ମିଥ୍ୟା ପ୍ରଚାର ଛାଡ଼, ଓଡ଼ିଶାର କୃଷକଙ୍କୁ ନ୍ୟାୟ ଦିଅ: ବିଜେଡି

ଭୁବନେଶ୍ୱର୍‌:ବରଗଡ଼ ଜିଲ୍ଲା, ବିଶେଷ କରି ପଦ୍ମପୁର ନିର୍ବାଚନ ମଣ୍ଡଳୀର ଚାଷୀଙ୍କୁ ବକେୟା ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ତୁରନ୍ତ ପ୍ରଦାନ ନେଇ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମଙ୍ଗଳବାର ଯେଉଁ ଟ୍ୱିଟ୍ କରିଛନ୍ତି, ସେଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ ଏଯାଏ କେନ୍ଦ୍ର ସରକାର ଏହା ଦେଇ ନ ଥିଲେ । ତେଣୁ ଏବେ ଚାଷୀଙ୍କୁ ବୀମା ରାଶି ପ୍ରଦାନ କରିବାକୁ କେନ୍ଦ୍ର କୃଷି ମନ୍ତ୍ରୀ ବୀମା କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଉଛନ୍ତି । କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଟ୍ୱିଟ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଏହା କହିଛନ୍ତି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡ.ସସ୍ମିତ ପାତ୍ର । ସେହିପରିି ମିଥ୍ୟା ପ୍ରଚାର ଛାଡ଼ି ଓଡ଼ିଶାର କୃଷକଙ୍କୁ କେନ୍ଦ୍ର ନ୍ୟାୟ ପ୍ରଦାନ କରନ୍ତୁ ବୋଲି ବିଜେଡିର ଅନ୍ୟତମ ମୁଖପାତ୍ର ଶ୍ରୀୟମୀ ମିଶ୍ର ଦାବି କରିଛନ୍ତି ।
ମଙ୍ଗଳବାର ସାଂସଦ ଡ. ପାତ୍ର କହିଛନ୍ତି ଯେ ଚଳିତ ବର୍ଷ ଅଗଷ୍ଟ ୨୯ରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ପ୍ରଦାନ କରିବାକୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଆଉ ୭ ନଭେମ୍ବର ବୈଷୟିକ ପରାମର୍ଶଦାତା କମିଟି ଏନେଇ ନିର୍ଦ୍ଦେଶନାମା ଜାରି କରିଥିଲେ । ଏହାର ଦୁଇ ଦିନ ପରେ ୯ ନଭେମ୍ବରରେ ଓଡ଼ିଶାର ସମବାୟ ମନ୍ତ୍ରୀ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ସାକ୍ଷାତ କରି ତୁରନ୍ତ ରାଜ୍ୟର ବଞ୍ଚିତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । କେନ୍ଦ୍ର କୃଷିମନ୍ତ୍ରୀ ଭଲଭାବେ ଜାଣିଛନ୍ତି ଯେ, ଏହି ବୀମା ରାଶି ପ୍ରଦାନ ପାଇଁ କେନ୍ଦ୍ର ନିର୍ଦ୍ଦେଶ ଦେବା ପେର ଏହା ପ୍ରଦାନ କରିବା ବୀମାକମ୍ପାନୀ ଗୁଡ଼ିକର କାମ । ଏଥିରେ ରାଜ୍ୟ ସରକାରଙ୍କର କୌଣସି ଭୂମିକା ନାହିଁ । ଯଦି କେନ୍ଦ୍ର ସରକାର ପୂର୍ବରୁ ଏହି ନିଷ୍ପତ୍ତି ନେଇଥାନ୍ତେ, ତେବେ ବରଗଡ଼ ଜିଲ୍ଲା ଏବଂ ପଦ୍ମପୁର ନିର୍ବାଚନ ମଣ୍ଡଳୀର ହଜାର ହଜାର ଚାଷୀଙ୍କୁ ଏତେ ଦିନ ଧରି ଦୁର୍ଦ୍ଦଶାରେ କାଳ କାଟିବାକୁ ପଡ଼ି ନ ଥାନ୍ତା । କେବଳ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଚାଷୀଙ୍କ ବକେୟା ପ୍ରଧାନମନ୍ତ୍ରୀ ଫସଲ୍ ବୀମା ରାଶି ନୁହେଁ, କେନ୍ଦ୍ର କୃଷି ମନ୍ତ୍ରୀ ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀଙ୍କ ଫସଲ ବୀମା ରାଶି ପ୍ରଦାନର ବ୍ୟବସ୍ଥା କରନ୍ତୁ । କାରଣ ଦୀର୍ଘ ଦିନ ହେଲା ସେମାନେ ମଧ୍ୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି ବୋଲି ଡ. ପାତ୍ର କ୍ଷୋଭ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ବିଜେଡି ଅନ୍ୟତମ ମୁଖପାତ୍ର ଶ୍ରୀମୟୀ ମିଶ୍ର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଯୋଗର ଜବାବ୍ ଦେଇଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶା ଚାଷୀଙ୍କ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟବାସୀ ବିଜେପିର ନାଟକବାଜି, ମିଥ୍ୟା ପ୍ରଚାର ଓ ନକଲି କାରବାରକୁ ଦେଖୁଛନ୍ତି । ସୋମବାର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମପୁରରେ ତାଙ୍କ ଅଭିଭାଷଣରେ ଅଭିଯୋଗ କରିଥିଲେ ଯେ, ଓଡ଼ିଶା ସରକାର କାହିଁକି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀରେ ବୀମା କମ୍ପାନୀ ଭାବରେ ଏଚ୍‌ଡିଏଫ୍‌ସିକୁ ମନୋନୀତ କରିଛନ୍ତି । ବୋଧହୁଏ ସେ ଜାଣି ନାହାଁନ୍ତି ଯେ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ଆସାମ, ତ୍ରିପୁରା ଓ ମହାରାଷ୍ଟ୍ର ଭଳି ନିଜ ଦଳ-ବିଜେପି ଶାସିତ ରାଜ୍ୟ ମଧ୍ୟ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ଏକ କାର୍ଯ୍ୟକାରୀ କମ୍ପାନୀ ଭାବରେ ଏଚ୍‌ଡିଏଫ୍‌ସିକୁ ବାଛିଛନ୍ତି । ଏହି ବିଜେପି ଶାସିତ ରାଜ୍ୟମାନେ ମଧ୍ୟ ଅନ୍ୟାୟ କରିଥିବା ସେ କହିବାକୁ ଚାହୁଁଛନ୍ତି କି ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି । ସେ ପୁଣି କହିଛନ୍ତି ଯେ, ପିଏମ୍‌ବିଏସ୍‌ୱାଇ ହେଉଛି ଏକ କେନ୍ଦ୍ରୀୟ ଯୋଜନା । ଏଥିପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ବଜେଟ୍ ପାରିତ ହୋଇଛି । ଯେତେବେଳେ କୃଷକ ଏବଂ ବୀମା କମ୍ପାନୀ ମଧ୍ୟରେ ବିବାଦ ଦେଖାଦିଏ ସେତେବେଳେ କେନ୍ଦ୍ର ସରକାର ହେଉଛନ୍ତି ‘ଆପିଲେଟ ଅଥରିଟି’ । ବର୍ତ୍ତମାନ ମାମଲାରେ ଆବେଦନ କେନ୍ଦ୍ର ସରକାରଙ୍କ ନିକଟରେ ବିଚାରାଧୀନ ଅଛି । ଯଦି କେନ୍ଦ୍ର ମନ୍ତ୍ରୀଙ୍କର କୃଷକଙ୍କ ପାଇଁ ପ୍ରକୃତ ଚିନ୍ତା ଅଛି ତେବେ ସେ ମିଥ୍ୟା ପ୍ରଚାର କରିବା ପରିବର୍ତ୍ତେ ଓଡ଼ିଶାର କୃଷକମାନଙ୍କୁ ନ୍ୟାୟ ଦେବାପାଇଁ ତାଙ୍କ ସହଯୋଗୀ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହ କଥା ହେବା ଉଚିତ । ବାସ୍ତବରେ ଆମର ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ବାରମ୍ବାର କେନ୍ଦ୍ର ସରକାରଙ୍କ ନିକଟରେ ଏହି ପ୍ରସଙ୍ଗ ଉଠାଇ ଆସୁଛନ୍ତି । ଚାଷୀ ପ୍ରସଙ୍ଗରେ ବିଜେପି ଦ୍ୱାରା ପ୍ରଦର୍ଶିତ ହେଉଥିବା ନାଟକବାଜି ଓ ମିଥ୍ୟାକୁ ଓଡ଼ିିଶାର ଲୋକମାନେ ପସନ୍ଦ କରନ୍ତି ନାହିଁ । ଏଥିପାଇଁ ସେମାନଙ୍କୁ ଲୋକେ ଉପଯୁକ୍ତ ଜବାବ୍ ଦେବେ ବୋଲି ଶ୍ରୀମତୀ ମିଶ୍ର ଦୃଢ଼େକ୍ତି ପ୍ରକାଶ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button