ରବି ଫସଲକୁ ନେଇ ଆରମ୍ଭ ହେଲା ରାଜ୍ୟସ୍ତରୀୟ କୃଷି ସମ୍ମିଳନୀ

ଭୁବନେଶ୍ବର: ରବି କାର୍ଯ୍ୟକ୍ରମ ୨୦୨୩-୨୪ ନିମନ୍ତେ ରାଜ୍ୟସ୍ତରୀୟ କୃଷି ସମ୍ମିଳନୀ,କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ଲୋକସେବା ଭବନର କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଉଦ୍‌ଘାଟିତ ହୋଇ ଯାଇଛି। ଫସଲର କାର୍ଯ୍ୟାନ୍ୱୟନକୁ ସମୀକ୍ଷା ଓ ମୂଲ୍ୟାୟନ କରିବା ସହିତ କୃଷିକ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାକୁ ଆପଣାଇବା ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ।

ସମ୍ମିଳନୀରେ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ରାଜ୍ୟର କୃଷି ବିଶ୍ୱବିଦ୍ୟାଳୟ, ଆଇସିଏଆର୍‌ ଏବଂ ସିଜିଆଇଏଆର୍‌ ପ୍ରଭୂତି ପ୍ରତିଷ୍ଠାନର ପ୍ରତିନିଧିମାନେ ବିଭିନ୍ନ ବୈଷୟିକ ଦିଗ ସଂପର୍କରେ ଆଲୋଚନା କରିଥିଲେ। ସମ୍ମିଳନୀରେ ରବି କାର୍ଯ୍ୟକ୍ରମ ପୁସ୍ତିକା ଉନ୍ମୋଚିତ ହୋଇଥିଲା।

ରବି ୨୦୨୩-୨୪ କାର୍ଯ୍ୟକ୍ରମରେ ବିଭିନ୍ନ ଫସଲ ଅଧୀନରେ ଓଡ଼ିଶାରେ ପ୍ରାୟ ୨୮.୧୪ ଲକ୍ଷ ହେକଫର ଜମିରେ ରବିଚାଷ କରାଯିବ। ଏଥି ମଧ୍ୟରୁ ୧୪.୩୪ ଲକ୍ଷ ହେକଫର ଜମିରେ ଡାଲି ଜାତୀୟ ଫସଲ, ୩.୭୩ ଲକ୍ଷ ହେକଫର ଜମିରେ ତୈଳବୀଜ, ୫.୩୯ ହେକଫର ଜମିରେ ପନିପରିବା, ୧.୧୩ ଲକ୍ଷ ହେକଫର ଜମିରେ ମସଲା ଚାଷ ଏବଂ ୦.୩ ଲକ୍ଷ ହେକଫର ଜମିରେ ଆଖୁ ଚାଷ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହା ଦ୍ୱାରା ୧୯.୩୯ ଲକ୍ଷ ମେଟି୍ରକ୍‌ ଟନ ଖାଦ୍ୟଶସ୍ୟ, ୭.୫୩ ଲକ୍ଷ ମେଟି୍ରକ୍‌ ଟନ୍‌ ଡାଲି ଏବଂ ୪.୧୮ ଲକ୍ଷ ମେଟି୍ରକ୍‌ ଟନ୍‌ ତୈଳବୀଜ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି। ରବି କାର୍ଯ୍ୟକ୍ରମର ଅଗ୍ରାଧିକାର କ୍ଷେତ୍ରଗୁଡ଼ିକ ହେଲା- ରବି କାର୍ଯ୍ୟକ୍ରମରେ ଜଳସେଚନର ବ୍ୟବହାରକୁ ବୃଦ୍ଧି କରିବା, ରାଇସ୍‌ ଫାଲୋ ମ୍ୟାନେଜ୍‌ମେଣ୍ଟ ମାଧ୍ୟମରେ ଧାନ ପରବର୍ତ୍ତୀ ପଡ଼ିଆ ଜମିରେ ଡାଲି ଓ ତୈଳବୀଜ ଫସଲ ଚାଷକୁ ପ୍ରୋତ୍ସାହିତ କରିବା ଓ ଡେଲଟା କମାଣ୍ଡ ଅଞ୍ଚଳରେ ବ୍ଲକ୍‌ ନିମନ୍ତେ ନିର୍ଦ୍ଦିଷ୍ଟ କୃଷି କାର୍ଯ୍ୟ ଖସଡ଼ାକୁ ରୂପାୟିତ କରିବା। ସମ୍ମିଳନୀକୁ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ରବି କାର୍ଯ୍ୟକ୍ରମ ରାଜ୍ୟ ଅର୍ଥନୀତି ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିସଂପନ୍ନ ପଦକ୍ଷେପ ଓ ଯୋଜନା ଯୋଗୁ ଓଡ଼ିଶା ଚାଉଳ ଉତ୍ପାଦନରେ ବଳକା ରାଜ୍ୟରେ ପରିଣତ ହୋଇଛି। ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ରେକର୍ଡ ପରିମାଣର ଧାନ ସଂଗ୍ରହ କରାଯାଇଛି।

ଜଳବାୟୁର ପରିବର୍ତ୍ତନ ଓ କୃଷକମାନଙ୍କ ଆୟବୃଦ୍ଧି ନିମନ୍ତେ  ଫସଲର ବିବିଧିକରଣ, ସମନ୍ୱିତ କୃଷି, ରାଇସ୍‌ ଫାଲୋ ମ୍ୟାନେଜ୍‌ମେଣ୍ଟ, ଡାଲି ଓ ତୈଳବୀଜ, ପନିପରିବା ଆଦି ଅର୍ଥକରୀ ଫସଲ ଚାଷକୁ ଉତ୍ସାହିତ କରାଯାଉଛି। ରାଜ୍ୟରେ ଉପଲବ୍ଧ ଜଳସେଚନ ସୁବିଧାର ସମୁଚିତ ଉପଯୋଗ କରି ରବି ଫସଲ ଉତ୍ପାଦନ ବୃଦ୍ଧି ନିମନ୍ତେ ସଂପୃକ୍ତ ଅଧିକାରୀମାନେ ତତ୍ପରତା ପ୍ରକାଶ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ପୂର୍ବରୁ ନିଅଣ୍ଟିଆ ରାଜ୍ୟ ଥିବା ଆମ ରାଜ୍ୟ ଓଡ଼ିଶା ଏବେ ପ୍ରମୁଖ ଖାଦ୍ୟଶସ୍ୟ ରପ୍ତାନୀକାରୀ ରାଜ୍ୟ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଧାନ ଚାଷ ସହିତ ଅଣଧାନ ଫସଲ ଯଥା- ଡାଲି ଓ ତୈଳବୀଜ ଜାତୀୟ ଫସଲ କରି ଫସଲ ବିବିଧିକରଣ ଏବଂ ଜଳବାୟୁ ପରବର୍ତ୍ତନକୁ ଦୃଷ୍ଟିରେ ରଖି କ୍ଲାଇମେଟ୍‌ ସ୍ମାର୍ଟ ଏଗ୍ରିକଲଚର କାର୍ଯ୍ୟକ୍ରମ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

Related Articles

Leave a Reply

Your email address will not be published.

Back to top button