ଚିଲିକାରେ ପାଦ ଥାପିଲେ ଅତିଥି ପକ୍ଷୀ, ୧୯ହଜାରୁ ଉର୍ଦ୍ଧ୍ୱ ପକ୍ଷୀଙ୍କ ସମାଗମ

ଭୁବନେଶ୍ବର: ଗତ କିଛି ଦିନ ହେଲା ଧରା ପୃଷ୍ଠକୁ ଶୀତର ପହଲି ସ୍ପର୍ଶ ସାଙ୍ଗକୁ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଛି । ଏପରିସ୍ଥଳେ ଏସିଆର ସର୍ବବୃହତ ଲବଣାକ୍ତ ହ୍ରଦ ତଥା ନିଳାମ୍ବୁ ଚିଲିକାକୁ ରଙ୍ଗବେରଙ୍ଗର ବିଦେଶୀ ପକ୍ଷୀଙ୍କ ସୁଅ ଛୁଟିବାରେ ଲାଗିଛି । ଶୁକ୍ରବାର ସୁଦ୍ଧା ସମଗ୍ର ଚିଲିକାକୁ ୬୫ପ୍ରଜାତିର ୧୯ହଜାର ୧୫୭ଟି ପକ୍ଷୀଙ୍କ ଆଗମନ ହୋଇଥିବା ବାଲୁଗାଁ ବନ୍ୟପ୍ରାଣୀ ବିଭାଗୀୟ ଏସିଏଫ୍ ପ୍ରଶାନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି । ସେଥିମଧ୍ୟରୁ ପକ୍ଷୀ ଅଭୟାରଣ୍ୟ ନଳବଣରେ ୫୦୫୬ଟି ପକ୍ଷୀ ଦୃଷ୍ଟି ଗୋଚର ହୋଇଥିବା ବେଳେ ଅବଶିଷ୍ଟ ପକ୍ଷୀ ବାହାର ଚିିଲିକା ତଥା ଅନ୍ୟାନ୍ୟ ରେଞ୍ଜ ଟାଙ୍ଗି, ସାତପଡ଼ା, ଚିଲିକା ଓ ରମ୍ଭା ଆଦି ଅଞ୍ଚଳରେ ଅବତରଣ କରିଛନ୍ତି । ପକ୍ଷୀଙ୍କ ଆଗମନରେ ଚିଲିକା ଚଳଚଞ୍ଚଳ ହୋଇ ଉଠିଛି । ଅନ୍ୟପକ୍ଷରେ ଅପେକ୍ଷାରତ ସୌନ୍ଦର୍ଯ୍ୟ ପିପାଶୁ, ପର୍ଯ୍ୟଟକ ଓ ପକ୍ଷୀ ବିଶାରଦଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ତେବେ ଆଗମନ ପକ୍ଷୀଙ୍କ ମଧ୍ୟରୁ ସର୍ବାଧିକ ସଂଖ୍ୟାରେ ଲିଟିଲି କର୍ମୋରାଣ୍ଟ ୧୦୮୫, ମଙ୍ଗୋଲିଆନ ପ୍ଲୋଭର ୩୭୦, ଉଡ୍ ସାଣ୍ଡ ପାଇପର ୩୪୫, ଗ୍ଲୋସି ଇବିସ୍ ୩୪୦, ଲିଟିଲ୍ ଇଗ୍ରେଟ୍ ୩୩୨, ନାଇଟ୍ ହେରନ୍ ୨୬୫, କମନକୁଡ୍ ୧୧୫ ଚିହ୍ନଟ ହୋଇଥିବା ବେଳେ ଚିଲିକାର ଶୋଭା ବର୍ଦ୍ଧନକାରୀ ଆକର୍ଷଣୀୟ ପେଲିକାନ୍ (ଏରା) ପକ୍ଷୀ ପ୍ରାଥମିକ ପର୍ଯ୍ୟାୟରେ ୭୫ଟି ଦୃଷ୍ଟି ଗୋଚର ହୋଇଥିବା ବିଭାଗୀୟ ସୂଚନା ମିଳିଛି ।
ପ୍ରାୟତଃ ଅକ୍ଟୋବର ମାସ ପହିଲାରେ ଶୀତ ପଡ଼ିବା ମାତ୍ରେ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ । କିନ୍ତୁ ଚଳିତ ବର୍ଷ ଶୀତ ଆଗମନରେ ବିଳମ୍ବ ହୋଇଥିଲେ ସୁଧା ତୃତୀୟ ସପ୍ତାହରେ ପକ୍ଷୀ ଆସି ଚିଲିକାରେ ପାଦ ଥାପିଛନ୍ତି । ଶୀତଋତୁରେ ଅସହ୍ୟ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ସୁଦୂର ବରଫାବୃତ୍ତ ଅଞ୍ଚଳ ସାଇବେରିଆ, ଋଷିଆ, କାଜକ୍‌ସ୍ଥାନ, ଲଦାକ୍‌, ମାଙ୍ଗୋଲିଆ, ଆମେରିକା, କାନାଡା ଆଦି ରାଷ୍ଟ୍ରାଞ୍ଚଳରୁ ବିଭିନ୍ନ ପ୍ରଜାତିର ରଙ୍ଗବେରଙ୍ଗର ଏହି ପକ୍ଷୀମାନେ ହଜାର ହଜାର ମାଇଲ୍ ଅତିକ୍ରମ କରି ଚିଲିକାରେ ପହଞ୍ôଚଥାଆନ୍ତି । ବର୍ଷାଦିନେ ଜନ୍ମ ନେଇଥିବା କୀଟପତଙ୍ଗ, ମାଛ ଓ ତୃଣଜାତୀୟ ଉଦ୍ଭିଦ ଆଦି ଏହି