ଲୋକଙ୍କୁ ପାଖକୁ ଗଲେ ସରକାର

ଭୁବନେଶ୍ୱର : ଲୋକଙ୍କ ପାଖକୁ ଭୁବନେଶ୍ୱରରୁ ସମ୍ବଲପୁର ଗଲେ ସରକାର। ମୁଖ୍ୟମନ୍ତ୍ରୀ ନିଜେ ଯାଇ ଲୋକଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଲେ। କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି ତାଙ୍କ ସହିତ ଥିଲେ ସହଯୋଗୀ ୧୦ ଜଣ ମନ୍ତ୍ରୀ ଓ ରାଜ୍ୟ ପ୍ରଶାସନର ବିଭିନ୍ନ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ ସଚିବ ସ୍ତରୀୟ ଅଧିକାରୀଗଣ। ସମ୍ପୂର୍ଣ୍ଣ ରାଜ୍ୟ ପ୍ରଶାସନ ସ୍ଥାନାନ୍ତରିତ ହୋଇଥିଲା ସମ୍ବଲପୁରକୁ। ଲୋକଙ୍କ ଅଭିଯୋଗ ଶୁଣି ଏହାର ସମାଧାନ କରିବାକୁ। ସୋମବାର ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ମୁଖ୍ୟମନ୍ତ୍ରୀ କରିଥିଲେ ଜନଶୁଣାଣି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ,ବର୍ତ୍ତମାନ ସୁଦ୍ଧା ସମ୍ବଲପୁରକୁ ମିଶାଇ ଦଶଟି ଜନଶୁଣାଣି ହୋଇଛି। ବିଗତ ନଅ’ଟି ପାଳିରେ ୯,୩୭୭ ଲୋକଙ୍କ ଅଭିଯୋଗ ଗ୍ରହଣ କରିଛୁ। ପ୍ରାୟ ୮୮% ଅଭିଯୋଗର ସମାଧାନ କରାଯାଇଛି। ଅବଶିଷ୍ଟ ଅଭିଯୋଗଗୁଡ଼ିକ ପ୍ରକ୍ରିୟା ଭିତରେ ଅଛି। ଦଶମ ପାଳିରେ ପ୍ରାୟ ହଜାରେ ଅନ୍ଲାଇନ ଜରିଆରେ ପଞ୍ଜୀକୃତ ଓ ଅଫ୍ ଲାଇନରେ ପ୍ରାୟ ୧୪୦୦ ଲୋକଙ୍କ ଅଭିଯୋଗ ଗ୍ରହଣ କରାଯାଇଛି। ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମରେ ଅସାଧ୍ୟ ଓ ଦୂରାରୋଗ୍ୟରେ ପୀଡ଼ିତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଉଛି। ଚିକିତ୍ସା ଖର୍ଚ୍ଚ ପାଇଁ ୧୮ ଜଣଙ୍କୁ ୧୯ ଲକ୍ଷ ୫୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଗରିବ, ଅସହାୟ ଲୋକଙ୍କ ଦୁଃଖ ପ୍ରତି ସରକାର ସମ୍ବେଦନଶୀଳ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ଏହାଛଡ଼ା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମ୍ବଲପୁରରେ ଏ ଜନଶୁଣାଣି କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ ଶୁଭଙ୍କର। ସରକାରଙ୍କ ପାଇଁ, ଲୋକଙ୍କ ପାଇଁ, ଓଡ଼ିଶା ରାଜ୍ୟ ପାଇଁ ଓ ସର୍ବୋପରି ଗଣତନ୍ତ୍ର ପାଇଁ ଏକ ସକରାତ୍ମକ ବାର୍ତ୍ତା ଦେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମର ଏହି ଜନ ଶୁଣାଣି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମାର୍ଗ ଦର୍ଶନ ଆମକୁ ଲୋକଙ୍କ ଆହୁରି ନିକଟତର ହେବାକୁ ପ୍ରେରଣା ଦେଇଛି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆମର ଉଦ୍ଦେଶ୍ୟ ହେଉଛି ରାଜ୍ୟର ବୃହତ୍ତର ବିକାଶର ଲକ୍ଷ୍ୟ ପୂରଣ ଭିତରେ ଗରିବ, ଅସହାୟ ଲୋକଙ୍କ ଦୁଃଖକୁ ଆମେ ଯେପରି ନଜର ଅନ୍ଦାଜ୍ ନ କରୁ। ସେମାନେ ଯେପରି ଅନୁଭବ ନ କରନ୍ତି ଯେ, ସେମାନଙ୍କ ଦୁଃଖ ଶୁଣିବା ପାଇଁ କେହି ନାହାନ୍ତି। ପୂର୍ବ ସରକାର ଏଥିପ୍ରତି ଉଦାସୀନ ମନୋଭାବ ପୋଷଣ କରୁଥିଲେ। ଆମେ କିନ୍ତୁ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜନଶୁଣାଣି କରିବା ପାଇଁ ନିଷ୍ପତ୍ତି ନେଇଛୁ। ଆଜି ସମ୍ବଲପୁରରେ ହେଲା, ଆଗାମୀ ଦିନରେ ରାଜ୍ୟର ଅନ୍ୟ ସ୍ଥାନରେ ହେବ। ଏହି କ୍ଷେତ୍ରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଦ୍ୱାରା ଅଧିକାରୀ ମାନେ ସେମାନଙ୍କ ସ୍ତରରେ ହିଁ, ଯେତେଦୂର ସମ୍ଭବ, ଲୋକଙ୍କ ସମସ୍ୟା ସମାଧାନ କରିବାକୁ ତତ୍ପର ହେବେ। ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ଦିଗରେ ଅଧିକ ସଚେତନ ହେବେ। ସମସ୍ତ ଅଭିଯୋଗର ଶୀଘ୍ର ସମାଧାନ ପାଇଁ ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲୋକଙ୍କୁ ତତ୍କାଳ ସହାୟତା ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। କେବଳ ଚିକିତ୍ସା ସହାୟତା ନୁହେଁ, ଅନ୍ୟାନ୍ୟ ବିଭିନ୍ନ ସମସ୍ୟା ନେଇ ଅଭିଯୋଗକାରୀମାନେ ଆସିଥିଲେ। ସମସ୍ତଙ୍କ ଅଭିଯୋଗଗୁଡ଼ିକୁ ଗୁରୁତ୍ୱର ସହ ଶୁଣି ଆବଶ୍ୟକ ସ୍ଥଳେ ଟେଲିଫୋନ୍ ଜରିଆରେ ମନ୍ତ୍ରୀମଣ୍ଡଳର ସଦସ୍ୟ ଓ ଉପସ୍ଥିତ ବରିଷ୍ଠ ସଚିବ ସ୍ତରୀୟ ଅଧିକାରୀମାନେ ସମ୍ପୃକ୍ତ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଉଥିଲେ। ଅଭିଯୋଗକାରୀଙ୍କ ମଧ୍ୟରେ ଥିଲେ ସମ୍ବଲପୁରର ଦୀପ୍ତିରାଣୀ ପାଢ଼ୀ । ସେ ତାଙ୍କ ପେନ୍ସନ ସଂକ୍ରାନ୍ତୀୟ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ସମସ୍ୟା ଶୁଣିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀମତୀ ପାଢ଼ୀ ଗଭୀର ଆତ୍ମସନ୍ତୋଷର ସହ ଘରକୁ ଫେରିଥିଲେ। ସେହିପରି ବରଗଡ଼ ଜିଲ୍ଲା ଡୁଙ୍ଗୁରିବାହାଲର କିଛି ବାସିନ୍ଦା ଆସିଥିଲେ ଡୁଙ୍ଗୁରିବାହାଲ ଜଳସେଚନ ପ୍ରକଳ୍ପରୁ ଜଳସେଚନ ସୁବିଧା କରାଇବା ପାଇଁ। ମୁଖ୍ୟମନ୍ତ୍ରୀ ତୁରନ୍ତ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏହାର ସମାଧାନ ପାଇଁ। ମୁଖ୍ୟମନ୍ତ୍ରୀଙ୍କଠୁ ଆଶ୍ୱାସନା ପାଇ ସେମାନେ ଖୁସି ମନରେ ଫେରିଥିଲେ। ଏହିପରି ଜଣେ ପରେ ଜଣେ ଅଭିଯୋକାରୀ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ଭେଟି ଭରସା ଓ ସନ୍ତୋଷ ନେଇ ଫେରୁଥିଲେ। ସମସ୍ତଙ୍କ ମୁହଁରେ ଥିଲା ଖୁସିର ଲହରୀ କାରଣ ମୁଖ୍ୟମନ୍ତ୍ରୀ ନିଜେ ତାଙ୍କ ସମସ୍ୟା ଶୁଣିଛନ୍ତି ଓ ସମାଧାନର ବ୍ୟବସ୍ଥା ମଧ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ, ପଞ୍ଚାୟତିରାଜ ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ, ଏବଂ ଅନ୍ୟ ବିଭାଗ ଗୁଡ଼ିକର ସଚିବ ସ୍ତରୀୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ଏହି କାର୍ଯ୍ୟ ପରିଚାଳନା କରିଥିଲେ।