ଏସ୍‌ଆଇଟି ତଦନ୍ତ ଦାବି: ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ

ଭୁବନେଶ୍ୱର : ମମିତା ମେହେର ମୃତ୍ୟୁ ଘଟଣାର ମୁଖ୍ୟ ଆସାମୀ ଗୋବିନ୍ଦ ସାହୁଙ୍କ ଜେଲ୍ ଭିତରେ ରହସ୍ୟଜନକ ମୃତ୍ୟୁ ଘଟଣା ସମ୍ପ୍ରତି ଚର୍ଚ୍ଚାର ବିଷୟ ହୋଇଛି । ମମିତା ମୃତ୍ୟୁର ପ୍ରତ୍ୟେକଟି ଘଟଣାରେ ଗୋବିନ୍ଦ ସାହୁଙ୍କ ସମ୍ପୃକ୍ତିକୁ ନେଇ ପୁଲିସ ଗୋବିନ୍ଦଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇଦେଇଥିଲା । କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିବାର ଗୋଟିଏ ଦିନ ପୂର୍ବରୁ ତାଙ୍କର ଆତ୍ମହତ୍ୟା, ଘଟଣାକୁ ଆହୁରି ସନ୍ଦେହ ଭିତରକୁ ଟାଣି ନେଇଛି । ତାଙ୍କର ମୃତ୍ୟୁ ଆତ୍ମହତ୍ୟାଜନିତ କିମ୍ବା ତାଙ୍କୁ ହତ୍ୟା କରାଯାଇଛି ସେ ସମ୍ପର୍କରେ ସତ୍ୟାସତ୍ୟ ପ୍ରକାଶ ପାଇଁ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରତିନିଧିଦଳ ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ଙ୍କୁ ସାକ୍ଷାତ କରିବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ରାଜ୍ୟପାଳ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ଉଚ୍ଚନ୍ୟାୟଳୟର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏସ୍‌ଆଇଟି ଦ୍ୱାରା ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଉକ୍ତ ପ୍ରତିନିଧି ଦଳ ଦାବି କରିଛନ୍ତି । ଏଥିସହ ମମିତା ମେହେର ହତ୍ୟା ଘଟଣାର ପୁନଃତଦନ୍ତ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଉକ୍ତ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି । ଏପରିକି ଗୋବିନ୍ଦ ସାହୁଙ୍କ ସହଧର୍ମିଣୀ କେଗାଁ ଥାନାରେ ଦେଇଥିବା ଏତଲାକୁ ଦରଜ କରିବା ଓ ନିରପେକ୍ଷ ତଦନ୍ତ ପାଇଁ ହାଇକୋର୍ଟଙ୍କ ଦ୍ୱାରା ପରିଚାଳିତ ଏସ୍‌ଆଇଟି ତଦନ୍ତ ନିମନ୍ତେ ଦାବି ଦୋହରାଇଛନ୍ତି । ଏହି ପ୍ରତିନିଧି ଦଳରେ ବିଧାୟକ ସନ୍ତୋଷ ସିଂ ସାଲୁଜା, ଅଧିରାଜ ମୋହନ ପାଣିଗ୍ରାହୀ, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଡ. ଲଲାଟେନ୍ଦୁ ମହାପାତ୍ର ଏବଂ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published.

Back to top button