ସତ୍ୟଭାମାପୁରରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ, ମଧୁବାବୁଙ୍କ ଜନ୍ମପୀଠ ହେବ ଓଡ଼ିଆ ଜାତୀୟତା ଭାବର ପ୍ରମୁଖ କେନ୍ଦ୍ର ସ୍ଥଳ

ଭୁବନେଶ୍ୱର: ଓଡ଼ିଆ ଜାତୀୟତା ଭାବର ଏକ ପ୍ରମୁଖ କେନ୍ଦ୍ର ସ୍ଥଳ ହେବ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ। ସେଥିପାଇଁ ସତ୍ୟଭାମାପୁର ଭଳି ପବିତ୍ର ସ୍ଥାନରେ ସମନ୍ୱିତ ବିକାଶ ନିମନ୍ତେ ରାଜ୍ୟ ସରକାର ୨୧ କୋଟି ଟଙ୍କାର ବ୍ୟୟ ବରାଦ କରିବାକୁ ଯାଉଛନ୍ତିି। ମଧୁବାବୁଙ୍କ ଜନ୍ମ ସ୍ଥାନର ଉନ୍ନତିକରଣ ସହିତ ବ୍ୟାଖ୍ୟାନ କେନ୍ଦ୍ର ନିର୍ମାଣ, ଏନ୍ତଡ଼ିଶାଳର ଉନ୍ନତିକରଣ, ପ୍ରତିମୂର୍ତ୍ତି ନିର୍ମାଣ, ଅତିଥି ଭବନ, ପାଠାଗାର ଓ ଜଳାଶୟରେ ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ସିଷ୍ଟମ ସ୍ଥାପନ ଆଦି କରାଯିବ। ଏନେଇ ଭିତ୍ତିପ୍ରସ୍ତର ବି ହୋଇଛି। ସ୍ୱତନ୍ତ୍ର ଓଡ଼ିଶା ପାଇଁ ବରପୁତ୍ରମାନେ ଯେଉଁ ତ୍ୟାଗ କରିଯାଇଛନ୍ତି, ସେ ଋଣ ସୁଝି ହେବନାହିଁ। ତେବେ ଏକ ସମୃଦ୍ଧ ଓଡ଼ିଶା ଗଠନ କରି ସେମାନଙ୍କ ସ୍ୱପ୍ନକୁ ନିଶ୍ଚୟ ପୂରଣ କରିବୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି।
ମଙ୍ଗଳବାର ରାଜ୍ୟ ସରକାର ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ଓଡ଼ିଶା ଗଠନର ମୁଖ୍ୟ ବିନ୍ଧାଣି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ମାଟି ସତ୍ୟଭାମାପୁରରେ ଆୟୋଜନ କରିଛନ୍ତି ରାଜ୍ୟସ୍ତରୀୟ ଓଡିଶା ଦିବସ କାର୍ଯ୍ୟକ୍ରମ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଆଜି ଦିନଟି ହେଉଛି ଓଡ଼ିଆ ଅସ୍ମିତାର ଦିବସ। ଓଡ଼ିଆ ସ୍ୱାଭିମାନର ଦିବସ। ଓଡ଼ିଆ ଅସ୍ମିତା, ଓଡ଼ିଆ ସ୍ୱାଭିମାନକୁ ଗୁରୁତ୍ୱ ଦେଇ ଓଡ଼ିଶାବାସୀ ଯେଉଁ ପରିବର୍ତ୍ତନ ଆଣିଥିଲେ, ତାକୁ ସମ୍ମାନ ଦେଇ, ଆଜି ଆମେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣି ମଧୁବାବୁଙ୍କ ଗାଁ’ ମାଟିରେ ‘ଓଡ଼ିଶା ଦିବସ’ ପାଳନ କରୁଛୁ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଆମର ବରପୁତ୍ର ମାନେ ଯେଉଁ ତ୍ୟାଗ ଓ ସଂଗ୍ରାମ କରିଯାଇଛନ୍ତି, ସେ ଋଣକୁ ଆମେ କେବେ ବି ସୁଝି ପାରିବୁ ନାହିଁ। ତେବେ, ଏକ ସମୃଦ୍ଧ ଓଡିଶା ଗଠନ କରି ସେମାନଙ୍କ ସ୍ୱପ୍ନକୁ ନିଶ୍ଚୟ ପୂରଣ କରିବୁ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସାଢ଼େ ଚାରି କୋଟି ଓଡ଼ିଶାବାସୀ ଯେତେବେଳେ ଏକଜୁଟ ହୋଇ ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆଗେଇ ଚାଲିବେ, ସେତେବେଳେ ପୃଥିବୀର କୌଣସି ଶକ୍ତି ତାଙ୍କୁ ଅଟକେଇ ପାରିବେ ନାହିଁ। ସାଢ଼େ ଚାରି କୋଟି ଓଡ଼ିଆଙ୍କ ସ୍ୱପ୍ନ ପୂରଣ ହେବ। ଲକ୍ଷ୍ୟ ସଫଳ ହେବ। ଓଡିଶାର ଏହି ମହା ପରିବର୍ତ୍ତନର ଯାତ୍ରାରେ ସମସ୍ତେ ସାମିଲ ହୋଇ ସମୃଦ୍ଧ ଓଡ଼ିଶାର ମହାନ ଲକ୍ଷ୍ୟକୁ ହାସଲ କରିବା ପାଇଁ ସଂକଳ୍ପବଦ୍ଧ ହୋଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଥିଲେ। ଓଡିଆ ପକ୍ଷ ପାଳନ କରିବାକୁ ଆହ୍ୱାନ ଦେଇ ଆମ ଓଡ଼ିଶାର ପ୍ରକୃତ ସମ୍ପଦ ହେଉଛନ୍ତି ଆପଣମାନେ। ଆମର ସାଢ଼େ ଚାରି କୋଟି ଓଡ଼ିଶାବାସୀ। ଆମର ପ୍ରତ୍ୟେକ ରକ୍ତ ବିନ୍ଦୁରେ ଓଡ଼ିଆ ଅସ୍ମିତା ଭରି ରହିଛି। ଆମର ଚାଲିଚଳଣ, କଥାବାର୍ତ୍ତା, ଖାଦ୍ୟ ସବୁଥିରେ ଭରି ରହିଛି ଗୋଟିଏ ନିଚ୍ଛକ ଓଡ଼ିଆପଣ। ସେହି ଓଡ଼ିଆପଣ, ଓଡ଼ିଆ ଅସ୍ମିତାକୁ ଆଗେଇ ନେବା ପାଇଁ ଆମେ ପ୍ରତିବଦ୍ଧ। ସେଥିପାଇଁ ଆଜିଠାରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଆମେ ‘ଓଡ଼ିଆ ପକ୍ଷ’ ପାଳନ କରୁଛୁ । ଏହି ସମୟରେ ପ୍ରତ୍ୟେକ ଓଡିଆ ପାରମ୍ପରିକ ଓଡ଼ିଆ ଖାଦ୍ୟ ଖାଇବା, ଓଡ଼ିଆ ପୋଷାକ ପିନ୍ଧିବା ଏବଂ ଓଡ଼ିଆରେ ବାର୍ତ୍ତାଳାପ କରିବା ସହିତ ଓଡ଼ିଆ ପତ୍ରପତ୍ରିକା ମଧ୍ୟ ପଢ଼ିବାକୁ ସେ ଆହ୍ୱାନ ଦେଇଥିଲେ।
ଓଡ଼ିଶା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମେ ରାଜ୍ୟ ତଥା ରାଜ୍ୟ ବାହାରେ ଏବଂ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁର କେବଳ ମଧୁବାବୁଙ୍କ ଜନ୍ମମାଟି ନୁହେଁ, ଏହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ତୀର୍ଥ ସ୍ଥଳ। ଆଧୁନିକ ଭାରତରେ ଓଡ଼ିଆ ଭାଷାର ଉତ୍‌?ଥାନ ତଥା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପୁରୋଧାଙ୍କ ଜନ୍ମସ୍ଥଳୀ ହେଉଛି ଏ ପବିତ୍ର ମାଟି। ଯେଉଁ ମାଟିର ସନ୍ତାନ ସବୁ ପ୍ରତିକୂଳ ପରିସ୍ଥିତି ସହିତ ଲଢ଼ି, ଆମକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲେ, ତାଙ୍କୁ ସଶ୍ରଦ୍ଧ ପ୍ରଣିପାତ କରୁଛି। ସ୍ୱତନ୍ତ୍ର ଓଡ଼ିଶା ଗଠନ ପାଇଁ ହୋଇଥିବା ଆନ୍ଦୋଳନର ଲକ୍ଷ୍ୟ କେବଳ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ଭୌଗୋଳିକ ଭୂଖଣ୍ଡ ବନାଇବା ନ ଥିଲା। ଏହାର ଆଉ ଗୋଟିଏ ପ୍ରଧାନ ଲକ୍ଷ୍ୟ ଥିଲା, ଅବକ୍ଷୟମାନ ଓଡ଼ିଆ ଭାଷା ଓ ସାହିତ୍ୟକୁ ପୁନର୍ଜୀବିତ କରି ଘରେ ଘରେ ଆଦୃତ କରାଇବା। ତେଣୁ, ଓଡ଼ିଶା ପ୍ରଦେଶ ଗଠନ ସହିତ, ଓଡ଼ିଆ ଭାଷା ଓ ସାଂସ୍କୃତିକ ଜାଗୃତି ପାଇଁ ମଧ୍ୟ ଲେଖନୀ ମାଧ୍ୟମରେ ଆନ୍ଦୋଳନ ଚାଲିଥିଲା। ଏହାର ପୁରୋଧା ଥିଲେ ସ୍ୱଭାବ କବି ଗଙ୍ଗାଧର ମେହେର, କବିବର ରାଧାନାଥ ରାୟ, କର୍ମବୀର ଗୌରି ଶଙ୍କର ରାୟ, ବ୍ୟାସକବି ଫକୀର ମୋହନ ସେନାପତି। ଏପରିକି, ମଧୁବାବୁ ଓଡ଼ିଆମାନଙ୍କୁ ଅନୁପ୍ରାଣିତ କରିବା ପାଇଁ ଲେଖନୀ ଚାଳନା କରୁଥିଲେ। ତାଙ୍କ ରଚିତ “ଉଠରେ ଉଠରେ ଉତ୍କଳ ସନ୍ତାନ, ଉଠିବୁ ତୁ କେତେ ଦିନେ; ପୂରୁବ ଗୌରବ ପୂରୁବ ସାହସ, ପଡ଼ିବ କି କେବେ ମନେ!” ଲକ୍ଷ ଲକ୍ଷ ଆନ୍ଦୋଳନକାରୀଙ୍କୁ ଉତ୍ସାହିତ କରିଥିଲା। ମଧୁବାବୁଙ୍କ ଡାକରେ ସାରା ଓଡ଼ିଆ ଜାତି ଏକତ୍ରିତ ହୋଇଥିଲା ଏବଂ ୮୯ ବର୍ଷ ପୂର୍ବେ ଆଜିର ଦିନରେ ଆମେ ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ଗଠନ କରିଥିଲୁ। ସାରା ଭାରତରେ ଓଡ଼ିଶା ଥିଲା ପ୍ରଥମ ଭାଷାଭିତ୍ତିକ ରାଜ୍ୟ। ମହାନ୍‌? ଭାରତ ବର୍ଷରେ ରାଜ୍ୟ ଗଠନ ପାଇଁ ଓଡ଼ିଶାର ସଂଗ୍ରାମ ଥିଲା ଏକ ମାର୍ଗଦର୍ଶକ। ଏହା ପରେ ଦେଶର ଅଧିକାଂଶ ରାଜ୍ୟ, ଭାଷା ଭିତ୍ତିରେ ହିଁ ଗଠନ କରାଯାଇଥିଲା। ଏହି ଅବସରରେ ଓଡ଼ିଶା ଭୂଖଣ୍ଡକୁ ଏକତ୍ରିତ କରି ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ଗଠନ କରିବା ପାଇଁ ଯେଉଁ ମହାନ ବରପୁତ୍ରମାନେ ସାରା ଜୀବନ ସଂଗ୍ରାମ କରିଥିଲେ ସେମାନଙ୍କୁ ମୁଁ ପ୍ରଣାମ କରୁଛି। ଏକ ‘ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ’ ଗଠନ କରିବା ପାଇଁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନେତୃତ୍ୱରେ ୧୯୦୩ ମସିହାରେ କଟକରେ ଉତ୍କଳ ସମ୍ମିଳନୀର ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଉତ୍କଳ ସମ୍ମିଳନୀର ନିରନ୍ତର ଉଦ୍ୟମ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୂଳଦୁଆ ସ୍ଥାପନ କରିଥିଲା। ମଧୁବାବୁଙ୍କ ସହିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମୟୂରଭଞ୍ଜ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ, ଖଲ୍ଲିକୋଟ ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ, ପଣ୍ଡିତ ଗୋଦାବରୀଶ ମିଶ୍ର, ଫକୀର ମୋହନ ସେନାପତି, ଗଙ୍ଗାଧର ମେହରଙ୍କ ପରି ଅନେକ ବରପୁତ୍ର ମାନଙ୍କ ତ୍ୟାଗ ଓ ସଂଗ୍ରାମ ଯୋଗୁ ସ୍ୱତନ୍ତ୍ର ଓଡ଼ିଶାର ସ୍ୱପ୍ନ ସଫଳ ହୋଇପାରିଥିଲା। ସ୍ୱତନ୍ତ୍ର ଓଡ଼ିଶା ଗଠନ ପରେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଉଦ୍ୟମରେ ଦେଶୀୟ ରାଜ୍ୟଗୁଡ଼ିକ ଓଡ଼ିଶାରେ ମିଶିଥିଲେ ଏବଂ ଓଡ଼ିଶା ତାର ବର୍ତ୍ତମାନର ସ୍ୱରୂପ ପାଇଥିଲା। ଏହି ଅବସରରେ ସେମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଲକ୍ଷ୍ୟ ନିଶ୍ଚୟ ପୂରଣ ହେବ। ୨୦୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ଗଠନର ୧୦୦ ବର୍ଷ ପୂରଣ ହେବ। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମେ ଏକ ଦୃଢ଼ ଭିତ୍ତିଭୂମି ନିର୍ମାଣ କରିବୁ। ଆହୁରି ଆଗକୁ ଯାଇ, ୨୦୪୭ରେ ଆମର ଓଡ଼ିଶାକୁ ଆମେ ବିକଶିତ ଭାରତର ଏକ ଗ୍ରୋଥ୍‌? ଇଞ୍ଜିନ୍‌? କରିବୁ। ସମୃଦ୍ଧ ଓଡ଼ିଶାର ପ୍ରତ୍ୟେକଟି ସ୍ତମ୍ଭ ଓଡ଼ିଶାବାସୀ ହିଁ ନିର୍ମାଣ କରିବେ ଏବଂ ଓଡ଼ିଶାବାସୀ ହିଁ ପୁଣି ଥରେ ଲେଖିବେ ସେମାନଙ୍କର ଗୌରବମୟ ଇତିହାସ। ମଧୁବାବୁଙ୍କ ଜନ୍ମମାଟିରେ ଆମର ଏହି ସଂକଳ୍ପ, ଓଡ଼ିଶା ପାଇଁ ଆଣିବ ଏକ ନୂଆ ସକାଳ। ମଧୁ-ମାଟିର ପ୍ରତ୍ୟେକଟି କଣିକା ଓଡ଼ିଆ ଜାତିର ସ୍ୱପ୍ନ ଓ ସଫଳତାର ବାର୍ତ୍ତାବହ। ଞ୍ଚସମୃଦ୍ଧ ଓଡିଶା ଗଠନର ତିନିଟି ଆଧାର– ଅସ୍ମିତା, ଉଚ୍ଚାଶା ଓ ଅବିଶ୍ରାନ୍ତ ଉଦ୍ୟମ। ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମେ ତିନୋଟି ଶକ୍ତିର ଉପଯୋଗ କରିବୁ। ସେଇ ତିନୋଟି ଆଧାର ହେଉଛି – ଅସ୍ମିତା ହେଉଛି ଆମର ଓଡ଼ିଆ ସ୍ୱାଭିମାନ। ଆମର ମୌଳିକ ପରିଚୟ। ନିଜର ପରିଚୟ ବିନା ଆଗକୁ ବଢ଼ିବା ପାଇଁ ପ୍ରେରଣା ମିଳେ ନାହିଁ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଆମର ଗର୍ବ ଓ ଗୌରବ। ସ୍ୱଭାବ କବି ଗଙ୍ଗାଧର ମେହେର ଲେଖିଥିଲେ –‘ମାତୃଭୂମି ମାତୃଭାଷାରେ ମମତା, ଯା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ?’ ଦ୍ୱିତୀୟଟି ହେଉଛି ଉଚ୍ଚାଶା। ଉଚ୍ଚ ହେବା ପାଇଁ ପ୍ରଥମେ ଆମର ଆଶା, ଆକାଂକ୍ଷାକୁ ଉଚ୍ଚ କରିବାକୁ ପଡ଼ିବ। ବଡ଼ ସ୍ୱପ୍ନ ନ ଦେଖିଲେ, ଆମେ ବଡ଼ ହୋଇ ପାରିବା ନାହିଁ । ସେଥିପାଇଁ ଓଡ଼ିଶାକୁ ୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ଆମେ ସଂକଳ୍ପ ନେଇଛୁ। ତୃତୀୟଟି ହେଉଛି ଅବିଶ୍ରାନ୍ତ ଉଦ୍ୟମ। ଆମର ଏହି ଉଚ୍ଚ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆମେ ଯେଉଁ ସମୟ, ଯେଉଁ ସୁଯୋଗ ପାଇଛୁ, ତା’ର ପ୍ରତ୍ୟେକଟି ମୁହୂର୍ତ୍ତକୁ ଓଡ଼ିଶାର ବିକାଶ, ଓଡ଼ିଶାର ସ୍ୱାର୍ଥର ସୁରକ୍ଷା ପାଇଁ ବିନିଯୋଗ କରିବୁ। ଏହି ତିନୋଟି ଶକ୍ତିକୁ ଆଧାର କରି ଆଗାମୀ ଦିନରେ ଆମେ ବିକଶିତ ଓଡିଶା ଗଠନ କରିବୁ । ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କ ତ୍ୟାଗ ଓ ପରିଶ୍ରମ ଜରିଆରେ ଓଡ଼ିଶା, ଦେଶର ଏକ ଶ୍ରେଷ୍ଠ ରାଜ୍ୟ ଭାବେ ସାରା ଭାରତ ପାଇଁ ଆଲୋକ ବର୍ତ୍ତିକା ହେବ। ଏକ ପ୍ରକୃତ ଗଣତାନ୍ତ୍ରିକ ସରକାର ହେଉଛି ଯାହା ଲୋକଙ୍କ ସାଥିରେ ରହେ, ଲୋକଙ୍କ ସମସ୍ୟା ଶୁଣି ତାହାର ସମାଧାନ ପାଇଁ ଉଦ୍ୟମ କରେ। ଆମ ସରକାର ପ୍ରଥମ ଦିନରୁ ହିଁ ଲୋକଙ୍କ ପାଇଁ, ଲୋକଙ୍କ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରି ଆସୁଛି। କାର୍ଯ୍ୟକ୍ରମରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ, ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ, ଓଡିଆ ଜାତି ପୂଜ୍ୟପୂଜାର ପରମ୍ପରାର ବିଶ୍ୱାସ ରଖେ । ଏ ଜାତି ପାଇଁ ଓ ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ମହାପୁରୁଷମାନଙ୍କୁ ସମ୍ମାନ ଦେବା ଆମ ସରକାରର ପ୍ରଥମ ପ୍ରାଥମିକତା । ମଧୁବାବୁ ଜୀବନୀରୁ ଆମକୁ ବହୁତ କିଛି ଶିଖିବାର ଅଛି । ଆମ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପୂଜ୍ୟପୂଜା ପରମ୍ପରା ସବୁଦିନ ପାଇଁ ଅବ୍ୟାହତ ରହିବ । ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମମାଟିରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଓଡିଆ ସ୍ୱାଭିମାନ, ଓଡିଶା ଓ ଓଡିଆ ଭାଷାକୁ ଭଲ ପାଇବାର କାର୍ଯ୍ୟକ୍ରମ । ଏ ଜାତିକୁ ମହାନ କରିଥିବା ବରପୁତ୍ରମାନଙ୍କ ନୀତି ଓ ଆଦର୍ଶକୁ ଆମେ ଦୈନନ୍ଦିନ ଜୀବନଚର୍ଯ୍ୟାରେ ଆମେ ଯଦି ଲଗେଇ ପାରିବା ତେବେ କାର୍ଯ୍ୟକ୍ରମରେ ଓଡିଶା ଦିବସ ଉପଲକ୍ଷେ ମାନ୍ୟବର ରାଷ୍ଟ୍ରପତି ଓ ଉପ-ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦତ୍ତ ବାର୍ତ୍ତା ପଠନ କରାଯାଇଥିଲା । ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ ହୋଇଥିଲେ ଓ କୃତି ଦିବ୍ୟାଙ୍ଗଙ୍କୁ ପୁରସ୍କୃତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଧାୟକଗଣ ପ୍ରଶାନ୍ତ ବେହେରା, ସୌଭିକ ବିଶ୍ୱାଳ, ଇଂ. ସୋଫିଆ ଫିର୍ଦ୍ଦୋସ, ଇଂ. ପ୍ରକାଶ ଚନ୍ଦ୍ର ସେଠୀ, ଛବି ମଲ୍ଲିକ, ସାରଦା ପ୍ରଧାନ, ବିଜୟ କୁମାର ଦଳବେହେରା ଉପସ୍ଥିତ ଥିଲେ। କେନ୍ଦ୍ରାଞ୍ଚଳ ଆରଡି ସିବି ପରମେଶ୍ୱରନ୍ ସ୍ୱାଗତ ଭାଷଣ ଦେଇଥିଲେ ଓ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button