ପକ୍ଷୀଙ୍କ ମୂଖ୍ୟ ଆହର ପାଲଟିଥାଏ । ପକ୍ଷୀ ସମୁହ ଚିଲିକାରେ ଅବତରଣ କରିବା ପୂର୍ବରୁ ନିରାପଦ ବାସସ୍ଥାନ ଓ ଖାଦ୍ୟ ଅନ୍ୱେଷଣରେ ବର୍ତ୍ତମାନ ଚିଲିକା ଆକାଶରେ ଘୂରି ବୁଲିକା ସହ ଅଧିକାଂଶ ପକ୍ଷୀ ଚିଲିକା ଜଳରାଶିରେ ପାଦ ଥାପିଛନ୍ତି । ବିଶେଷକରି ବର୍ତ୍ତମାନ ପକ୍ଷୀ ଅଭୟାରଣ୍ୟ ନଳବଣରେ ଜଳସ୍ତର ଅଧିକ ଥିବା ହେତୁ ଚିଲିକା ତଟ ଅଞ୍ଚଳରେ ବହୁ ସଂଖ୍ୟାରେ ପକ୍ଷୀ ସମାଗମ ହୋଇଥିବା ଦେଖାଯାଇଛି ।
ଅନ୍ୟପକ୍ଷରେ ପକ୍ଷୀଙ୍କ ଆଗମନ ହେତୁ ପକ୍ଷୀ ଶିକାରୀମାନେ ସକ୍ରୀୟ ହୋଇପଡ଼ିଥିବା ବେଳେ ସୁରକ୍ଷା ପାଇଁ ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ପକ୍ଷୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥି ନିମନ୍ତେ ୨୧ଟି କ୍ୟାମ୍ପ ଗଠନ ହୋଇଥିବା ବେଳେ ସେଥି ମଧ୍ୟରୁ ସ୍ଥଳପଥରେ ଗୋଟିଏ ଭ୍ରାମ୍ୟମାଣ ସ୍କ୍ୱାର୍ଡ଼ ନିୟୋଜିତ କରାଯାଇଛି । ବାଲୁଗାଁ ବନ୍ୟପ୍ରାଣୀ ବିଭାଗୀୟ ଅଧିନ ଟାଙ୍ଗୀ ରେଞ୍ଜରେ ସର୍ବାଧିକ ୧୧ଟି କ୍ୟାମ୍ପ, ବାଲୁଗାଁ ରେଞ୍ଜ ଅଧିନ ନଳବଣରେ ୪ଟି, ସାତପଡ଼ାରେ ୨ଟି, ରମ୍ଭା ୨ ଓ ଚିଲିକାରେ୧ଟି କ୍ୟାମ୍ପ ନିୟୋଜିତ ନିମନ୍ତେ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭ୍ରାମ୍ୟମାଣ ସ୍କ୍ୱାର୍ଡ଼ ଦଳ ବାଲୁଗାଁ ଠାରୁ ଟାଙ୍ଗୀ ମଧ୍ୟରେ ସ୍ଥଳଭାଗରେ ବିଭିନ୍ନ ଢ଼ାବା ଓ ହୋଟେଲ ଆଦି ଅଞ୍ଚଳରେ ଚଢ଼ାଉ ପାଇଁ ନିୟୋଜିତ କରାଯାଇଛି । ଜଳପଥରେ ପ୍ରତ୍ୟେକ କ୍ୟାମ୍ପ୍‌ରେ ଗୋଟିଏ ଲେଖାଏଁ ଯନ୍ତ୍ରଚାଳିତ ବୋଟ୍ ସମେତ ଜଣେ ବନପାଳ କିମ୍ବା ବନରକ୍ଷୀ ଏବଂ ଚିଲିକା ତଟବର୍ତ୍ତୀ ଗ୍ରାମ ପକ୍ଷୀ ସୁରକ୍ଷା ମଞ୍ଚର ୩ଜଣ ଲେଖାଏଁ ସଦସ୍ୟ ସାମିଲ୍ ହୋଇଛନ୍ତି । ଏତଦ୍ ବ୍ୟତିତ ଚିଲିକା ତଟବର୍ତ୍ତୀ ଗ୍ରାମଗୁଡ଼ିକରେ ପକ୍ଷୀସୁରକ୍ଷା ସଂପର୍କିତ ବିଭିନ୍ନ ସଚେତନମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲିି ବନ୍ୟପ୍ରାଣୀ ବିଭାଗୀୟ ପକ୍ଷରୁ କୁହାଯାଇଛି । ଗତବର୍ଷ ସମଗ୍ର ଚିଲିକାକୁ ୧୦, ୭୪୧୭୩ ଟି ପକ୍ଷୀ ଆଗମନ ହୋଇଥିବା ବିଭାଗୀୟ ଗଣନାରୁ ଜଣାପଡ଼ିଥିଲା । ତେବେ ଚଳିତ ବର୍ଷ ପ୍ରାଥମକ ପର୍ଯ୍ୟାୟରେ ବହୁ ସଂଖ୍ୟାରେ ପକ୍ଷୀଙ୍କ ଆଗମନ ହୋଇଛି । ଆଗକୁ ଶୀତର ମାତ୍ରା ବୃଦ୍ଧି ପାଇଲେ ଗତ ବର୍ଷ ଠାରୁ ପକ୍ଷୀ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବ ବୋଲି ବାଲୁଗାଁ ବନ୍ୟପ୍ରାଣୀ ବିଭାଗୀୟ ଏସିଏଫ୍ ପ୍ରଶାନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button