ଆହୁରି ଖସିବ ପାରଦ: ୨୧ ସହରର ତାପମାତ୍ରା ରହିଛି ୧୦ଡିଗ୍ରୀ ତଳେ

ଭୁବନେଶ୍ୱର: ରାଜ୍ୟରେ ଆହୁରି ଥଣ୍ଡା ବଢ଼ିବ । ଆସନ୍ତା ୪୮ଘଣ୍ଟାରେ ପୁଣି ୨ଡିଗ୍ରୀ ପାରଦ ଖସିବ ବୋଲି ଅନୁମାନ କରୁଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ଗତ ୨୪ଘଣ୍ଟାରେ ୨୧ଟି ସହରର ତାପମାତ୍ରା ୧୦ଡିଗ୍ରୀ ତଳକୁ ରହିଛି । ତେବେ ୨ଡିଗ୍ରୀ ସହିତ କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା ହୋଇଛି ସବୁଠୁ ଥଣ୍ଡା ସହର । ସେହିପରି ଜି. ଉଦୟଗିରିରେ ୪.୬ ଡିଗ୍ରୀ ରହିଥିବାବେଳେ ଫୁଲବାଣୀରେ ୫ ଡିଗ୍ରୀ ତାପମାତ୍ରା ରେକର୍ଡ ହେଉଛି । ସେହିପରି ଝାରସୁଗୁଡ଼ାରେ ତାପମାତ୍ରା ୬.୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ ରାଉରକେଲା ୬.୪ ଡିଗ୍ରି, ସୁନ୍ଦରଗଡ଼ ୬.୫, ଜି. ଦାରିଙ୍ଗବାଡ଼ିରେ ୮ ଡିଗ୍ରି, ସୋନପୁରରେ ୮.୫, ହୀରାକୁଦରେ ୯.୬, ଭବାନୀପାଟଣାରେ ୭.୨, ଦାରିଙ୍ଗିବାଡ଼ିରେ ୬.୭, ଅନୁଗୁଳରେ ୮.୬, ସମ୍ବଲପୁରରେ ୯.୩, ନବରଙ୍ଗପୁରରେ ୯, ରାଣିତାଲରେ ୯.୪, ଭଦ୍ରକରେ ୯.୫ ଓ କୋରାପୁଟରେ ୬.୫ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏଭଳି ଶୀତ ଲହରୀ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁମାନ କରିଛି । ବିଶେଷ କରି ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଶୀତ ଲହରି ସ୍ୱାଭାବିକ ଠାରୁ ଅଧିକ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଅପରପକ୍ଷେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ୯ ତାରିଖରେ ପ୍ରବଳ ଥଣ୍ଡା ହେବାର ଆଶଙ୍କା ରହିଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ୫ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ଅନୁଗୁଳରେ ସର୍ବାଧିକ ଶୀତ ଅନୁଭୂତ ହେବ । ସେହିପରି ୧୦ ତାରିଖରେ ଝାରସୁଗୁଡ଼ା, ଦେବଗଡ଼ ଓ ଅନୁଗୁଳରେ ତାପମାତ୍ରା ପୁଣି ଖସିବାର ଆଶଙ୍କା ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ଆଲର୍ଟ ଜାରି କରାଯାଇଛି ।

Related Articles

Leave a Reply

Your email address will not be published.

Back to top button