ବର୍ଷା ସ୍ଥିତିକୁ ନେଇ ଏସଆରସିଙ୍କ ସମୀକ୍ଷା
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଲଗାଣ ବର୍ଷାରେ ବେହାଲ ରାଜ୍ୟର ଅଧିକାଂଶ ଅଞ୍ଚଳ । ତୁହାକୁ ତୁହା ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ବର୍ଷା ସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି ଏସଆରସି ସତ୍ୟବ୍ରତ ସାହୁ । ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସବୁ ପ୍ରକାର ସହାୟତା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା ବର୍ଷାରେ ପ୍ରଭାବିତ ଲୋକ ଯେପରି ସବୁ ପ୍ରକାର ସହାୟତା ପାଇବେ ତାହା ଉପରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଏହାଛଡା ପ୍ରବଳ ବର୍ଷା କାରଣରୁ ରାସ୍ତଘାଟ ସଫା କରିବାକୁ ଟିମ୍ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଟ୍ରାଫିକ ସମସ୍ୟା ସୁଧାରିବାକୁ ମଧ୍ୟ କହିଛନ୍ତି ଏସଆରସି ସତ୍ୟବ୍ରତ ସାହୁ । ଗତ ୨ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । କିଛି ନଦୀରେ ଜଳସ୍ତର ବୃଦ୍ଧି ପାଇଥିବା ବେଳେ ଅନେକ ଅଞ୍ଚଳ ଏବେ ଜଳମଗ୍ନ ମଧ୍ୟ ହୋଇଥିବା ସୂଚନା ମିଳିଛି । ଗଭୀର ଅବପାତ ପ୍ରଭାବରେ ମଙ୍ଗଳବାରଠାରୁ ଓଡ଼ିଶାର ସମସ୍ତ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଥିବା କଥା ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ସଂଗୃହୀତ ସୂଚନା ଅନୁସାରେ ଆଜି ସକାଳ ସୁଦ୍ଧା, ରାଜ୍ୟ ୨୦ଟି ଷ୍ଟେସନ୍ରେ ଅତ୍ୟଧିକ ପ୍ରବଳ (୨୦ ସେ.ମି.ରୁ ଅଧିକ), ୫୦ଟି ଷ୍ଟେସନ୍ରେ ଅତି ପ୍ରବଳ (୧୨ରୁ୨୦ ସେ.ମି.) ଏବଂ ୬୧ଟି ଷ୍ଟେସନ୍ରେ ପ୍ରବଳ ବର୍ଷା ହୋଇଛି। ସେହିପରି, ଉପକୂଳବର୍ତ୍ତୀ ବାଂଲାଦେଶ ଏବଂ ଆଖପାଖ ଅଞ୍ଚଳ ଉପରେ ଥିବା ଗଭୀର ଅବପାତ ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୯ କିଲୋମିଟର୍ ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିଶୀଳ ହୋଇ ମଙ୍ଗଳବାର ରାତି ୧୧.୩୦ ସୁଦ୍ଧା ଉପକୂଳବର୍ତ୍ତୀ ବାଂଲାଦେଶ ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ନିକଟ ଆକାଶରେ କେନ୍ଦ୍ରୀଭୂତ ହୋଇଛି। ସ୍ଥଳଭାଗରୁ ଦେଖିଲେ ଏହା ବଂଲାଦେଶର ମୋଙ୍ଗ୍ଲାର ଉତ୍ତରପଶ୍ଚିମକୁ ୬୦ କିଲୋମିଟର୍, ପଶ୍ଚିମବଙ୍ଗର ଦିଘାର ପୂର୍ବ-ଉତ୍ତରପୂର୍ବକୁ ୧୬୦ କିଲୋମିଟର୍ ଏବଂ କୋଲ୍କାତାର ପୂର୍ବ-ଉତ୍ତରପୂର୍ବକୁ ୭୦ କିଲୋମିଟର୍ ଦୂରରେ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।