ଧର୍ମଘଟ ସ୍ଥଗିତ, ପ୍ରତ୍ୟାହୃତ ନୁହେଁ: ଦେବେନ୍ଦ୍ର ସାହୁ

ଭୁବନେଶ୍ୱର: ପରିବହନ ମନ୍ତ୍ରୀ ଟୁକୁନୀ ସାହୁଙ୍କ ସହ ବସ ମାଲିକ ସଂଘର ଆଲୋଚନା ଶେଷ ହୋଇଛି । ଆଲୋଚନା ପରେ ବସ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ସରକାରଙ୍କ ସହ ଆଲୋଚନା ସଫଳ ନୁହେଁ, କି ବିଫଳ ନୁହେଁ ।  ଆସନ୍ତା ୩୧ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରହିଛି, ପ୍ରତ୍ୟାହୃତ ହୋଇନି ।  ଆସନ୍ତା ୩୦ ତାରିଖରେ ସଂଘର ସାଧାରଣ ପରିଷଦ ବୈଠକ ବସିବ । ବୈଠରେ ଆଗାମୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନିଆଯିବ । ଅନ୍ୟପକ୍ଷରେ ବ୍ଲକରୁ ଜିଲ୍ଲାକୁ ଲକ୍ଷ୍ମୀ ବସ ଚାଲିବା ନେଇ ପରିବହନ ମନ୍ତ୍ରୀ ଟୁକୁନୀ ସାହୁଙ୍କ ସୂଚନା ଉପରେ ପ୍ରତିକ୍ରିୟା ଦେଇ ବସ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ ମନ୍ତ୍ରୀ କ’ଣ କହିଛନ୍ତି ଜାଣିନୁ ।  ତେବେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବ୍ଲକରୁ ଜିଲ୍ଲାକୁ ବସ ଗଡ଼ିବନି ।  ଏହା ପୂର୍ବରୁ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ କହିଥିଲେ ଯେ ବସ ମାଲିକ ସଂଘ ସେମାନଙ୍କ ପ୍ରସ୍ତାବ ଆସନ୍ତା ୩୦ ତାରିଖ ସୁଦ୍ଧା ଦେବେ । କୌଣସି ଧର୍ମଘଟ କରାଯିବନି । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯିବ । ଯେଉଁଠି ବସ ଚାଲୁନଥିଲା ସେଠି ଆମେ ବସ ଚଳାଉଛୁ । ବ୍ଲକରୁ ଜିଲାକୁ  ଗଡିବ ଲକ୍ଷ୍ମୀ ବସ । ସଂଘ ପକ୍ଷରୁ ଦିଆଯାଇଥିବା ଦାବିକୁ ବିଚାର କରିବ ପରିବହନ କମିଟି  । ପ୍ରାରମ୍ଭିକ ସ୍ତରରେ ଯେଉଁ ବ୍ଲକରେ ପରିବହନ ସେବା ନାହିଁ, ସେଠାରେ ଲକ୍ଷ୍ମୀ ଗଡ଼ିବ ବୋଲି ନିଷ୍ପତ୍ତି ହୋଇଛି । ଲକ୍ଷ୍ମୀ ବସ ରୁଟ ଯାହା ଥିଲା ସେମିତି ରହିବ । ସେହି ଅନୁସାରେ ସାରା ରାଜ୍ୟରେ ଲକ୍ଷ୍ମୀ ବସ ଗଡିବ । ଲକ୍ଷ୍ମୀ ବସ ଚାଲିଲେ ଘରୋଇ ବସ ମାଲିକ ସଂଘର କିଛି କ୍ଷତି ହେବନି। ପ୍ରକାଶ ଥାଉ କି, ଗତ ଅକ୍ଟୋବର ୨୦ ତାରିଖରେ ବସ ଧର୍ମଘଟ କରିଥିଲା ଘରୋଇ ବସ୍ ମାଲିକ ସଂଘ । ରାଜ୍ୟରେ ସବୁ ଜିଲ୍ଲାରେ ଏହି ଧର୍ମଘଟ ହୋଇଥିଲା । ଗୋଟିଏ ବି ବସ ଗଡି ନଥିଲା ଫଳରେ ଦଶହରା ଘରକୁ ଯିବା ଲୋକେ ହଇରାଣ ହୋଇଥିଲେ । ବିକଳ୍ପ ଭାବେ ଟ୍ରେନରେ ଯାତ୍ରା କରିବାକୁ ବାଛିଥିଲେ । ବସ ଚାଲୁନଥିଲା ଟ୍ରେନରେ ଅସମ୍ଭାଳ ଭିଡ ହୋଇଥିଲା । ଏହା ଛଡା ପ୍ରାଇଭେଟ ଗାଡି କରି ଅଧିକ ଟଙ୍କା ଦେଇ ଘରକୁ ଯିବାକୁ ଲୋକ ବାଧ୍ୟ ହୋଇଥିଲେ । ଲକ୍ଷ୍ମୀ ବସ ଚଳାଚଳକୁ ବିରୋଧ କରି ରାଜ୍ୟବ୍ୟାପୀ ଘରୋଇ ବସ ମାଲିକ ସଂଘ ଧର୍ମଘଟ କରିଥିଲା ଫଳରେ ଯାତ୍ରୀ ହନ୍ତସନ୍ତ ହୋଇଥିଲେ । ସରକାରଙ୍କ ସହ ଆଲୋଚନା ପରେ ଲିଖିତ ପ୍ରତିଶ୍ରୁତି ନମିଳିବାରୁ ଘରୋଇ ବସ ମାଲିକ ସଂଘ ଧର୍ମଘଟ କରିଥିଲେ ।
ଏହା ପରେ ଘରୋଇ ବସ ମାଲିକ ସଂଘ ସହିତ ଆଲୋଚନା କରିଥିଲେ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ । ଆସନ୍ତା ୩୧ ପର୍ୟ୍ୟନ୍ତ ବସ ଧର୍ମଘଟକୁ ସ୍ଥଗିତ ରଖାଯାଇଥିଲା । ଆଜି ଆଉ ଥରେ ଆଲେଚନା କରିବାକୁ ତାରିଖ ଧାର୍ୟ୍ୟ ହୋଇଥିଲା ।

Related Articles

Leave a Reply

Your email address will not be published.

Back to top button