ତୁର୍କୀରେ ଜଣେ ଭାରତୀୟଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଭୂକମ୍ପ ବିଧ୍ୱସ୍ତ ତୁର୍କୀରେ ନିଖୋଜ ଥିବା ଜଣେ ଭାରତୀୟଙ୍କ ମୃତଦେହ ଉଦ୍ଧାର ହୋଇଛି । ତୁର୍କୀର ମାଲାଟ୍ୟାଠାରେ ଥିବା ଏକ ହୋଟେଲର ଧ୍ୱଂସସ୍ତୁପ ତଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି ବୋଲି ଅଙ୍କାରାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି । ମୃତ ବ୍ୟକ୍ତିଙ୍କ ନାମ ବିଜୟ କୁମାର ବୋଲି ଜଣାପଡ଼ିଛି । ସେ ବେଙ୍ଗାଲୁରୁସ୍ଥିତ ଏକ କମ୍ପାନିରେ କାମ କରୁଥିଲେ ଓ କମ୍ପାନି କାମରେ ତୁର୍କୀ ଯାଇଥିଲେ । ତାଙ୍କ ମୃତ ଦେହକୁ ପ୍ରଥମେ ଚିହ୍ନଟ କରିହେଉନଥିଲା । କିନ୍ତୁ ପରିବାରଲୋକେ ତାଙ୍କ ହାତରେ ଥିବା ଏକ ଟାଟୁରୁ ତାଙ୍କୁ ଚିହ୍ନଟ କରିଥିଲେ । ତାଙ୍କ ମୃତଦେହକୁ ଭାରତ ଫେରାଇ ଆଣିବାକୁ ସବୁପ୍ରକାରର ବନ୍ଦୋବସ୍ତ କରାଯାଉଛି ବୋଲି ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି । ଗତ ବୁଧବାରଦିନ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଥିଲା ଯେ ତୁର୍କୀରେ ଜଣେ ଭାରତୀୟ ନିଖୋଜ ଅଛନ୍ତି ଓ ଆଉ ୧୦ ଜଣ ଫସି ରହିଛନ୍ତି । ତେବେ ନିଖୋଜ ଲୋକମାନେ ସୁରକ୍ଷିତ ଅଛନ୍ତି ବୋଲି ଦୂତାବାସ ପକ୍ଷରୁ କୁହାଯାଇଥିଲା । ସୂଚନାଯୋଗ୍ୟ, ଗତ ଫେବ୍ରୁଆରି ୬ ରେ ହୋଇଥିବା ପ୍ରଳୟଙ୍କରୀ ଭୂମିକମ୍ପ (ତୁର୍କୀ-ସିରିଆ ଭୂମିକମ୍ପ) ପରେ ତୁର୍କୀ ଏବଂ ସିରିଆରେ ସ୍ଥିତି ଆହୁରି ଖରାପ ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଉଭୟ ଦେଶରେ ୨୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି ।

Related Articles

Leave a Reply

Your email address will not be published.

Back to top button