ନିଲମ୍ବନ ଘଟଣାରେ ବିବୃତ୍ତି ରଖିଲେ ବାଚସ୍ପତି: ବିଶୃଙ୍ଖଳିତ ଆଚରଣ ଶୋଭନୀୟ ନୁହେଁ

ଭୁବନେଶ୍ୱର : ଉପବାଚସ୍ପତିଙ୍କ ରୁଲିଂ ଓ ସର୍ବଦଳୀୟ ବୈଠକରେ ନିବେଦନ ସତ୍ତ୍ୱେ ବିରୋଧୀ କଂଗ୍ରେସ ସଭ୍ୟଙ୍କ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଚାଲିଥିଲେ। ଏହା ଆଦୌ ଶୋଭନୀୟ ନୁହେଁ। ଗୃହର ପଦମର୍ଯ୍ୟାଦା ଏହାଦ୍ୱାରା କ୍ଷୁର୍ଣ୍ଣ ହୋଇଛି। ସେଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବୁଧବାର ସନ୍ଧ୍ୟାରେ ବାଚସ୍ପତି ସୁରମା ପାଢ଼ୀ ବିଧାନସଭାରେ ଦେଇଥିବା ବିବୃତ୍ତି ଜରିଆରେ ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ୭ ତାରିଖ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଆରମ୍ଭରୁ ବିରୋଧୀ ସଦସ୍ୟ ବିଭିନ୍ନ ଉପାୟରେ ପ୍ରତିବାଦ କରୁଥିଲେ। ଫ୍ଲାକାର୍ଡ, ପୋଷ୍ଟର, ବ୍ୟାନର ଧରି ପ୍ରତିବାଦ କରୁଥିଲେ। ୨୦ ମାର୍ଚ୍ଚରୁ କଳା ବ୍ୟାଜ, କଳା ପୋଷାକ ପରିଧାନ କରି ହୁଇସିଲଳ ତୂରୀ, ଘଣ୍ଟ ଓ ବଂଶୀ ବଜାଇ ଗୃହକାର୍ଯ୍ୟରେ ବାଧା ପହଞ୍ଚାଇଥିଲେ। ମୋଟ୍ ୧୨ଟି କାର୍ଯ୍ୟ ଦିବସରୁ ୨ଟିରେ ପ୍ରଶ୍ନୋତ୍ତର କାର୍ଯକ୍ରମ ଚାଲିଥିଲା। ୨୫ ତାରିଖ ସୁଦ୍ଧା ନିର୍ଦ୍ଧାରିତ ସମୟରୁ ୩୯ ଘଣ୍ଟା ୨ ମିନିଟ ଗୃହ କାର୍ଯ୍ୟ ଚାଲି ପାରିନଥିଲା। ସେଥିପାଇଁ ମାର୍ଚ୍ଚ ୧୦ ,୧୩, ୨୪ ଓ ୨୫ରେ ସର୍ବଦଳୀୟ ବୈଠକ ଡକା ଯାଇଥିଲା। କିନ୍ତୁ ଏହା ସତ୍ତ୍ୱେ ବିରୋଧୀ ଦଳର ବିଧାୟକମାନେ ବିଶୃଙ୍ଖଳିତ ଆଚରଣ ଜାରି ରଖିଥିଲେ। ୨୧ ମାର୍ଚ୍ଚରେ ଉପବାଚସ୍ପତି ରୁଲିଁ ଦେଇଥିଲେ ବିଶୃଙ୍ଖଳିତ ଆଚରଣରୁ ନିବୃତ ରହିବାକୁ। ଏ ସବୁ ସତ୍ତ୍ୱେ ବିଶୃଙ୍ଖଳିତ ଆଚରଣ ଜାରି ରଖିବାରୁ କଂଗ୍ରେସର ୧୨ ଜଣ ସଦସ୍ୟଙ୍କୁ ମଙ୍ଗଳବାର ନିଲମ୍ବନ କରାଯାଇଥିଲା। ଏହା ପରେ ବି ସେମାନେ ଗୃହ ପରିତ୍ୟାଗ କରିନଥିଲେ। ଗୃହ ପରିତ୍ୟାଗ ନକରି ଅହୋରାତ୍ର ଧାରଣାରେ ରହିବେ ବୋଲି ଜଣାଇବା ପରେ ସୁରକ୍ଷା ସହିତ ସବୁ ପ୍ରକାର ବ୍ୟବସ୍ଥା କରିବାକୁ ବିଧାନସଭା ସଚିବାଳୟକୁ ନିର୍ଦ୍ଦେଶ ଦେଇଥିଲି। କିନ୍ତୁ ରାତ୍ର ୯ ଘଟିକା ସମୟରେ କଂଗ୍ରେସ ସଦସ୍ୟ ଓ ତାଙ୍କ ସହିତ ଆସିଥିବା କିଛି ରାଜନୀତିକ କର୍ମୀ ମାର୍ଶଲ ଓ ସୁରକ୍ଷା କର୍ମୀଙ୍କୁ ବିଧାନସଭା ବାରଣ୍ଡାକୁ ଆସି ଆକ୍ରମଣ କରିଥିଲେ। ଯେଉଁଥିରେ ସେମାନେ ଆହତ ହୋଇଥିଲେ। ସେମାନେ ଏବେ ଚିକିତ୍ସିତ ହେଉଛନ୍ତି। ପୁନର୍ବାର ରାତ୍ରି ୨ ଟାରେ କିଛି କଂଗ୍ରେସ ବିଧାୟକଙ୍କୁ ମାର୍ଶାଲ ଗେଟ୍ ବାହାରକୁ ନେଇ ଛାଡିଥିଲେ ଆଉ କିଛି ବିଧାୟକ ସସମ୍ମାନେ ଯାଇଥିଲେ ବୋଲି ବାଚସ୍ୱତି ଶ୍ରୀମତୀ ପାଢ଼ୀ ଗୃହରେ ପ୍ରକାଶ କରିଛନ୍ତି। ତେବେ ବାଚସ୍ପତିଙ୍କ ବିବୃତ୍ତି ଏକ ପାଖିଆ ଓ ସମଗ୍ର ଘଟଣାର ପ୍ରତିଫଳନ ହୋଇନାହିଁ। ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ବିଧାନସଭାର ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଗୃହ ଭିତରେ ଓ ବାହାରେ ଏହା କହିଛନ୍ତି। ବୁଧବାର ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ଗୃହ ଚଳାଇବା ପାଇଁ ଉଭୟ ସରକାରୀ ଓ ବିରୋଧୀ ଦଳର ବିଧାୟକଙ୍କ ଆବଶ୍ୟକତା ରହିଛି । କିନ୍ତୁ ସରକାରୀ ଦଳ ବିରୋଧୀ ଦଳକୁ ବାଦ ଦେଇ ବିଧାନସଭା ଚଳାଇବାକୁ ଚାହୁଁଛନ୍ତି। ସରକାର ସହନଶୀଳ ହେବାର ଆବଶ୍ୟକ ରହିଛି। କିନ୍ତୁ ସରକାର ଅସହିଷ୍ଣୁ ହୋଇ ପଡ଼ୁଛନ୍ତି। ବିରୋଧୀ ଦଳର ସମାଲୋଚନାକୁ ଗ୍ରହଣ କରି ପାରୁନାହାନ୍ତି। ବାଚସ୍ପତି ଦେଇଥିବା ବିବରଣୀ ସମ୍ପୂର୍ଣ୍ଣ ଏକପାଖିଆ ଓ ସମଗ୍ର ଘଟଣାର ପ୍ରତିଫଳନ ନୁହେଁ। ଗୃହ ଭିତରକୁ ବାହାର ଲୋକଙ୍କ ପ୍ରବେଶର ବାରଣ ରହିଛି। ଆମେ ଜାଣିବାକୁ ପାଉଛୁ, ଗତକାଲି ଗୃହରୁ କିଛି ବିଧାୟକଙ୍କୁ ବାହାର କରିବା ପାଇଁ କିଛି ବାହାର ଲୋକ ଗୃହ ଭିତରକୁ ପ୍ରବେଶ କରିଥିଲେ। ଗୃହର ପରମ୍ପରାକୁ ସରକାର ଭାଙ୍ଗୁଥିବା ଯୋଗୁ ଆମେ ଦୃଢ଼ ନିନ୍ଦା କରୁଛୁ। ରାଜ୍ୟରେ ଓବିସି, ଏସସି ଓ ଏସଟିଙ୍କ ସଂରକ୍ଷଣ ବ୍ୟବସ୍ଥା ଉପରେ ଆଲୋଚନା ପାଇଁ ବିଜୁ ଜନତା ଦଳ ତରଫରୁ ଗତ ତିନି ଦିନ ହେଲା ଦାବି କରାଯାଇଆସୁଛି। କିନ୍ତୁ ସରକାର ଆଲୋଚନା ପାଇଁ ଅନୁମତି ଦେଉ ନାହାନ୍ତି। ଆଜି ସକାେ ବିଧାନସଭାରେ ଏହି ଅନୁମତି ପ୍ରଦାନ ନକରିବା ବିରୋଧରେ କକ୍ଷତ୍ୟାଗ କରି ଆମ୍ୱେଦକରଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା ଦେବାକୁ ଯାଉଥିଲା ବେଳେ ପୁଲିସ ବିଜେଡି ବିଧାୟକମାନଙ୍କୁ ବିଧାନସଭାର ଗେଟ ପାଖରେ ରୋକିଥିଲେ, ଯେଉଁଥିପାଇଁ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ସେଥିରେ କିଛି ବିଜେଡି ବିଧାୟକ ଆହତ ହୋଇଥିଲେ। ଆମେ ପୁଲିସର ଏହି ବ୍ୟବହାରକୁ ମଧ୍ୟ ନିନ୍ଦା କରୁଛୁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button