ଗର୍ଭବତୀଙ୍କୁ ଗୁଳି ଘଟଣା: ସ୍ୱାମୀ ହିଁ ପ୍ରକୃତ ହତ୍ୟାକାରୀ

ଭୁବନେଶ୍ବର: ବହୁଚର୍ଚ୍ଚିତ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଟିକାୟତପାଲି ଥାନା ଅନ୍ତର୍ଗତ ଝିର୍ଡ଼ାପାଲି ଗାଁରେ ଗର୍ଭବତୀ ସୌମ୍ୟାମୟୀ ବେହେରା(୩୦)ଙ୍କ ମୃତ୍ୟୁ ଘଟଣା ଉପରୁ ପୁଲିସ ପରଦା ହଟାଇଛି। ହତ୍ୟାକାଣ୍ଡରେ କୌଣସି ଦୁର୍ବୃତ୍ତ ସମ୍ପୃକ୍ତ ନଥିଲେ, ବରଂ ମହିଳାଙ୍କର ସ୍ୱାମୀ ଦେବେନ୍ ବେହେରା ହିଁ ଗୁଳିକରି ନିଜ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ ଏବଂ ଲୁଟ୍ ନାଟକ କରିଥିଲେ ବୋଲି ପୁଲିସ ଜାଣିପାରିଛି। ଏହି କାର୍ଯ୍ୟରେ ଦେବେନଙ୍କୁ ତାଙ୍କ ଭିଣୋଇ ତଥା ପୁଲିସ୍ ଏଏସ୍‌ଆଇ ସତ୍ୟନାରାୟଣ ବେହେରା ସାହାଯ୍ୟ କରିଥିଲେ ବୋଲି ଜଣାପଡ଼ିଛି। ତେଣୁ ପୁଲିସ ହତ୍ୟାକାରୀ ସ୍ୱାମୀ ଓ ଏଏସ୍‌ଆଇଙ୍କୁ ଗିରଫ କରିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମାଞ୍ଚଳ ଆଇଜି ବ୍ରିଜେଶ ରାୟ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦେବେନ୍‌ଙ୍କ ସହିତ ଅନ୍ୟ ଜଣେ ମହିଳାଙ୍କର ସଂପର୍କ ଥିଲା; ଯାହାକୁ ତାଙ୍କ ସ୍ତ୍ରୀ ବିରୋଧ କରି ଆସୁଥିଲେ। ଏହି ପରକୀୟା ପ୍ରେମକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ସ୍ୱାମୀଙ୍କୁ ଭଲ ରାସ୍ତାରେ ଆଣିବାକୁ ସ୍ତ୍ରୀ ଚାହୁଁଥିଲେ। କିନ୍ତୁ ସ୍ୱାମୀ ଭଲ ରାସ୍ତାକୁ ଆସିବାକୁ ନାରାଜ ଥିଲେ। ସେ ସବୁଦିନ ପାଇଁ ସ୍ତ୍ରୀଙ୍କୁ ହଟାଇବାକୁ ଚିନ୍ତା କରିଥିଲେ। ଗତ ବୁଧବାର ରାତିରେ ପୂରା ପରିବାର ଖାଇପିଇ ଶୋଇ ପଡ଼ିଥିଲେ। ହେଲେ ଦେବେନ ଶୋଇବାକୁ ଯାଇନଥିଲେ। ବିଳମ୍ୱିତ ରାତି ପର୍ଯ୍ୟନ୍ତ ଘର ଆଗରେ ଟହଲ ମାରୁଥିଲେ। ସ୍ୱାମୀଙ୍କ ଏପରି ଅବସ୍ଥା ଦେଖି ୭ ମାସର ଗର୍ଭବତୀ ଥିବା ପତ୍ନୀ ସୌମ୍ୟାମୟୀ ତାଙ୍କୁ ଘରେ ଶୋଇବା ପାଇଁ ଡାକିଥିଲେ। ହେଲେ ଦେବେନ ଯିବା ପାଇଁ ମନା କରିଥିଲେ। କବାଟ ଦେଇ ଶୋଇ ପଡ଼ିବା ପାଇଁ ସୌମ୍ୟାମୟୀଙ୍କୁ ପରାମର୍ଶ ଦେଇଥିଲେ। ଏହା ପରେ ସୌମ୍ୟାମୟୀ କବାଟ ବନ୍ଦ କରି ଶୋଇ ପଡ଼ିଥିଲେ। ରାତି ପ୍ରାୟ ସାଢ଼େ ୧୨ଟା ହେବ। କବାଟ ଠକ୍ ଠକ୍ କରିଥିଲେ ଦେବେନ। ଆଉ କବାଟ ଖୋଲିଥିଲେ ସୌମ୍ୟାମୟୀ। ଦେବେନ ଅତି ନିକଟରୁ ସୌମ୍ୟାମୟୀଙ୍କ ଛାତିକୁ ଗୁଳି ମାରିଥିଲେ। ସେଇଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସୌମ୍ୟାମୟୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଦେବେନ୍ ତାଙ୍କ ଭିଣୋଇ ସତ୍ୟନାରାଣ ବେହେରାଙ୍କୁ ଫୋନ୍ କରି ଡାକିଥିଲେ। ସୌମ୍ୟାମୟୀଙ୍କ ମୃତ୍ୟୁ ହୋଇ ସାରିଥିବା ଜାଣି ସୁଦ୍ଧା ସତ୍ୟନାରାୟଣ ଓ ପରିବାର ଲୋକେ ତାଙ୍କୁ ମେଡିକାଲ୍‌କୁ ନେଇଥିଲେ। ଏହା ପରେ ଦେବେନ ହତ୍ୟାକାଣ୍ଡର ସୁଚିନ୍ତିତ ନାଟକ ରଚନା କରିଥିଲେ। ପିସ୍ତଲ ଓ ଗୁଳିକୁ ଘର ଭିତରେ ଥିବା ଭାତ ହାଣ୍ଡିରେ ଲୁଚାଇ ଦେଇଥିଲେ। ଡକାୟତମାନେ ସୌମ୍ୟାମୟୀଙ୍କୁ ଗୁଳି କରିଥିବା ଗାଁ ଲୋକ ଓ ପୁଲିସ୍‌କୁ କହିଥିଲେ। ଖବର ପାଇଁ ପୁଲିସ୍ ଦେବେନଙ୍କ ଘରେ ପହଞ୍ଚିଥିଲା। ପାରିପାର୍ଶ୍ୱିକ ସ୍ଥିତି ଓ ସୌମ୍ୟାମୟୀଙ୍କ ଛାତିରେ ବାଜିଥିବା ଗୁଳିକୁ ଦେଖି ପୁଲିସ୍ ଚକିତ ହୋଇଥିଲେ। ପରେ ପୁଲିସ୍ ଦେବେନଙ୍କୁ ହେପାଜତକୁ ନେଇ ପଚରାଉଚରା କରିଥିଲା। ଦୀର୍ଘ ସମୟ ଧରି ଜେରା ପରେ ସତ ଓଗାଳିଥିଲେ ଦେବେନ। ପତ୍ନୀ ସୌମ୍ୟାମୟୀଙ୍କୁ ଗୁଳି କରି ହତ୍ୟା କରିଥିବା ମାନି ଯାଇଥିଲେ। ତାଙ୍କ ବୟାନ ଆଧାରରେ ପୁଲିସ୍ ଏଏସ୍‌ଆଇ ସତ୍ୟନାରାୟଣ ବେହେରାଙ୍କୁ ଗିରଫ କରିଛି। ହତ୍ୟାରେ ବ୍ୟବହୃତ ପିସ୍ତଲ ଓ ଗୁଳି ଜବତ କରାଯାଇଛି। ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button