କବର ନେଲେ ବଳଙ୍ଗା ପୀଡ଼ିତା

ଭୁବନେଶ୍ୱର: ସେଦିନ ଯନ୍ତ୍ରଣାରେ ଜଳୁଥିଲା ସର୍ବାଙ୍ଗ, ମୃତ୍ୟୁ ପରେ ଆଜି କବର ଭିତରେ ଆଶ୍ରୟ ନେଇଗଲା ମରଶରୀର। ମରଣ ସହ ଜୁଝି ଜୁଝି ଶେଷରେ ଦିଲ୍ଲୀ ଏମ୍ସରେ ହାରିଯାଇଥିବା ବଳଙ୍ଗା ପୀଡ଼ିତାଙ୍କ ସରିଛି ଶେଷକୃତ୍ୟ। ସୋମବାର ବାୟାବର ନୂଆ ଗୋପାଳପୁୁରରେ ହୋଇଛି ଅନ୍ତିମ ସଂସ୍କାର। ଶୋକାକୂଳ ପରିବେଶ ମଧ୍ୟରେ ଇସଲାମ ଧର୍ମ ଅନୁଯାୟୀ ଆଜି ଗାଁ କବରସ୍ଥାନରେ କବର ଦିଆଯାଇଛି। ବଳଙ୍ଗା ପୀଡ଼ିତାଙ୍କୁ ବିଦାୟ ଦେଇଛି ବାୟାବର। ଗାଁରେ ପୀଡ଼ିତାଙ୍କ ମରଶରୀର ଗତକାଲି ରାତି ୧୨ଟା ୪୫ ମିନିଟରେ ପହଞ୍ଚିଥିଲା। ଗାଁରେ ମରଶରୀର ପହଞ୍ଚିବା ପରେ ଛାଇଯାଇଥିଲା ଅସମ୍ଭବ ନିରବତା। ଶୋକରେ ଡୁବିଥିଲେ ପ୍ରିୟ ପରିଜନ। ମରଶରୀରକୁ ଘର ଭିତରକୁ ନିଆଯାଇଥିଲା। କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ପରିବେଶ। ତା’ପରେ ଇସଲାମ ଧର୍ମ ଅନୁଯାୟୀ ମହିଳାମାନେ ସମୂର୍ଣ୍ଣ ମରଶରୀରକୁ ବିଧି ମୁତାବକ ସ୍ନାନ କରାଇଥିଲେ। ମର ଶରୀରକୁ ତାବୁଦ ଭିତରେ ରଖି କୋରାନ ପାଠ କରିଥିଲେ। କିନ୍ତୁ ଆଜି ପରିବାର, ଆତ୍ମୀୟ ସ୍ୱଜନଙ୍କ ଶେଷ ଦର୍ଶନ ପରେ ମୁସଲମାନ ସମ୍ପ୍ରଦାୟର ରୀତିନୀତି ଅନୁସାରେ ସୋମବାର ସକାଳ ୯.୩୦ରେ ତାଙ୍କୁ କବର ଦିଆଯାଇଥିଲା। ପ୍ରଥମେ ତାବୁଦ ଭିତରେ ସୁରକ୍ଷିତ ଭାବେ ରହିଥିବା ପାର୍ôଥବ ଶରୀର ସମ୍ମୁଖରେ ସମୂହ ପ୍ରାର୍ଥନା କରିଥିଲେ ଗ୍ରାମବାସୀ । ଅମର ଆତ୍ମାର ସଦଗତି କାମନା କରିବା ପରେ ତାବୁଦକୁ କାନ୍ଧରେ ନେଇ କଲମା ବୋଲି ବୋଲି କବରସ୍ଥାନକୁ ଯାଇଥିଲେ। ସେଠାରେ ମାଟି ପ୍ରଦାନ କରିଥିଲେ ପରିବାର ସଦସ୍ୟ । ଆଉ ସେ ସମୟରେ ଉପସ୍ଥିତ ଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ। ବିଭିନ୍ନ ରାଜନୈତିକ ଦଳର ନେତୃତ୍ୱମାନେ ବି ଶେଷ ଦର୍ଶନ କରି ନାବାଳିକାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ। ଅନ୍ୟାମାନଙ୍କ ମଧ୍ୟରେ ଶ୍ୟାମସୁନ୍ଦର ନାୟକ, ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ, କୃଷକ ମୋର୍ଚ୍ଚା ଉପସଭାପତି ଅର୍ଜୁନ ବରାଳ, ପୁରୀ ଉପଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ବଲିଉଡ ଅଭିନେତ୍ରୀ ରାଣୀ ପଣ୍ଡା ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ୫୦ ହଜାର ଟଙ୍କା ଆର୍ôଥକ ସହାୟତା ରାଶି ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ ଅନ୍ତିମ ସଂସ୍କାର ପରେ ଘଟଣା ପଛର କାରଣ ଓ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ପ୍ରସ୍ତୁତ ହେଉଛି। କିନ୍ତୁ ତା’ ପୂର୍ବରୁ ଏହି ଘଟଣା ଓ ଏହା ପଛରେ ଥିବା ଚରିତ୍ରମାନଙ୍କୁ ନେଇ ଏକାଧିକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏତେ କମ୍ ବୟସରେ ପୀଡ଼ିତାଙ୍କର କାହିଁକି ମାନସିକ ଦୁଶ୍ଚିନ୍ତା ଥିଲା? ଯଦି ପୀଡ଼ିତା ନିଜ ଜୀବନକୁ ହାରିଛନ୍ତି ତେବେ ତିନିଜଣିଆ ବାଇକ୍ ଗ୍ୟାଙ୍ଗ୍ କାହାଣୀ କିଏ ରଚନା କଲା? ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜା ଚାଲିଛି। ଗାଁ ଚଉତରାରୁ ଆରମ୍ଭ କରି ହାଟ ପର୍ଯ୍ୟନ୍ତ ଏଭଳି ଚର୍ଚ୍ଚା ଜାରି ରହିଥିଲେ ମଧ୍ୟ ସମସ୍ତେ ନିରବ ରହିବାକୁ ଶ୍ରେୟ ମଣିଛନ୍ତି।