ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣର ମାର୍ଗଦର୍ଶିକା

ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମାର୍ଗଦର୍ଶିକା ଜାରି କରିଛି ରାଜ୍ୟ ପରିବହନ ପ୍ରାଧିକରଣ। ଏ ସମ୍ପର୍କରେ ଏସଟିଏର ବରିଷ୍ଠ ଅଧିକାରୀ ସମସ୍ତ ଆରଟିଓ ଏବଂ ଏଆରଟିଓଙ୍କ ସହିତ ବୈଠକ କରି ଯାତ୍ରୀ ଏବଂ ଗାଡ଼ି ଚାଳକଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ଆଲୋଚନା କରିଛନ୍ତି। ଗ୍ରୀଷ୍ମ ପ୍ରବାହରେ ଜନସାଧାରଣଙ୍କ ସୁରକ୍ଷା ରଖିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଗ୍ରୀଷ୍ମ ପ୍ରବାହ ସମୟରେ ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବା ପାଇଁ ସମସ୍ତ ବସ୍ରେ ବିଶୁଦ୍ଧ ପାନୀୟ ଜଳ, ବରଫ ପ୍ୟାକ୍, ପ୍ରାଥମିକ ଚିକିତ୍ସା କିଟ୍ ଏବଂ ଓଆରଏସ ରହିବ। ଅତ୍ୟଧିକ ଗରମରୁ ମୁକ୍ତି ପାଇବା ପାଇଁ ବସ୍ ଷ୍ଟପ୍ଗୁଡ଼ିକରେ ପର୍ଯ୍ୟାପ୍ତ ବିଶ୍ରାମ ସ୍ଥାନ ଯୋଗାଇ ଦିଆଯିବ। ସାର୍ବଜନୀନ ପରିବହନ ଯାନରେ ଯାତ୍ରୀ ସୁରକ୍ଷା ଏବଂ ଆରାମ ପାଇଁ ନିର୍ଦ୍ଧାରିତ ଅନୁମତିକୁ ଉଲ୍ଲଙ୍ଘନ କରି ଅଧିକ ଯାତ୍ରୀ ନେଉଥିବା ଯାନ ବିରୁଦ୍ଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ। ଦୂର ସ୍ଥାନକୁ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ରାଜପଥରେ ଜଳ କିଓସ୍କ ସ୍ଥାପନ କରି ପାନୀୟ ଜଳ ଯୋଗାଇ ଦିଆଯିବ। ଓଭରଲୋଡିଂ, ବସ ଛାତ ଉପରେ ବସି ଯାତ୍ରା କରିବା ଏବଂ ଝୁଲନ୍ତା ଅବସ୍ଥାରେ ଯାତ୍ରୀ ନେଉଥିବା ଯାନଠାରୁ ଜୋରିମାନା ଆଦାୟ କରାଯିବ। ଆରଟିଓ କାର୍ଯ୍ୟାଳୟରେ ଏକ କଣ୍ଟ୍ରୋଲ ରୁମ ୨୪ ଘଣ୍ଟା କାର୍ଯ୍ୟକ୍ଷମ ରହିବ। ଏଥିସହ ଭର୍ଚୁଆଲ୍ ବୈଠକ ମାଧ୍ୟମରେ ଓଡ଼ିଶା ଯାତ୍ରୀ ଯାଉଥିବା ପଡ଼ୋଶୀ ରାଜ୍ୟଙ୍କୁ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିର ମୁକାବିଲା ପାଇଁ ଏଭଳି କିଛି ପଦକ୍ଷେପ ନେବାକୁ ଅନୁରୋଧ ମଧ୍ୟ କରାଯାଇଛି। ବ୍ୟାପକ ସଚେତନତା ପାଇଁ ବସ୍ ଏବଂ ଟ୍ରକ୍ ମାଲିକ ସଂଘ ସହଭାଗିତାରେ ହେଲ୍ପଲାଇନ୍ ନମ୍ବର ଯୋଗାଇ ଦିଆଯିବ। ଗ୍ରୀଷ୍ମ ପ୍ରବାହ ସୁରକ୍ଷା ଉପରେ ଜନସଚେତନତା ଅଭିଯାନ କରାଯାଇ ବସ୍ ଏବଂ ଟ୍ରକ୍ ମାଲିକ ସଂଘ, ସ୍ଥାନୀୟ ଏନଜିଓ ମାନଙ୍କୁ ସାମିଲ କରାଯିବ। ଆବଶ୍ୟକସ୍ଥଳେ ବିଭିନ୍ନ ବସ୍ ଷ୍ଟାଣ୍ଡରେ ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ଏନଫୋର୍ସମେଣ୍ଟ ଦଳ ସହ ଡାକ୍ତରଙ୍କୁ ପଠାଯିବ । ଗ୍ରୀଷ୍ମ ପ୍ରବାହ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ ଉପରେ ଆଲୋଚନା ଏବଂ କାର୍ଯ୍ୟ ପରିଚାଳନା ପାଇଁ ନିୟମିତ ବୈଠକ ଅନୁଷ୍ଠିତ ହେବ। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ସମୟ ଯଥା ସକାଳ ୧୧ଟା ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବିଶେଷ ଧ୍ୟାନ ଦିଆଯିବ। କୌଣସି ପ୍ରତିକୂଳ ପରିସ୍ଥିତିରେ ଆରଟିଓ/ଏଆରଟିଓ ଗୁଡ଼ିକୁ ଜିଲ୍ଲା ପ୍ରଶାସନ ଏବଂ ଏସଟିଏ ସହିତ ଯୋଗାଯୋଗ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।