ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖିଲେ ଶ୍ରଦ୍ଧାଳୁ: ୫ଟି ଅଧ୍ୟକ୍ଷଙ୍କ ଅଚାନକ ପୁରୀ ଗସ୍ତ

ଭୁବନେଶ୍ବର: ଆଜିଠାରୁ ପର୍ଯ୍ୟାୟକ୍ରମେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖିବା ପାଇଁ ଶ୍ରଦ୍ଧାଳୁ ଙ୍କ ଆଗମନ ହୋଇଯାଇଛି । ଆଜି ଗଞ୍ଜାମ, ବାଲେଶ୍ୱର, ମୟୂରଭଞ୍ଜ, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳର ଶ୍ରଦ୍ଧାଳୁ ଆସିଥିଲେ । ସମସ୍ତ ଶ୍ରଦ୍ଧାଳୁଙ୍କୁ ନେଇ ଆସୁଥିବା ବସଗୁଡ଼ିକ ବୀରହରେକୃଷ୍ଣପୁର ଡାହାଣ ପାର୍ଶ୍ୱରେ ଯାଇ ସମଙ୍ଗ ପାର୍କିଂ ସ୍ଥଳରେ ପହଞ୍ଚିଥିଲା । ସେଠାରୁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଫିଡ଼ର ବସ ମାଧ୍ୟମରେ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପିଲଗ୍ରିମ ସେଣ୍ଟର୍‌କୁ ନିଆଯାଇ ସେଠାରୁ ଶ୍ରୀମାର୍ଗ ଦେଇ ମହାପ୍ରଭୁଙ୍କ ଦର୍ଶନ ଓ ପରିକ୍ରମା ପ୍ରକଳ୍ପ ପରିକ୍ରମଣ କରାଯାଇଥିଲା । ତେବେ ୫ଟି ଅଧ୍ୟକ୍ଷ ଆସିବାର କୌଣସି କୌଣସି ପୂର୍ବ କାର୍ଯ୍ୟସୂଚୀ ନଥିଲେ ମଧ୍ୟ ହଠାତ୍ ସେ ଭକ୍ତଙ୍କ ପାଇଁ ଚିନ୍ତା ପ୍ରକଟ କରି ଆଜି ଅପରାହ୍ନରେ ପୁରୀରେ ପହଞ୍ଚିଥିଲେ । ସମଙ୍ଗ ପାର୍କିଂ ରେ ସେ ସିଧାସଳଖ ଲୋକଙ୍କୁ ଭେଟିବା ସହ ଦଶ ହଜାର ଭକ୍ତଙ୍କ ଗହଣରେ ଆଜି ନିଜେ ସାମାନ୍ୟ ଜଣେ ଭକ୍ତ ପାଲଟିଯାଇଥିଲେ ।
ଏହି ଅବସରରେ ସେ କହିଥିଲେ ଯେ ଯାତ୍ରୀ ପରିକ୍ରମା ପ୍ରକଳ୍ପ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ସାକାର ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ବ୍ୟବସ୍ଥା ଓ ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ଫିଡ୍ ବ୍ୟାକ୍ ଦେବା ପାଇଁ ସେ ଲୋକଙ୍କୁ କହିଥିଲେ । ଏଥି ସହ ସେ ଜଣେ ସାଧାରଣ ମଣିଷ ପରି ସିଧା ଖାଇବା ସ୍ଥାନକୁ ଯାଇ ଲୋକଙ୍କ ସହ ବସି ମଧ୍ୟାହ୍ନ ଭୋଜନ ସହ ନିଜେ ଡଷ୍ଟବିନ୍‌ରେ ଅଇଁଠା ପତ୍ର ଫିଙ୍ଗି ଲୋକଙ୍କ ପାଇଁ ହୋଇଥିବା ହାତ ଧୁଆ ସ୍ଥାନରେ ହାତ ଧୋଇଥିଲେ । ପରେ ଗଞ୍ଜାମ ଓ ମୟୂରଭଞ୍ଜ ଜିଲ୍ଲାରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସହ ଆଲୋଚନା କରିଥିଲେ । ସେମାନେ କେଉଁ ବ୍ଲକରୁ ଆସିଛନ୍ତି, ଆସିବାରେ ଅସୁବିଧା ହୋଇଛି କି ନାହିଁ, ସେମାନଙ୍କ ପାଇଁ ହୋଇଥିବା ବ୍ୟବସ୍ଥା କିଭଳି ହୋଇଛି ସେ ସମ୍ପର୍କରେ ଆଲୋଚନା କରିଥିଲେ । ଆଜି ଗଞ୍ଜାମ ଜିଲ୍ଲା ଶେରଗଡ଼, ହିଞ୍ଜିଳିକାଟୁ ବ୍ଲକ୍ ସହ ଭଞ୍ଜନଗର, ଜେ.ଏନ୍‌,ପ୍ରସାଦ, ବେଲଗୁଣ୍ଠ, କୁଲିଅଣା ଏବଂ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ, ଠାକୁରମୁଣ୍ଡା, କପ୍ତିପଦା ବ୍ଲକ ସହ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଯାତ୍ରୀ ପରିକ୍ରମା ପ୍ରକଳ୍ପ ଦେଖିବା ପାଇଁ ଜଗନ୍ନାଥ ବସ୍ ଯୋଗେ ଶ୍ରଦ୍ଧାଳୁ ଆସିଥିଲେ । ତେବେ ୬୭ କୋଟି ଟଙ୍କା ବ୍ୟୟରେ ୪୩ ଏକର ଜମିରେ ଏହି ମେଗା ସମଙ୍ଗ ପାର୍କିଂ କରାଯାଇଛି । ଓଡ଼ିଶା ସେତୁ ନିର୍ମାଣ ନିଗମ (ଓବିସିସି) ଏହି କାମ କରିଛି । ଏହି ମେଗା ପାର୍କିଂରେ ଏକକାଳୀନ ୪୨୦ ବସ୍‌, ୫୪୯ ଚାରିଚକିଆ, ୨୫୮ ଅଟୋ ଏବଂ ୧,୦୫୪ଟି ଦୁଇଚକିଆ ପାର୍କିଂ କରିପାରିବେ ।

Related Articles

Leave a Reply

Your email address will not be published.

Back to top button