ଭିତରୁ ସଚିନଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରି ତାଙ୍କୁ ପିଆରଏମ ମେଡିକାଲକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏନେଇ ବାରିପଦା ଟାଉନ ଥାନା ପୋଲିସକୁ ଖବର ଦେବାରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ପରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବାରିପଦା ପିଆରଏମ ମେଡିକାଲକୁ ପଠାଇଥିଲେ । ସେପଟେ ପୋଲିସ ପକ୍ଷରୁ ମୃତ ଡାକ୍ତରୀ ଛାତ୍ରଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି । ତେବେ ଛାତ୍ରଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

Related Articles

Leave a Reply

Your email address will not be published.

Back to top button