ବଢ଼ିଲା ଅର୍ପଣ ଚାଉଳ ବିବାଦ, ବାହାରିଲା ଉଷୁନା ଚାଉଳ

ଭୁବନେଶ୍ବର: ଅର୍ପଣ ଚାଉଳରୁ ବାହାରିଲା ଉଷୁନା ଚାଉଳ । ତୁରନ୍ତ ଏହି ଚାଉଳରେ ମହାପ୍ରସାଦ ବନ୍ଦ କରାଯାଉ । ଏହି ଦାବି କରିଛନ୍ତି ଅର୍ପଣ ଚାଉଳ ଯାଞ୍ଚ କମିଟିରେ ଥିବା ସଦସ୍ୟ ତଥା ବରିଷ୍ଠ ସୂପକାର ସେବକ ଦାମୋଦର ମହାସୁଆର । ଗଣମାଧ୍ୟମ ଆଗରେ ସେ ଉଷୁନା ଚାଉଳ ଦେଖାଇଥିଲେ । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଉଷୁନା ଚାଉଳରେ ମହାପ୍ରସାଦ ପ୍ରସ୍ତୁତ ହୋଇ ପାରିବ ନାହିଁ । ଏହି ଚାଉଳରେ ମହାପ୍ରସାଦ ବନ୍ଦ କରାନଗଲେ ସେ ଆମରଣ ଅନଶନରେ ବସିବେ ବୋଲି ବରିଷ୍ଠ ସୂପକାର ସେବକ ଦାମୋଦର ମହାସୁଆର ଚେତାବନୀ ଦେଇଥିଲେ । ଏଥିସହ ସେ କହିଥିଲେ ଯେ ଆଜି ସେ ଚାଉଳ ଯାଞ୍ଚବେଳେ ଅରୁଆ ଚାଉଳରେ ଉଷୁନା ଚାଉଳ ମିଶିଥିବା ଦେଖିବାକୁ ପାଇଲେ । ହେଲେ ତାଙ୍କ କଥା କେହି ନ ଶୁଣିବାରୁ ସେ ବାଧ୍ୟ ହୋଇ ଗଣମାଧ୍ୟମକୁ ଆସିଲେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତିରେ ଉଷୁନା ଚାଉଳ ବ୍ୟବହାରକୁ ସେ କଦାପି ଗ୍ରହଣ କରିବେ ନାହିଁ । ଏହି ବାରମିଶା ଚାଉଳକୁ ମହାପ୍ରସାଦ ପ୍ରସ୍ତୁତ ବନ୍ଦ କରାନଗଲେ ଆମରଣ ଅନଶନ ଚେତାବନୀ ଦେଇଥିଲେ ବରିଷ୍ଠ ସୂପକାର ସେବକ ଦାମୋଦର ମହାସୁଆର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଭକ୍ତଙ୍କଠାରୁ ଅରୁଆ ଚାଉଳ, ଗୁଆ, ନଡ଼ିଆ ଅର୍ପଣ ରଥ ମାଧ୍ୟମରେ ସଂଗ୍ରହ କରାଯାଇଥିଲା । ପରେ ଏହା ବିଭିନ୍ନ ମନ୍ଦିର, ଅଙ୍ଗନବାଡ଼ି, ବ୍ଲକ ଅଫିସରେ ପଡ଼ି ରହିଥିଲା । ଭକ୍ତ ଦାନ କରିଥିବା ଅର୍ପଣ ଚାଉଳରେ ଉଷୁନା ସହ ଅରୁଆ ଚାଉଳ ମିଶି ଥିବାରୁ ଏହା ମହାପ୍ରଭୁଙ୍କ କେଉଁ କାର୍ଯ୍ୟରେ ଆସିବ ବୋଲି ପ୍ରଶ୍ନ ଉଠିଥିଲା । ଏହାକୁ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତି କରି ଭକ୍ତଙ୍କ ମଧ୍ୟରେ ବାଣ୍ଟିବାକୁ ନିଷ୍ପତ୍ତି ହୋଇଥିଲା । ଚାଉଳ ରମାନ ଯାଞ୍ଚ ପାଇଁ ଏକ କମିଟି ଗଠନ ହୋଇଥିଲା । ହେଲେ ଗତକାଲି ଏହି ଚାଉଳ ରୁ ମହାପ୍ରସାଦ ପ୍ରସ୍ତୁତ ହୋଇ ଭକ୍ତଙ୍କୁ ବଣ୍ଟା ଯାଇଥିଲା । ତେବେ ଆଜି ସେହି ଚାଉଳ ରୁ ଉଷୁନା ଚାଉଳ ବାହାରିବା ନେଇ ଅଭିଯୋଗ ପରେ ଏହାକୁ ନେଇ ବିବାଦ ଓ ବିରୋଧ ହୋଇଛି ।

Related Articles

Leave a Reply

Your email address will not be published.

Back to top button