ଅଧିକାର ପାଇଁ ରାଜରାସ୍ତାରେ ଶିକ୍ଷକ

ଭୁବନେଶ୍ୱର:ଦାବି ଦିବସରେ ନିଜ ଅଧିକାର ପାଇବାକୁ ୫୦ହଜାରରୁ ଊର୍ଦ୍ଧ୍ୱ ଶିକ୍ଷୟିତ୍ରୀ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସମାନ କାମକୁ ସମାନ ଦରମା ସହ ୧୦ଦଫା ଦାବି ନେଇ ପୁଣି ଆନ୍ଦୋଳନ ଆରମ୍ଭ କରିଛନ୍ତି। ବୁଧବାର ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ଭୁବନେଶ୍ୱରଠାରେ ବିକ୍ଷୋଭ ସମାବେଶ କରାଯାଇଥିବାବେଳେ ଦାବି ପୂରଣ ନ ହେବା ପର୍ୟ୍ୟନ୍ତ ଅହୋରାତ୍ର ଧାରଣାରେ ବସିବେ ବୋଲି ଆନ୍ଦୋଳନରତ ଶିକ୍ଷୟିତ୍ରୀଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ଚେତାବନୀ ଦେଇଛନ୍ତି। ଗୋଟିଏ ବିଦ୍ୟାଳୟ ଭିତରେ ସମାନ ଯୋଗ୍ୟତା ଥାଇ ସମାନ କାର୍ୟ୍ୟ କରୁଥିବା ଶିକ୍ଷକଙ୍କ ଭିତରେ ଦରମା, ଚାକିରି ସର୍ତ୍ତାବଳୀ ଆଦିରେ ତାରତମ୍ୟ ନ ରଖିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି। ପ୍ରାଥମିକଠାରୁ ମାଧ୍ୟମିକ ପର୍ୟ୍ୟନ୍ତ ବିଦ୍ୟାଳୟଗୁଡ଼ିକରେ ଶୂନ୍ୟ ପଡ଼ିଥିବା ଶିକ୍ଷକ ଓ ପ୍ରଧାନଶିକ୍ଷକ ପଦବୀକୁ ତୁରନ୍ତ ପୂରଣ କରାଯାଉ ଓ ଶିକ୍ଷକମାନଙ୍କୁ ଅଣଶୈକ୍ଷିକ କାର୍ୟ୍ୟରେ ନିୟୋଜିତ ନ କରି ସମ୍ପୂର୍ଣ୍ଣ ଶିକ୍ଷଣ କାର୍ୟ୍ୟରେ ନିୟୋଜିତ କରିବା ପାଇଁ ଅନ୍ୟତମ ଦାବି ରଖାଯାଇଛି। ସେହିଭଳି ଚାକିରିରୁ ଅବସର ନେଇଯାଉଥିବା ଶିକ୍ଷକଙ୍କ ପେନ୍‌ସନ୍‌, ଭବିଷ୍ୟନିଧି ପାଣ୍ଠି ମିଳିବାରେ ଅନିୟମିତତା ଦେଖାଯାଉଥିବାରୁ ସେମାନେ ଅମଲାତାନ୍ତ୍ରିକ ଚକ୍ରାନ୍ତର ଶିକାର ହୋଇ ବାରମ୍ବାର ଶିକ୍ଷାବିଭାଗର ବିଭିନ୍ନ ଦପ୍ତରକୁ ଦୌଡ଼ିବାକୁ ବାଧ୍ୟ ହେଉଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ବେତନ ପ୍ରଦାନ, ଅବସର ନେଉଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କୁ ପେନ୍‌ସନ୍‌ ଏବଂ ଅବସରକାଳୀନ ସୁବିଧା ପ୍ରଦାନ, ବିଦ୍ୟାଳୟରେ ଖାଲିପଡ଼ିଥିବା ପଦବୀରେ ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ନିଯୁକ୍ତି, ୬୪୮ ବିଦ୍ୟାଳୟକୁ ସରକାରୀକରଣ, ୧୧୦ ବାଳିକା ବିଦ୍ୟାଳୟ ପ୍ରତି କରାଯାଇଥିବା ଅବିଚାରକୁ ଦୂର କରିବା, ୨୦୦୪ରୁ ୨୦୧୩ ମସିହା ପର୍ୟ୍ୟନ୍ତ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନୋସନାଲ ଇନ୍‌କ୍ରିମେଣ୍ଟ ସହ ବରିଷ୍ଠତା ପ୍ରଦାନ, ୨୮୦୦ଗ୍ରେଡ଼୍‌ ପେ’ରେ ଥିବା ଅସଙ୍ଗତି ଦୂରୀକରଣ, ୪୮ ବର୍ଷରେ ପଦାର୍ପଣ କରିଥିବା ହିନ୍ଦୀ, ସଂସ୍କୃତ ଓ କ୍ରୀଡ଼ା ଶିକ୍ଷକଙ୍କୁ ଟି.ଜି ସ୍କେଲ୍‌ର ମାନ୍ୟତା ପ୍ରଦାନ, ନୂତନ ପେନ୍‌ସନ୍‌ ପରିବର୍ତ୍ତେ ପୁରାତନ ପେନ୍‌ସନ୍‌ର ପୁନଃପ୍ରଚଳନ, ବିଦ୍ୟାଳୟରେ କାର୍ୟ୍ୟରତ କିରାଣିଙ୍କୁ ଯୋଗ୍ୟତାଭିତ୍ତିରେ ପଦୋନ୍ନତି ଓ ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା ଆଦି ଦାବି ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button